ଝାରସୁଗୁଡା (କେନ୍ୟୁଜ): ଆଜି ସକାଳୁ ହେମଗିର ଥାନା ଗର୍ଜନବାହାଲ ହାଇସ୍କୁଲ ପଛପଟ କୁସୁମ ଗଛ ତଳୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ହେଲେ ଦୁର୍ଗାପ୍ରସାଦ ଖଣ୍ଡା। ଘର ଝାରସୁଗୁଡା ଜିଲ୍ଲା ବେଲପାହାଡ ନିକଟସ୍ଥ ଗୁମେଡେରା। ଗର୍ଜନବାହାଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ଦୁର୍ଗା ହଷ୍ଟେଲରେ ରହୁଥିଲେ। ଗତକାଲି ରାତିରେ ହଷ୍ଟେଲର ଉପସ୍ଥାନ ପକାଯିବା ବେଳେ ସେ ନଥିବା ଜଣାପଡିଥିଲା। ସ୍କୁଲ କର୍ତ୍ତୃପକ୍ଷ ଖୋଜାଖୋଜି କରିଥିଲେ ବି ପାଇ ନଥିଲେ।
ଆଜି ସକାଳୁ ଛାତ୍ରଙ୍କ ମୃତଦେହ ଗଛତଳେ ପଡିଥିବା କିଛି ଲୋକ ଦେଖି ସ୍କୁଲକୁ ସୂଚନା ଦେଇଥିଲେ। ତେବେ କେଉଁସ୍ଥିତିରେ ଛାତ୍ର ଜଣକ ସେ ସ୍ଥାନକୁ ଗଲେ ଓ ପ୍ରାଣ ହରାଇଲେ ତାହା ଜଣାପଡିନାହିଁ। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ଅସ୍ଵଷ୍ଟ ରହିଥିଲେ ମଧ୍ୟ ମୃତ ଛାତ୍ରଙ୍କ କାକା କହିଛନ୍ତି ଏଠାରେ ଶିକ୍ଷକ ମାନେ ତାକୁ ନିର୍ଯ୍ୟାତନା ଦେଉଥିଲେ ଘରକୁ ଗଲେ ଶିକ୍ଷକ ମାନେ ପିଟୁଥିବା କଥା କହୁଥିଲା ଏବଂ ବର୍ତ୍ତମାନ ତାକୁ ଶିକ୍ଷକ ମାନେ ପିଟି ହତ୍ୟା କରିବା ପରେ ସେଠାରେ ଫୋପାଡିଦେଇଥିବା କହିଛନ୍ତି ।
ତେବେ ଘଟଣାର ତଦନ୍ତ ଚାଲିଥିବାରୁ ପୋଲିସ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ । ତେବେ ମୃତ ଛାତ୍ରଙ୍କ ପରିବାର ବର୍ଗ ଓ କିଛି ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚିବା ପରେ ସେଠାରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଠି ହୋଇଥିଲା ପରେ ହେମଗିର ଥାନା ଅଧିକାରୀ,ହେମଗିର ତହସିଲ ଦାର ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ।