Zomato ଡେଲିଭରି ବୟଙ୍କୁ ଛୁରୀ ଭୁସି ହତ୍ୟା; ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ନିଜେ ଗାଡ଼ି ଚଲାଇ ପହଞ୍ଚିଥିଲେ ହସ୍ପିଟାଲ

ଇନ୍ଦୋରର ବାଣଗଙ୍ଗା ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଯୁବକ ଜଣକ ଜମାଟୋର ଡେଲିଭରି ବୟ ବୋଲି ଜଣାପଡ଼ିଛି। ବିଳମ୍ବିତ ରାତିରେ କରୋଲ ବାଗରେ ସେ ଅର୍ଡର ଡେଲିଭରି କରିବାକୁ ଯାଉଥିଲେ। ସେହି ସମୟରେ ବିଚ୍‌ ରାସ୍ତାରେ ୩ ଜଣ ଯୁବକ ତାଙ୍କୁ ଅଟକାଇ ପଇସା ମାଗିଥିଲେ। ଯୁବକ ପଇସା ଦେବାକୁ ମନା କରିବାରୁ ସେମାନେ ତାଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ। ମୃତ ଯୁବକ ହେଲେ ସୁନିଲ ବର୍ମା।

ରକ୍ତ ଜୁବୁବୁଡ଼ୁ ଅବସ୍ଥାରେ ସୁନିଲ ନିଜେ ବାଇକ୍‌ ଚଲାଇ ହସ୍ପିଟାଲ ପହଞ୍ଚିଥିଲେ। ସେଠାରେ ଗାର୍ଡଙ୍କ ସାହାଯ୍ୟରେ ତାଙ୍କୁ ହସ୍ପିଟାଲରେ ଆଡ୍‌ମିଟ କରାଯାଇଥିଲା। ହେଲେ ଅବସ୍ଥା ଅଧିକ ଗମ୍ଭୀର ହେବାରୁ ସେଠାରୁ ଅନ୍ୟତ୍ର ରେଫର୍‌ କରି ଦିଆଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ସୁନିଲଙ୍କ ମୃତ୍ୟୁ ଘଟିଥିଲା।

ସେପଟେ ଘଟଣା ବିଷୟରେ ଖବର ପାଇବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ମାମଲାର ତଦନ୍ତ ଆରମ୍ଭ କରିଛି। ମୃତ ସୁନିଲ ୨୨ ବର୍ଷର ଥିଲେ। ଏ ନେଇ ପୋଲିସ କହିଛି କି, ରାତିରେ ୩ ଜଣ ଯୁବକ ତାଙ୍କୁ ଲୁଟିବା ଉଦ୍ଦେଶ୍ୟରେ ଆସିଥିଲେ ଏବଂ ପଇସା ମାଗିଥିଲେ। କିନ୍ତୁ ସୁନିଲ ପଇସା ନ ଦେବାରୁ ସେମାନେ ତାଙ୍କୁ ଛୁରୀ ଭୁସି ଗୁରୁତର କରି ପକାଇଥିଲେ।

ଅପରାଧୀମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି। ଏହାସହ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି। ଖୁବ୍‌ ଜଲଦି ଅପରାଧୀମାନେ ଗିରଫ ହେବେ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.