ଫିନ୍ଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ପାର୍ଟିର ଭିଡିଓ ଲିକ୍; ମଦ ଓ ଡ୍ରଗ୍ସ ଖାଇ ଡ୍ୟାନ୍ସ କରିଥିବା ଅଭିଯୋଗ! ଜାଣନ୍ତୁ ଏ ସମ୍ପର୍କରେ କ’ଣ କହିଲେ ସନା ମରିନ୍
ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସନା ମରିନ୍ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଥିରେ ପିଏମ୍ ମଦ ପିଇ ନିଜ ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଏହାକୁ ନେଇ ବିରୋଧୀ ନେତାମାନେ ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସନା ମରିନ୍ ପାର୍ଟିରେ ଡ୍ରଗ୍ସ ନେଇଛନ୍ତି। ତେଣୁ ତାଙ୍କର ଡ୍ରଗ୍ସ ଟେଷ୍ଟ୍ କରାଯାଉ। କିନ୍ତୁ ପିଏମ୍ ମରିନ୍ ଏହି ଅଭିଯୋଗକୁ ଖଣ୍ଡନ କରି ନିଜ ବୟାନରେ କହିଛନ୍ତି, ପାର୍ଟିରେ ସେ କେବଳ ମଦ୍ୟପାନ କରିଥିଲେ।
ମରିନ୍ଙ୍କ କହିବା ହେଲା, ଡ୍ରଗ୍ସ ନେବା କଥା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମନଗଢ଼ା। ସେ ଡ୍ରଗ୍ସ ଟେଷ୍ଟ କରାଇବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଥିଲେ ଯେ ‘ମୁଁ ନିଜ ସାଙ୍ଗମାନଙ୍କ ସହିତ ଥିଲି। ଆମେ ପାର୍ଟି କରିଥିଲୁ। ମୁଁ ଗୀତ ଗାଇଥିଲି ଏବଂ ଡ୍ୟାନ୍ସ ମଧ୍ୟ କରିଥିଲି। ମୁଁ ଆଦୌ ଡ୍ରଗ୍ସ ନେଇନାହିଁ। ମୋ ପାଖରେ ଲୁଚାଇବା ପାଇଁ କିଛି ନାହିଁ। ଏହା ପ୍ରାଇଭେଟ୍ ଭିଡିଓ ଥିଲା। ଏହାକୁ ଏମିତି ଭାବେ ପବ୍ଲିକ୍ କରାଯିବାର ଉଚିତ୍ ନ ଥିଲା’।
ଏହି ଭିଡିଓକୁ ପ୍ରଥମେ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିଲା। ପରେ ଭିଡିଓଟି ଭାଇରାଲ ହୋଇଥିଲା। ଲୋକମାନେ ଏଥିରେ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କିଛି ଜଣ ଏହାକୁ ନର୍ମାଲ ବୋଲି କହିଥିବା ବେଳେ ଆଉ କିଛି ଜଣ କହିଛନ୍ତି କି, ‘ସନା ମରିନ୍ ପ୍ରଧାନମନ୍ତ୍ରୀ ପଦର ମର୍ଯ୍ୟାଦା ରଖି ନାହାନ୍ତି’।
ଜଣେ ୟୁଜର ତାଙ୍କ ସମର୍ଥନରେ କହିଥିଲେ, ‘କାମ ପରେ ସେ କାହିଁକି ପାର୍ଟି କରିପାରିବେ ନାହିଁ? କ’ଣ ସେ ମଣିଷ ନୁହେଁ’? ଆଉ ଜଣେ ଲେଖିଥିଲେ, ‘କୌଣସି ପ୍ରଧାନମନ୍ତ୍ରୀଙ୍କ ଏମିତି ବ୍ୟବହାର କ’ଣ ସ୍ୱୀକାର୍ଯ୍ୟ କି? ମୋତେ ଲାଗୁଛି ନା’। କହି ରଖୁଛୁ, ୨୦୨୧, କରୋନା କାଳରେ ବି ମରିନ୍ ପାର୍ଟି କରୁଥିବାର ନଜର ଆସିଥିଲେ। ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା।