କେନ୍ୟୁଜ୍(ବ୍ୟୁରୋ): ଆସୁଛି ଆଉ ଏକ ଲଘୁଚାପ। ୧୯ ଅଗଷ୍ଟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସେପଟେ ଗତ ୬ଘଣ୍ଟାରେ ଅବପାତଟି ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ପାଖାପାଖି ଘଣ୍ଟା ପ୍ରତି ୨୫କିମି ବେଗରେ ଗତି କରିଛି । ଉତ୍ତର ଛତିଶଗଡ ପାର୍ଶ୍ୱବର୍ତ୍ତୀ ପୂର୍ବ ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ରହିଛି।ଏହି ଅବପାତ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟର ଅଧିକାଂଶ ମଧ୍ୟମ ଧରଣର ବର୍ଷା ଓ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ୭ଟି ସ୍ଥାନରେ ଅତ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି । ୪୩ ସ୍ଥାନରେ ଅତି ପ୍ରବଳ ୫୬ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ବର୍ଷା କଳାହାଣ୍ଡି ଜିଲ୍ଲାରେ ଥିରାମପୁରା ଠାରେ ୩୬୮ ମିମି ବର୍ଷା ଓ କୋରାପୁଟ କୋଟପାଡ଼ ଥରେ ୨୯୩ ମିମି ବର୍ଷା ରେକର୍ଡ କରାଯାଇଛି ।
ଗତ ୨୪ଘଣ୍ଟା ମଧ୍ୟରେ ସ୍ୱାଭାବିକ ବର୍ଷା ୧୨.୩ ମିମି ତୁଳନାରେ ରାଜ୍ୟରେ ୬୮.୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ତୁଳନାରେ ପାଖାପାଖି ୪୫୫ ପ୍ରତିଶତ ଅଧିକ ରହିଛି l ବର୍ଷା ପ୍ରଭାବରେ କିଛି ଅଞ୍ଚଳରେ ପ୍ରାୟ ନଦୀର ଜଳସ୍ତର ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ହେଉଛି। ବର୍ତ୍ତମାନ ମଧ୍ୟ ଅବପାତ ପ୍ରଭାବରେ ସମୁଦ୍ରରେ ୪୦ କୁ ୫୦ କିମି ଓ ସର୍ବାଧିକ ୬୦ କିମି ପର୍ଯ୍ୟନ୍ତ ପବନ ରହୁଛି l ଆଗାମୀ ୨୪ଘଣ୍ଟା ପାଇଁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସଜୀବିଙ୍କୁ ବାରଣ କରାଯାଇଛି। ତା ସହିତ ବନ୍ଦର ଗୁଡିକ ପାଇଁ ଜାରି ରହିଥିବା ୩ନମ୍ବର ବିପଦ ସଂକେତ ଜାରି ରହିଛି। ଆଜି ପଶ୍ଚିମ ଓଡିଶାର ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା ପ୍ରବଳ ବର୍ଷା ନେଇ ଏହି ପଞ୍ଚ ଜିଲ୍ଲାକୁ ଏଲୋ ୱାନିଙ୍ଗ ଜାରିକରାଯାଇଛି।
ସେପଟେ ଆସନ୍ତାକାଲି ବର୍ଷାର ପରିମାଣ କମିବାର ସମ୍ଭାବନା ରହୁଥିବା ବେଳେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣ ର ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ୧୭ ତାରିଖ ବେଳକୁ ଉପକୂଳ ଓଡିଶାରେ ବର୍ଷାର ପରିମାଣ ବଢିବ ଓ ୧୮ ତାରିଖରେ ୧୯ ଜିଲ୍ଲାରେ ପ୍ରବଳ ବର୍ଷା ହେବା ର ସମ୍ଭାବନା ରହିଛି। ଅର୍ଥାତ ଉପକୂଳ ଓଡିଶା ସମେତ ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର,କୋରାପୁଟ, ବଲାଙ୍ଗୀର, କନ୍ଧମାଳ, ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ ଆଦି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି l
୧୯ ତାରିଖ ବେଳକୁ ଅଭ୍ୟନ୍ତରୀଣ ଓଡିଶାର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର,ସମ୍ବଲପୁର, ବରଗଡ଼, ଝାରସୁଗୁଡା ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଏଲୋ ୱାନିଙ୍ଗ ଜାରି କରାଯାଇଛି। ବିଶେଷ କରି ୧୮ ଏବଂ ୧୯ ତାରିଖ ରେ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ସେପଟେ ଲଘୁଚାପ ସୃଷ୍ଟି ପାଇଁ ମୌସୁମୀ ସକ୍ରିୟ ରହିଛି ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି। ସେପଟେ ଆଜି ଟୁଇନସିଟିରେ ହାଲୁକା ବର୍ଷାର ସମ୍ଭାବନା ରହିଛି ।