Below header

ମା’ର ଶବ କାନ୍ଧରେ ବୋହିଲେ ଝିଅ, ପୁରୀ ବଡ଼ଦାଣ୍ଡର ଏ ଦୃଶ୍ୟ ଥିଲା ବେଶ୍ ହୃଦୟବିଦାରକ

‘‘ଛଅଖଣ୍ଡ କାଠରେ ହେବ ସବାରୀ, ସେଇ ସବାରୀରେ ମୁଁ ଯିବି ସେପାରି’’ । ଏ ଭାଗ୍ୟ ବୋଧହୁଏ ମୃତ୍ୟୁ ପରେ ସମସ୍ତଙ୍କ ପାଇଁ ଆସେ । ଆଉ ଆସିଛି ଏଇ ଜଟି ମାଉସୀଙ୍କ ପାଇଁ । ହେଲେ ବେଶ୍ ଭିନ୍ନ ଭାବେ । କିଛି ମହିଳାଙ୍କ କାନ୍ଧରେ ଯାଉଛନ୍ତି ବୃଦ୍ଧା ଜଣକ । ସେମାନେ ଆଉ କେହି ନୁହନ୍ତି ତାଙ୍କରି ଝିଅ । .. ପୁଅ ଅଛି, ହେଲେ ମା’ର ମୃତ୍ୟୁ ପରେ ଆସିଲା ନାହିଁ । ତେଣୁ ଝିଅମାନେ ସ୍ଥିର କଲେ ନିଜେ ମା’ର ଶବକୁ ନେଇ ସଂସ୍କାର କରିବେ । ତେଣୁ କୋକେଇକୁ ବୋହି ନେଲେ ସ୍ୱର୍ଗଦ୍ୱାର ।

ମା’ ବାପା, ଏଥି ପାଇଁ ପୁଅ ଚାହାନ୍ତି ଯେ ତାଙ୍କ ମରିବା ପରେ ତାଙ୍କୁ ମୁଖାଗ୍ନି ଦେବ । ଯାହା ଦ୍ୱାରା ତାଙ୍କ ଆତ୍ମା ମଧ୍ୟ ଶାନ୍ତି ପାଇଥାଏ ବୋଲି କୁହାଯାଏ। ପୁଣି ଏହା ସମାଜର ମଧ୍ୟ ରୀତିନୀତି। ତେବେ ବର୍ତ୍ତମାନ ସମୟରେ ସେହି ଜନ୍ମ କଲା ପୁଅ ଯଦି ନିଜ ମା’ବାପାଙ୍କୁ ନପଚାରେ, ବୁଢ଼ା ବୟସରେ ସେମାନଙ୍କ ଦାୟିତ୍ୱ ନନିଏ ତେବେ ଏହାଠୁ ବଳି ଆଉ ଦୁଃଖ ଆଉ ଦୁର୍ଭାଗ୍ୟର କଥା କିଛି ନାହିଁ । ଯେମିତିକି ନିଜର ଦୁଇ ଦୁଇଟି ପୁଅ ଥାଇ ବି ମା’ମଲା ବେଳକୁ କାହାର ଦେଖା ନଥିଲା । ମା’ର ଶବ କାନ୍ଧେଇବାକୁ ମଧ୍ୟ ଆସିଲେନି ପୁଅ। ତେଣୁ ବୃଦ୍ଧାଙ୍କ ଚାରି ଝିଅ କରି ଦେଖାଇଲେ ପୁଅର କାମ । ମା’ର ଶବକୁ କାନ୍ଧେଇ ଚାରି କିଲୋମିଟର ଚାଲି ଚାଲି ଯାଇଥିଲେ ସ୍ୱର୍ଗ ଦ୍ୱାର ।

ଏ ଦୃଶ୍ୟ ଦେଖିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଆଖିରେ ଲୁହ ଚାଲି ଆସି ଯାଇଥିଲା । ଏହାକୁ ଦେଖିବା ପରେ ହୁଏତ ଆପଣଙ୍କ ମନକୁ ଅନେକ କଥା ଆସୁଥିବ । କ’ଣ ଜନ୍ମ କଲା ପୁଅ ଟିଏ ଏତେ ସ୍ୱାର୍ଥ ପର ହୋଇଗଲା ? ନିଜ ଗର୍ଭରେ ରଖି ଦଶ ମାସ ଦଶ ଦିନ ଧରି ସବୁ କଷ୍ଟ ସହି ଥିଲା ପୁଅ ପାଇଁ । ଲୋଭ ଥିଲା ବୁଢ଼ା ବୟସରେ ସାହା ହେବ ଆଉ ମଲା ପରେ ମୁହଁରେ ନିଆଁ ଟିକେ ଦେବ । ହେଲେ ଦୁଇ ପୁଅ ଆସିଲେନି, କି ଶବକୁ କାନ୍ଧ ଦେଲେନି ।

ତେବେ ଧନ୍ୟ କହିବ ସେ ମା’କୁ ଆଉ ସେ ଜନ୍ମ କରିଥିବା ଚାରି ଝିଅଙ୍କୁ । ସେଇମାନେ କୋକେଇରେ ଶବ କାନ୍ଧେଇ ଚାଲିଲେ ପୁରୀ ସ୍ୱର୍ଗଦ୍ୱାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ପୁରୀ ବଡ଼ଦାଣ୍ଡରେ। ମଙ୍ଗଳାଘାଟର ୮୦ ବର୍ଷୀୟା ମା’ ଜଟି ନାୟକଙ୍କ ମୃତ୍ୟୁ ପରେ ତାଙ୍କ ଚାରି ଝିଅ ଶବ ସତ୍କାର କରିଥିଲେ ।

ଚାରି ଝିଅ ସୀତାମଣୀ ସାହୁ,ସୁଶୀଳା ସାହୁ,ସୁମିତ୍ରା ସାହୁ ଓ ସରସ୍ୱତୀ ସାହୁ ସାହିବାସିନ୍ଦାଙ୍କ ସହଯୋଗରେ ମାଙ୍କ ଶବକୁ କାନ୍ଧେଇ ଦୀର୍ଘ ୪ କିଲୋମିଟର ଚାଲିଚାଲି ଯାଇ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରିଛନ୍ତି। ମା’ ବୋଝ ବୋହି ସମସ୍ତଙ୍କୁ ମଣିଷ କରିଥିଲେ। ବସ୍ତାରେ ମୁଢି ଧରି ସାହି ସାହି ବୁଲି ବିକ୍ରି କରି ଯାହା ପଇସା ଆଣନ୍ତି ସେଥିରେ ନିଜ ପିଲାଙ୍କ ତୁଣ୍ଡରେ ଦାନା ଦେଇଥିଲେ ।

ହେଲେ ସେଇ ମା’ କିନ୍ତୁ ନିଜ ପୁଅଙ୍କ ଦ୍ୱାରା ଅବହେଳାର ଶିକାର ହେଲେ । ଏଭଳିକି ବିଜୁଳି ଓ ପାଣିରୁ ବି ବଞ୍ଚିତ କରୁଥିଲେ ଦୁଇ ପୁଅ। କଷ୍ଟରେ ବିତୁଥିଲା ଜଟିଙ୍କ ଜୀବନ । ପରେ ସାନ ଝିଅ ମା’ କୁ ନେଇ ନିଜ ପାଖରେ ରଖୁଥିଲେ। ମା’ର ଦେହ ଖରାପ ହେଲା ପରେ ମଧ୍ୟ ଦୁଇ ପୁଅ ପଚାରିବାକୁ ଗଲେନାହିଁ । ଆଉ ମା’ ପାଖରେ ବା କାମ କ’ଣ ତାଙ୍କର ? ଏ ଦୁନିଆ ଛାଡି ମା ଚାଲିଯିବା ପରେ ମଧ୍ୟ ଆସିଲେ ନାହିଁ। ଶେଷରେ ଝିଅଙ୍କ କାନ୍ଧରେ ବୁହା ହେଲେ ଓ ଦିଅର ମୁଖାଗ୍ନି ଦେଲେ ।

jati maa
Picture Credit – Kalinga Tv

ତେବେ ମା’ ର ଏହି ଶବଦାହକୁ ନେଇ ଭାଇ ଓ ଭଉଣୀଙ୍କ ଭିତରେ ଝଗଡା ବି ହୋଇଥିଲା। ତେବେ ଘର ଭିତରେ କିଛି ସମସ୍ୟା ଥାଇପାରେ, ମାନ ଅଭିମାନ, ସମ୍ପତ୍ତି ଭାଗବଣ୍ଟା ଅଥବା ଶାଶୁ, ବୋହୂ, ନଣନ୍ଦ ଗଣ୍ଡଗୋଳ । ହେଲେ କୁହାଯାଏ ପରା ମୃତ୍ୟୁ ପରେ ଏସବୁ ଜଳି ଯାଏ ମଲା ଲୋକର ଜୁଇରେ ? ସେଠି ପୁଅର ପାଦ ଅଟକି ଗଲା କେମିତି ? ନିଜ ମାର ଶେଷ ଦର୍ଶନ କି ଦାହ ବେଳରେ ବି ପହଞ୍ଚିଲେନି ? ଶେଷରେ ସାହି ବାସିନ୍ଦାଙ୍କ ସହଯୋଗରେ ଶବଦାହ କରିଥିଲେ ଝିଅମାନେ।

ଦିନକୁ ଦିନ ଯୁଗ ସିନା ବଦଳୁଛି ହେଲେ ତାରି ଭିତରେ ମଣିଷ ପଣିଆ ହଜି ଯାଉଛି। ଏମିତି ହେଲେ ଏ ଦୁନିଆ ରହିବ ତ ? ରହିବ ତ ରକ୍ତ ସମ୍ପର୍କ ? ନା ସବୁ କିଛି କେବଳ ଓଜନ ହେବ ଧନସମ୍ପତ୍ତିରେ ? …. ଆପଣ ହିଁ ବିଚାର କରନ୍ତୁ ମଣିଷ ଏବେ କେଉଁ ସ୍ତରରେ ଆଉ ମଣିଷ ପଣିଆ କାହିଁକି ଦିନକୁ ଦିନ ତଳତୁ ତଳକୁ ଖସି ଚାଲିଛି ।

ତେଣୁ ନିଜ ଜୀବନରେ ଯେତେଦିନ ପର୍ଯ୍ୟନ୍ତ ଆପଣ ବଞ୍ଚୁଛନ୍ତି ପ୍ରଥମେ ଭଲ ମଣିଷଟିଏ ହେବାକୁ ଚେଷ୍ଟା କରନ୍ତୁ । ଆଉ ସବୁଠାରୁ ବଡ କଥା ହେଉଛି ନିଜ ବାପା ମା ଙ୍କୁ କେବେ ବି କଷ୍ଟ ଦେବା ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.