ଆସୁଛି ଚୀନ୍ ଗୁଇନ୍ଦା ଜାହାଜ, ଶ୍ରୀଲଙ୍କା ହମ୍ବନତୋଟା ବନ୍ଦରରେ ଲାଗିବ
ନୂଆଦିଲ୍ଳୀ : ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ଲାଗିବ ଚୀନ୍ର ଗୁଇନ୍ଦା ଜାହାଜ । ସବୁଜ ସଂକେତ ଦେଲା ଶ୍ରୀଲଙ୍କା। ଭାରତ ଚିନ୍ତା ପ୍ରକଟ କରିବା ସତ୍ତ୍ୱେ ଏହି ବିବାଦୀୟ ଜାହାଜକୁ ଅନୁମତି ଦେଇଛି ଶ୍ରୀଲଙ୍କା। ଭାରତର ସାମରିକ କାର୍ଯ୍ୟକଳାପ ଉପରେ ଚୀନ୍ର ଏହି ଜାହାଜ ଗୁଇନ୍ଦାଗିରି କରିବା ଆଶଂକା କରାଯାଉଛି।
ଚୀନ୍ର ଏହି ଜାହଜା ଓ୍ଵାନ୍ ଓ୍ଵାଙ୍ଗ୍ ଫାଇଭ୍କୁ ଗବେଷଣା ଏବଂ ସର୍ଭେ ଜାହାଜ ଭାବେ ମାନ୍ୟତା ମିଳିଛି। କିନ୍ତୁ ପ୍ରକୃତରେ ଏହା ଗୁଇନ୍ଦାଗିରି କରୁଥିବା କୁହାଯାଉଛି। ଚୀନ୍ ର ଏହି ଜାହାଜକୁ ନେଇ ବେଜିଂ ଉପରେ ସଂଦେହ ପ୍ରକାଶ କରିଛି ଭାରତ । ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ଅଗଷ୍ଟ ୧୧ରେ ଲାଗିଥାନ୍ତା ଓ୍ଵାନ୍ ଓ୍ଵାଙ୍ଗ । କିନ୍ତୁ ଭାରତର ଆପତ୍ତି ପରେ ଜାହାଜ ପଠାଇବାକୁ ମନା କରିଥିଲା କଲମ୍ବୋ। ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଥିଲ। ଜାହାଜକୁ ପୁଣି ଅନୁମତି ମିଳିଛି ।
ଆସନ୍ତା ୧୬ରେ ଶ୍ରୀଲଙ୍କା ବନ୍ଦରରେ ପହଂଚିବ ବୋଲି ଚୀନ୍ ସୂତ୍ରରୁ ଜଣାପଡ଼ିଛି। ଜାହାଜକୁ ଅନୁମତି ନଦେବାକୁ ଶ୍ରୀଲଙ୍କା ଉପରେ ଭାରତ ଚାପ ପକାଇଥିବା ବେଜିଂ ଅଭିଯୋଗ କରିଥିଲା। ତେବେ ଭାରତ ଏହାକୁ ଖଣ୍ଡନ କରିଥିଲା । ତେବେ ଭାରତ ନିଜର ସୁରକ୍ଷାକୁ ନେଇ ନିଷ୍ପତ୍ତି ନେବ ବୋଲି ଗତକାଲି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚୀ କହିଥିଲେ।