କିଡ୍ନୀ ରୋଗରେ ଘାଣ୍ଟି ହେଉଛନ୍ତି ଲାଲୁ ପ୍ରସାଦ ଯାଦବ; ଚିକିତ୍ସା ପାଇଁ ଯିବେ ସିଙ୍ଗାପୁର; ଅନୁମତି ଦେଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ
ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗମ୍ଭୀର କିଡ୍ନୀ ରୋଗରେ ପୀଡ଼ିତ। ବର୍ତ୍ତମାନ ସେ ନିଜର ଚିକିତ୍ସା ପାଇଁ ସିଙ୍ଗାପୁର ଯିବେ। ଦୀର୍ଘ ଦିନରୁ ଅସୁସ୍ଥ ଥିବା ଲାଲୁଙ୍କ ଚିକିତ୍ସା ପାଇଁ କୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି, ଫଳରେ ତାଙ୍କ ବିଦେଶ ଯିବା ରାସ୍ତା ସଫା ହୋଇଯାଇଛି। ଲାଲୁଙ୍କ ଓକିଲ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ତାଙ୍କ ପାସ୍ପୋର୍ଟ ରିଲିଜ୍ ନେଇ ଅପିଲ କରିଥିଲେ, ଯାହାକୁ କୋର୍ଟ ଅନୁମତି ଦେଇଛନ୍ତି।
ଲାଲୁଙ୍କ ଓକିଲ ଅନନ୍ତ ଭିଜ୍ ସେପ୍ଟେମ୍ବର ୧୩ରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ପାସ୍ପୋର୍ଟ ରିଲିଜ୍ ନେଇ ପିଟିସନ ଦାଖଲ କରିଥିଲେ। କୋର୍ଟ ଏହି ପିଟିସନ ଉପରେ ଆପତ୍ତି ଉଠାଇବାକୁ କିମ୍ବା ସପ୍ଲିମେଣ୍ଟାରୀ ଫାଇଲ୍ ପାଇଁ ୩ ଦିନର ସମୟ ମାଗିଥିଲେ। ସେପ୍ଟେମ୍ବର ୧୬ରେ ପିଟିସନ ଶୁଣାଣି ସମୟରେ ସିବିଆଇ ଏହା ବିରୋଧରେ ମୌଖିକ ଆପତ୍ତି ଉଠାଇଥିଲା। କିନ୍ତୁ ସ୍ୱତନ୍ତ୍ର କୋର୍ଟ ଏହାକୁ ଖାରଜ କରି ଲାଲୁ ପ୍ରସାଦଙ୍କ ପାସ୍ପୋର୍ଟକୁ ରିଲିଜ୍ କରିଥିଲେ।
୨୪ ସେପ୍ଟେମ୍ବରରେ ସିଙ୍ଗାପୁରରେ ଆପୋଏଣ୍ଟମେଣ୍ଟ
ଲାଲୁ ପ୍ରସାଦ ଯାଦବଙ୍କ ଓକିଲ ଅନନ୍ତ ଭିଜ୍ ଗଣମାଧ୍ୟମ ସହ ସ୍ୱତନ୍ତ୍ର ବାର୍ତ୍ତାଳାପରେ କହିଛନ୍ତି ଯେ ସିଙ୍ଗାପୁରରେ ଡାକ୍ତରଙ୍କ ସହ ଲାଲୁଙ୍କର ୨୪ ସେପ୍ଟେମ୍ବରରେ ଆପୋଏଣ୍ଟମେଣ୍ଟ ରହିଛି। ସେ ଏବଂ ତାଙ୍କ ପରିବାର କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ଉପରେ ଗମ୍ଭୀରତାର ସହ ବିଚାର କରୁଛନ୍ତି। ଯଦି ୨୪ ତାରିଖରେ ଲାଲୁ ଯାଦବଙ୍କୁ ଡାକ୍ତରଙ୍କୁ ଭେଟିବାର ଆପୋଏମେଣ୍ଟ ଅଛି, ତା’ ହେଲେ ୨୨ ତାରିଖ ସୁଦ୍ଧା ତାଙ୍କୁ ସିଙ୍ଗାପୁର ବାହାରିବାକୁ ପଡ଼ିବ, ଯଦ୍ଦ୍ଵାରା ସେ ଠିକ୍ ସମୟରେ ଡାକ୍ତରଙ୍କୁ ଭେଟି ପାରିବେ।
କହି ରଖୁଛୁ, ଲାଲୁ ଯାଦବ ଦୀର୍ଘ ଦିନରୁ କିଡ୍ନୀ ସମ୍ବନ୍ଧୀୟ ରୋଗରେ ଜୁଝି ହେଉଛନ୍ତି। ଏଥି ସହିତ ତାଙ୍କୁ ଡାଇବେଟିସ୍, ବ୍ଲଡ୍ ପ୍ରେସର, ହାର୍ଟ, କିଡ୍ନୀରେ ଷ୍ଟୋନ୍, ଚିନ୍ତା, ଥାଲାସେମିଆ, ପ୍ରୋଷ୍ଟେଟ୍ ବୃଦ୍ଧି, ୟୁରିକ୍ ଏସିଡ୍ ବୃଦ୍ଧି, ବ୍ରେନ୍ ସମ୍ବନ୍ଧୀୟ ରୋଗ, ଦୁର୍ବଳ ଇମ୍ୟୁନିଟି ଆଦି ଘେରି ରହିଛି। ଏତିକି ନୁହେଁ, ଲାଲୁଙ୍କ ଡାହାଣ କାନ୍ଧ ହାଡ଼ରେ ସମସ୍ୟା ଥିବା ସହିତ ତାଙ୍କ ଗୋଡ଼ ହାଡ଼ ଏବଂ ଆଖିରେ ମଧ୍ୟ ସମସ୍ୟା ରହିଛି। ହେଲେ ଲାଲୁଙ୍କର ସବୁଠାରୁ ବଡ଼ ସମସ୍ୟା ହେଉଛି କିଡ୍ନୀ। ଲାଲୁଙ୍କ କିଡ୍ନୀ ଲେବଲ୍ ଫୋର୍ରେ ଅଛି ଅର୍ଥାତ୍ ଲାଷ୍ଟ୍ ଷ୍ଟେଜ୍, ଯାହାକି ମାତ୍ର ୨୦ରୁ ୨୫ ପ୍ରତିଶତ ହିଁ କାମ କରିଥାଏ। ଏମିତିରେ ତାଙ୍କ ପରିବାର ଲୋକେ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟର ବିକଳ୍ପ ଉପରେ ଗମ୍ଭୀରତାର ସହ ବିଚାର କରୁଛନ୍ତି।
କହି ରଖୁଛୁ, କିଛି ମାସ ତଳେ ଲାଲୁ ଯାଦବ ସିଡ଼ିରୁ ଖସି ପଡ଼ିବା ଫଳରେ ତାଙ୍କ କାନ୍ଧ ଫ୍ରାକ୍ଚର ହୋଇଥିଲା। ତାଙ୍କୁ ବେହୋସ୍ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଥିଲା କି, ଲାଲୁ ପ୍ରସାଦଙ୍କ ପିଠିରେ ବି ଗୁରୁତର ଆଘାତ ଲାଗିଛି। ସେ ପାଟନାରେ ସ୍ତ୍ରୀ ରାବଡ଼ି ଦେବୀଙ୍କ ବାସଭବନରେ ଥିବାବେଳେ ସେହିଠାରେ ହିଁ ସେ ସିଡ଼ିରୁ ଖସି ପଡ଼ିଥିଲେ। ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଏ ନେଇ ସୂଚନା ଦେଇଥିଲେ।