Below header

ମହାରାଷ୍ଟ୍ର ନାସିକର ସୁଉଚ୍ଚ ପାହାଡ଼ ଉପରେ ରୁହନ୍ତି ଦେବୀ ସପ୍ତଶୃଙ୍ଗୀ, ମାଆଙ୍କ ପାଖକୁ ଯିବାକୁ ହେଲେ ଚଢ଼ିବାକୁ ପଡ଼େ ୫୦୦ ପାହାଚ

ମହାରାଷ୍ଟ୍ରର ନାସିକ ସହରରୁ ୭୦ କିଲୋମିଟର ଦୂରରେ ଅବସ୍ଥିତ ଦେବୀ ସପ୍ତଶୃଙ୍ଗୀଙ୍କ ପ୍ରସିଦ୍ଧ ଶକ୍ତି ପୀଠ। ପୁରାଣ ଅନୁଯାୟୀ ଶୁମ୍ଭ ନିଶୁମ୍ଭ ଦୁଇ ଅସୁରଙ୍କ ବିନାଶ କରିବା ପରେ ମାଆ ଏଠାରେ ତ୍ରିଗୁଣାତ୍ମକ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀଙ୍କ ଓମକାର ରୂପ ଧାରଣ କରି ସପ୍ତଶୃଙ୍ଗୀ ପର୍ବତ ଉପରେ ବିରାଜିତ ହୋଇଛନ୍ତି। ସପ୍ତଶୃଙ୍ଗୀ ନିବାସିନୀଙ୍କ ଏହି ସ୍ଥାନ ସମଗ୍ର ଭାରତରେ ଆଦିମାୟାଙ୍କ ମୂଳ ପୀଠ। ଶାସ୍ତ୍ର ଅନୁଯାୟୀ, ଦେବୀ ମାଆଙ୍କ ଏହି ମନ୍ଦିର ଋଷି ମାର୍କଣ୍ଡେୟଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ଆପଣ ଏବେ ଭାବି ପାରୁଥିବେ ଏହି ମନ୍ଦିର କେତେ ପ୍ରାଚୀନ କାଳରୁ ସ୍ଥାପିତ ହୋଇଛି ।

ଦେବୀ ସପ୍ତଶୃଙ୍ଗୀଙ୍କ ପୀଠ ମହାରାଷ୍ଟ୍ର ନାସିକ ଠାରୁ ୬୦ କିଲୋମିଟର ଦୂର କଲଓ୍ଵାନର ନାନ୍ଦୁରୀ ଠାରେ ରହିଛି । ସେଠାକାର ମରାଠା ଓ ଭିଲ୍‌ ଜାତିର କିଛି ଲୋକ ଦେବୀଙ୍କୁ ପୂଜା କରୁଥିଲେ । ମା ସତୀଙ୍କ ଡାହାଣ ବାହୁ ଏଠାରେ ପଡ଼ିଥିବା ଯୋଗୁଁ ଏହା ୫୧ଟି ଶକ୍ତିପୀଠରୁ ଅନ୍ୟତମ ବୋଲି କୁହାଯାଏ । ଏଠାରେ ଚୈତ୍ର ଦୁର୍ଗାପୂଜା ଏବଂ ରାମନବମୀରେ ବଡ଼ ପୂଜାର ଆୟୋଜନ କରାଯାଏ । ଚୈତ୍ର ପୂର୍ଣ୍ଣିମା ହେଉଛି ଉତ୍ସବର ସବୁଠାରୁ ବଡ଼ ଦିନ ବୋଲି ଧରାଯାଏ । ସେହିପରି ମା’ଙ୍କ ନିକଟରେ ଦଶହରା ଏବଂ ନବରାତ୍ରୀ ମଧ୍ୟ ଯାକଜମକରେ ପାଳନ କରାଯାଏ ।

ମନ୍ଦିରଟି ପାହାଡର ଶିଖରରେ ରହିଛି। ମନ୍ଦିରକୁ ଯିବା ପାଇଁ ହେଲେ ଆପଣଙ୍କୁ ୫୦୦ ପାହାଚ ଚଢ଼ିବାକୁ ପଡ଼ିବ କିମ୍ବା ରୋପେଓ୍ଵ ମାଧ୍ୟମରେ ଯାଇ ପାରିବେ। ଏହାର ଟିକେଟ ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ ହୋଇ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଏହା ଦୁନିଆର ପ୍ରଥମ ରୋପେଓ୍ଵ ଯାହାର ଡିଜାଇନ ଟ୍ରଲି ବ୍ୟାଗ ଭଳି ହୋଇଛି। ଏହାରି ମଧ୍ୟରେ ବସି ମାତ୍ର ୩ ମିନିଟ ମଧ୍ୟରେ ଭକ୍ତ ପାହାଡ ଉପରକୁ ଯାଇଥାନ୍ତି ମାଆଙ୍କ ଦର୍ଶନ ପାଇଁ। କେବଳ ଏତିକି ନୁହେଁ ବରଂ ସପ୍ତଶୃଙ୍ଗୀ ଟ୍ରଷ୍ଟ ଦ୍ୱାରା ଏଠାରେ ଦିବ୍ୟାଙ୍ଗ ଓ ବୃଦ୍ଧ ଲୋକଙ୍କ ପାଇଁ ଲିଫ୍ଟର ବ୍ୟବସ୍ଥା କରାଯାଇଛି।

ମାଆଙ୍କ ଏହି ମନ୍ଦିରରେ ରହିଛି ୧୦୮ଟି ପାଣିକୁଣ୍ଡ । ଯାହା ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଥାଏ। ଛୋଟ ବଡ଼ ମିଶି ଏଠାରେ ମୋଟ ୭ଟି ପାହାଡ଼ ରହିଛି। ତେଣୁ ଏଠାରେ ବିରାଜିତ ଦେବୀ ମାଆ ସପ୍ତଶୃଙ୍ଗୀ ନାମରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି। ୭ଟି ପାହାଡ଼ ମାଆଙ୍କ ଏହି ମନ୍ଦିରକୁ ଆହୁରି ସୁନ୍ଦର କରିଥାଏ। ଏଠାରେ ୩ଟି ମୁଖ୍ୟ ଦ୍ୱାର ରହିଛି। ପ୍ରଥମରେ ଶକ୍ତିଦ୍ୱାର , ଦ୍ୱିତୀୟରେ ସୂର୍ଯ୍ୟ ଦ୍ୱାରା ଓ ଶେଷରେ ଚନ୍ଦ୍ରମା ଦ୍ୱାର। ଏହି ୩ଟି ଦ୍ୱାରରୁ ମାଆଙ୍କ ପ୍ରତିମାକୁ ଦର୍ଶନ କରିଥାନ୍ତି ଭକ୍ତ।

ତେବେ ମାଆଙ୍କ ଏହି ଭବ୍ୟ ପ୍ରତିମାର ଉଚ୍ଚତା ୮ ଫୁଟ ରହିଛି। ମାଆ ଏଠାରେ ୧୮ ଭୁଜାରେ ପୂଜା ପାଉଛନ୍ତି। ୧୮ ଭୁଜାରେ ଦର୍ଶନ ଦେଉଥିବା ମାଆଙ୍କ ଏହି ଭବ୍ୟ ସ୍ୱରୂପକୁ ଦେଖିବା ପାଇଁ ବିଶେଷ କରି ଚୈତ୍ରମାସ ଓ ନବରାତ୍ରୀ ସମୟରେ ଭକ୍ତଙ୍କ ଭିଡ଼ ଏଠାରେ ଅନେକ ମାତ୍ରାରେ ହୋଇଥାଏ। ଭକ୍ତଙ୍କ ପାଇଁ ଏଠାରେ ବିଶେଷ ଉତ୍ସବର ଆୟୋଜନ କରାଯାଇଥାଏ । ମନ୍ଦରଟି ଏତେ ଉଚ୍ଚତାରେ ଥାଇ ମଧ୍ୟ ମାଆଙ୍କ ଦିବ୍ୟ ସ୍ୱରୂପ ଭକ୍ତଙ୍କୁ ଟାଣି ଆଣେ ମାଆଙ୍କ ଦର୍ଶନ ପାଇଁ। ଗଡ଼ ଉପରକୁ ଯିବା ପାଇଁ ୩ଟି ମାର୍ଗ ରହିଛି। ଉପରକୁ ଯିବା ଲାଗି ଭକ୍ତଙ୍କୁ ଅନେକ କଷ୍ଟ କରିବାକୁ ପଡିଥାଏ। କିନ୍ତୁ ଭକ୍ତ ନିଜ ଦୁଃଖ ଜଣାଇବା ପାଇଁ ସବୁ କଷ୍ଟକୁ ସହିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.