ଭୁବନେଶ୍ବର(କେନ୍ୟୁଜ୍): ଝିଅର ଅଶ୍ଳୀଳ ଫଟୋ ପଠାଇ ବାପାକୁ ବ୍ଲାକମେଲ୍। ଏଭଳି ଏକ ଅଭିଯୋଗକୁ ଆଧାର କରି ନୂଆପଲ୍ଲୀ ଥାନା ପୋଲିସ୍ ଜଣେ ଯୁବକକୁ ହାଇଦ୍ରାବାଦରୁ ଗିରଫ କରିଛି। ସାଙ୍ଗ ହୋଇ ଏକାଠି ଚାକିରି କରୁଥିଲେ। ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ। ହେଲେ ସୁଯୋଗ ନେଇ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ରେକର୍ଡିଂ କରିଥିଲା ଯୁବକ ଜଣକ। ଆଉ ଏବେ ଟଙ୍କା ପାଇଁ ଯୁବତୀଙ୍କୁ ଓ ତାଙ୍କ ବାପାଙ୍କୁ ବ୍ଲାକମେଲ୍ କରୁଛି ଧୋକେବାଜ୍ ପ୍ରେମିକ। ତେବେ ଉକ୍ତ ଯୁବକ ଜଣକ ଯାଜପୁର ମଙ୍ଗଳପୁରର ଆଶିଷ କର। ହାଇଦ୍ରାବାଦ କୋର୍ଟରେ ଆଶିଷକୁ ହାଜର କରାଯିବା ପରେ ଟ୍ରାନ୍ଜିଟ୍ ରିମାଣ୍ଡରେ ତାକୁ ଭୁବନେଶ୍ବର ଆଣିଛି ପୋଲିସ୍। ତା’ ନିକଟରୁ ୨ଟି ମୋବାଇଲ୍ ଜବତ ହୋଇଛି।
ସୂଚନାନୁସାରେ, ନୂଆପଲ୍ଲୀ ତ୍ରିନାଥନଗର ବସ୍ତିରେ ଅଭିଯୋଗକାରୀ ତ୍ରିଲୋଚନ ରୁହନ୍ତି। ତାଙ୍କ ସାନଭାଇ ପାଖରେ ତାଙ୍କ ଝିଅ ଓ ଅଭିଯୁକ୍ତ ଆଶିଷ ଚାକିରି କରୁଥିଲେ। ଚାକିରି କରିବା ସମୟରେ ଆଶିଷ ସହ ଝିଅର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। କିନ୍ତୁ ଆଶିଷର ଉଦ୍ଦେଶ୍ୟ ଅଲଗା ଥିଲା। ସୁଯୋଗ ଦେଖି ସେ ଯୁବତୀଙ୍କର ଏକ ଅଶ୍ଳୀଳ ଭିଡିଓ କରିନେଇଥିଲା ଓ ପରେ ତାକୁ ନେଇ ଯୁବତୀଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲା।