ଭୁବନେଶ୍ବର(କେନ୍ୟୁଜ୍): ସ୍କୁଲ ଆସୁନାହାନ୍ତି ୩୦% ଛାତ୍ରଛାତ୍ରୀ । ୨ ବର୍ଷ ଧରି କରୋନା ମହାମାରୀ ପରେ ସ୍କୁଲ ଖୋଲିଥିବା ବେଳେ ୩୦ ପ୍ରତିଶତ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସୁନଥିବାରୁ ଚିନ୍ତା ପ୍ରକାଶ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମାତ୍ର ୭୦% ରହିଛି । ବାକି ୩୦% ଅର୍ଥାତ ୧୮ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ ଆସୁନାହାନ୍ତି । ଡ୍ରପ ଆଉଟ ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ଗଣଶିକ୍ଷା ସଚିବ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି । ଏତେ ସଂଖ୍ୟକ ପିଲା କାହିଁକି ସ୍କୁଲ ଆସୁନାହାନ୍ତି ତାର କାରଣ ଖୋଜା ଆରମ୍ଭ ହୋଇଛି । ଶିକ୍ଷକ ମାନେ ଘର ଘର ବୁଲି ସ୍କୁଲ ଆସୁନଥିବା ଛାତ୍ରଛାତ୍ରୀଙ୍କୁ ଖୋଜିବେ ।
ସେହିଭଳି ସ୍କୁଲ ମ୍ୟାନେଜମେଣ୍ଟ କମିଟି, ସରପଞ୍ଚ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟ ଅଭିଭାବକଙ୍କ ସ୍ତରରେ କଥାବାର୍ତ୍ତା କରିବେ । ଚଳିତ ଶିକ୍ଷାବର୍ଷରେ ପିଲାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ମାଲକାନଗିରି, ବୌଦ୍ଧ, ଗଜପତି, ସମ୍ବଲପୁର, ନୂଆପଡା ଜିଲାରେ ପ୍ରଥମରୁ ୫ମ ଶ୍ରେଣୀ ପିଲାଙ୍କ ଉପସ୍ଥାନ ରାଜ୍ଯ ହାରଠାରୁ କମ ରହିଛି। ସେହିଭଳି ଅଷ୍ଟମ ପାସ ପରେ ଅନେକ ପିଲା ନବମ ଶ୍ରେଣୀ ରେ ନାମ ଲେଖାଇନାହାନ୍ତି। ଏଣୁ ପାଠ ଛାଡିଥିବା ପିଲାଙ୍କୁ ସ୍କୁଲ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି।…