କୋରାପୁଟ (କେନ୍ୟୁଜ) : ମନ୍ଦିରରେ ଚାଲିଛି ମନ୍ତ୍ର ପାଠ।ପରିବାର ଲୋକ ସହ ଗାଁ ଲୋକ ବି ଅଛନ୍ତି। ଆଉ ଏଠି ବର କନ୍ୟା ବସିଛନ୍ତି ମାନେ ଏଠି ଉଭୟ ବର ଓ କନ୍ୟାଙ୍କ ମଧ୍ୟରେ ଚାଲିଛି ବାହାଘର। ତେବେ ଏ ଦୃଶ୍ୟ ଦେଖି ଆପଣ ଭାବୁଥିବେ ଏଥିରେ ନୂଆ କଣ ଅଛି ? ସବୁ ବର କନ୍ୟା ତ ବେଦୀରେ ବସି ହୁଅନ୍ତି ନା କିନ୍ତୁ ନା ସାଧାରଣ ଲାଗୁଥିବାଏହି ବାହାଘର ଥିଲା କିନ୍ତୁ ନିଆରା। କାରଣ ଏହି ବିବାହ ବେଦୀରେ ବସି ବାହା ହେଉଥିବା ବର କନ୍ୟା ଉଭୟ ବିବାହିତ। ହୋମ ନିଅାଁକୁ ସାକ୍ଷି ରଖି ଏମାନେ ପରଷ୍ପରକୁ କରୁଛନ୍ତି ଦ୍ୱିତୀୟ ବିବାହ। ଆଉ ଏହି ବିବାହ ପରେ ବିଧବାରୁ ସଧବା ସାଜିଛନ୍ତି ବେଦୀରେ ବସିଥିବା ମହିଳା । ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିଲେ ବି ଏ ଘଟଣା ପୂରା ବାସ୍ତବ।
ବେଦୀରେ ବସିଥିବା ଉଭୟେ ବର କନ୍ୟା ହେଉଛନ୍ତି ସ୍ବାମୀ ସ୍ତ୍ରୀ। ବହୁ ବର୍ଷ ପୂର୍ବେ ଏମାନେ ପରଷ୍ପରକୁ ବିବାହ କରିସାରିଥିଲେ, କିନ୍ତୁ ଏବେ ଉଭୟେ ପରଷ୍ପରକୁ କରିଛନ୍ତି ଦିତୀୟ ବିବାହ। ଆଉ ଦ୍ୱିତୀୟ ବିବାହ କରିବା ପଛରେ ରହିଛି ବହୁତ ବଡ କାରଣ। ଆସନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିବା ଏହି ଖବର ପଛରେ କଣ କାରଣ ରହିଛି ଜାଣିବା। କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକର ପୋଡାପଦର ଗାଁ। ଗାଁର ଘାସି ଅମାନତ୍ୟ ଦାଦନ ପାଇଁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଚାଲିଯାଇଥିଲେ। ହେଲେ କୌଣସି କାରଣ ଯୋଗୁଁ ଯିବା ସମୟରେ ସେ ନିଖୋଜ ହୋଇ ଯାଇଥିଲେ। ପରେ ଜାଣିଲେ ଯେ ସେ ଆନ୍ଧ୍ର ବଦଳରେ ବାଙ୍ଗାଲୋରରେ ଅଛନ୍ତି। ଭାଷା ଜାଣିନଥିବାରୁ ସେ ଲୋକଙ୍କ ସହାୟତା ବି ନେଇ ପାରିଲେନି କି ପରିବାର ସହ ବି ଯୋଗାଯୋଗ କରିପାରିଲେନି। ପରିବାର ଲୋକ ବି ବହୁ ଖୋଜାଖୋଜି କରି ନିରାଶ ହେଲେ। ଶେଷରେ ତାଙ୍କର ମୃତ୍ୟୁ ଖବର ଆସିବାରୁ ସ୍ବାମୀଙ୍କ ଶବ ନ ଦେଖି ବି ପରିବାର ଓ ଗାଁ ଲୋକଙ୍କ କହିବା ଅନୁସାରେ ସ୍ବାମୀଙ୍କ ଶୁଦ୍ଧିକ୍ରିୟା କରି ନିଜକୁ ବିଧବା ସଜାଇଥିଲେ।
ହେଲେ ୨ ମାସ ତଳେ ମରିଯାଇଥିବା କହୁଥିବା ସେ ସ୍ୱାମୀ ଫେରିଲେ ଘରକୁ। ସାବିତ୍ରୀଙ୍କ ପାଖଙ୍କୁ ସତ୍ୟବାନ ଫେରିବା ଭଳି ସୁବର୍ଣ୍ଣଙ୍କ ପାଖକୁ ଫେରିଲେ ଘାଷି। ସ୍ୱାମୀଙ୍କୁ ଆଖି ସାମ୍ନାରେ ଦେଖି ନିଜକୁ ବିଶ୍ୱାସ କରିପାରିଲେନି ସୁବର୍ଣ୍ଣ। ବିଧବା ସାଜି ରହୁଥିବା ସୁବର୍ଣ୍ଣ ଯେ ପୁଣି ଥରେ ସଂଖା ସିନ୍ଦୁର ପିନ୍ଧିବେ ସେ କଥା କେବେ ସ୍ୱପ୍ନରେ ବି ଭାବିନଥିଲେ। କିନ୍ତୁ ଭଗବାନ ସୁବର୍ଣ୍ଣଙ୍କ ପାଖକୁ ଫେରାଇଦେଇଛନ୍ତି ନିଜ ସ୍ୱାମୀକୁ। ବିଧବାରୁ ସଧବା ସାଜିବା ପାଇଁ ହେଲା ଘାଷି ଆଉ ସୁବର୍ଣ୍ଣଙ୍କର ପୂର୍ନବିବାହ। ଆଉ ଏହା ପରେ ଆଜି ପୁଣିଥରେ ରୀତିନୀତି ଅନୁସାରେ ଉଭୟଙ୍କର ଦିତୀୟ ଥର ପାଇଁ ବିବାହ ହୋଇଛି। ଦିତୀୟ ବିବାହ ପରେ ଉଭୟେ ସ୍ବାମୀ ସ୍ତ୍ରୀ ବେଶ ଖୁସି ଅଛନ୍ତି।
ଦାଦନ ଖଟିବାକୁ ଯାଇ କେତେକ ନିଖୋଜ ହେଉଛନ୍ତି ତ ଆଉ କେତେକ ଦୁର୍ଘଟଣାର ଶିକାର ହୋଇ ଜୀବନ ହରାଉଛନ୍ତି।କିନ୍ତୁ ନିଖୋଜର ୨ ବର୍ଷ ପରେ ଅକ୍ଷତ ଅବସ୍ଥାରେ ଘରକୁ ଫେରିଥିବାରୁ ସତରେ ଘାସିଙ୍କ ପରିବାର ବେଶ ଭାଗ୍ୟବାନ। ଆଉ ଭାଗ୍ୟବତ ତ ସ୍ତ୍ରୀ ସୁବର୍ଣ୍ଣ। ଯେ ସାବିତ୍ରୀଙ୍କ ଭଳି ନିଜ ସତ୍ୟବାନକୁ ଫେରିପାଇଲେ।