ତାଇୱାନ୍‌ରେ ଆମେରିକା ସଂସଦ ବାଚସ୍ପତି ନାନ୍‌ସୀ, ମଜଭୁତ ହେଉଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ସହ ସମ୍ପର୍କ

ତାଇୱାନ ଗଣତନ୍ତ୍ରକୁ ସୁଦୃଢ଼ କରିଛି ଆମେରିକା ସଂସଦ ବାଚସ୍ପତିଙ୍କ ଗସ୍ତ। ନାନ୍‌ସି ପେଲୋସି ବାସ୍ତବରେ ତାଇୱାନ ପାଇଁ ସମର୍ପିତ ବନ୍ଧୁ। ଆମେରିକା ସଂସଦର ସ୍ପିକର ନାନ୍‌ସି ପେଲୋସି ଓ ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ତାଇୱାନ ରାଷ୍ଟ୍ରପତି। ତାଇୱାନର ମୁକ୍ତ ଗଣତନ୍ତ୍ରକୁ ପେଲୋସି ସମର୍ଥନ ଜଣାଇଛନ୍ତି। ଆମେରିକା ସହ ସମ୍ପର୍କ ପାଇଁ ପ୍ରତିବଦ୍ଧ ଓ ଇଣ୍ଡୋ-ପାସିଫିକ ରିଜିଅନରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସମତି ପ୍ରକାଶ କରିଛନ୍ତି ସାଇ ଇଙ୍ଗ-ୱେନ। ତାଇୱାନ ସବୁବେଳେ ଗଠନମୂଳକ ଆଲୋଚନା ଉପରେ ଜୋର ଦେଇ ଆସିଛି। ନିଜ ବନ୍ଧୁ ରାଷ୍ଟ୍ରଙ୍କ ସହ ସ୍ଥିରତା ଓ ଶାନ୍ତି ରକ୍ଷା ପାଇଁ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତାଇୱାନ ରାଷ୍ଟ୍ରପତି।

ଏ ଅବସରରେ ସାଇ ଇଙ୍ଗ-ୱେନ୍‌ଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ନାନ୍‌ସି ପେଲୋସି। ଗତ ଚାରି ଦଶନ୍ଧି ଧରି ଆମେରିକା ଓ ତାଇୱାନ ମଧ୍ୟରେ ସୁସମ୍ପର୍କ ରହି ଆସିଛି। ତାଇୱାନ ରିଲେସନ ଆକ୍ଟ ଦୁଇ ଦେଶ ମଧ୍ୟରେ ସଂପର୍କକୁ ଆହୁରି ସୁଦୃଢ କରିଛି। ଆମେରିକା ୱାନ ଚାଇନା ନୀତିକୁ ସମ୍ମାନ ଦେଇ ଆସିଛି। ତେବେ ତାଇୱାନ ପ୍ରତି ସମର୍ଥନ ରହିଥିବା କହିଛନ୍ତି ପେଲୋସି।

ଏହି ଦ୍ୱିପାକ୍ଷିକ ଆଲୋଚନା କାଳରେ ଦୁଇ ନେତା ୩ଟି ମୁଖ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏ ଅବସରରେ ସୁରକ୍ଷା, ଅର୍ଥନୀତି ଓ ସୁଶାସନ ନେଇ ଆଲୋଚନା ହୋଇଥିଲା। ତାଇୱାନର ସୁରକ୍ଷା ପ୍ରତି ଆମେରିକା ପ୍ରତିବଦ୍ଧ ବୋଲି କହିଛନ୍ତି ପେଲୋସି। ଖୁବ ଶୀଘ୍ର ଦୁଇ ଦେଶ ମଧ୍ୟରେ ଏକ ବାଣିଜ୍ୟିକ ଚୁକ୍ତି ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। କୋଭିଡ ମୁକାବିଲାରେ ତାଇୱାନର ମୁକାବିଲାକୁ ନାନସି ପେଲୋସି ପ୍ରଶଂସା କରିଛନ୍ତି।

ଏସୀୟ ରାଷ୍ଟ୍ର ଗସ୍ତରେ ଥିବା ଆମେରିକା ସଂସଦ ବାଚସ୍ପତି ୨୪ଘଣ୍ଟାରୁ କମ୍‌ ସମୟ ତାଇପେଇରେ ବିତାଇଛନ୍ତି। ସପ୍ତାହେ ଧରି ତାଙ୍କ ତାଇୱାନ ଗସ୍ତକୁ ନେଇ ସସ୍‌ପେନ୍‌ସ ଲାଗି ରହିଥିଲା। ଚୀନର କଡ଼ା ବିରୋଧ ସତ୍ତ୍ୱେ ଗତକାଲି ରାତିରେ ସେ ତାଇପେଇରେ ପହଞ୍ଚିଥିଲେ। ୨୫ ବର୍ଷ ପରେ ଆମେରିକା ସଂସଦର କୌଣସି ବରିଷ୍ଠ ଅଧିକାରୀ ତାଇୱାନ ଗସ୍ତ କରିବାରେ ପେଲୋସୀ ପ୍ରଥମ। ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ସାରିବା ପରେ ତାଇୱାନରୁ ଫେରିଯାଇଥିବା ଜଣାଯାଇଛି।

Also Read: ଅଚାନକ କୋଟିପତି ବନିଗଲେ ଦିନ ମଜୁରିଆ, ଖାତାକୁ ଆସିଲା ୨୭୦୦ କୋଟି ଟଙ୍କା; କିନ୍ତୁ ତା’ପରେ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.