ଦଶମ ଶ୍ରେଣୀର ଛାତ୍ରୀ କ୍ରିଷ୍ଣାଙ୍କ ମୁହଁରେ ଅନର୍ଗଳ ଗୀତା, ପାଇଲେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ

ପୁରୀ(କେନ୍ୟୁଜ୍):  ଦଶମ ଶ୍ରେଣୀର ଛାତ୍ରୀ । କଣ୍ଠରୁ ଅନର୍ଗଳ ଝରୁଛି ସଂସ୍କୃତ ଓ ଶ୍ଲେକର ଛନ୍ଦ । ଯେଉଁ ଶ୍ଲୋକକୁ ବଡ଼ ବଡ଼ ପଣ୍ଡିତ ମନେ ରଖିବା କଷ୍ଟକର ସେହି ଶ୍ଲୋକ ଗୁଡ଼ିକୁ ଅତି ପ୍ରାଞ୍ଜଳ ଭାବେ ଗାଇ ପାରୁଛନ୍ତି ଏହି ଝିଅଟି। ସତେ ଯେମିତି ମା ସରସ୍ବତୀଙ୍କ ବରଦାନ ମିଳିଛି। ସେଥିପାଇଁତ  ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ପୁରୀର ଝିଅ କ୍ରିଷ୍ଣା କିରଣ ଦୀକ୍ଷିତ । ପୁରୀ ଦତ୍ତତୋଟା ଅଞ୍ଚଳର ପ୍ରଦୀପ୍ତ ଦୀକ୍ଷିତ ଓ ଜ୍ୟୋତ୍ସ୍ନା ଦୀକ୍ଷିତଙ୍କ ଝିଅ ହେଉଛନ୍ତି କ୍ରିଷ୍ଣା କିରଣ। ସେ ୩ ମିନିଟ ୫୩ ସେକେଣ୍ଡ ମଧ୍ୟରେ ପ୍ରଥମ ଅଧ୍ୟାୟ ଗୀତାର ୪୭ଟି ଶ୍ଳୋକ ଆବୃତ୍ତି କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

ଗୀତା ପାଠରେ କ୍ରିଷ୍ଣା ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଛନ୍ତି।ଗୀତା ଆବୃତ୍ତିରେ ସେ ଅନ୍ତର୍ଜାତୀୟ ସ୍ତରରେ ରାଙ୍କ ୪ ହାସଲ କରିଛନ୍ତି।ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ସେ ୩ ଥର ପୁରସ୍କୃତ ହୋଇଛନ୍ତି। ବେଙ୍ଗାଲୁରୁ ଓ ଦୁବାଇ ଇସ୍କନ ପକ୍ଷରୁ ମଧ୍ୟ ତାଙ୍କୁ ପୁରସ୍କୃତ କରାଯାଇଛି।ବିଭିନ୍ନ ରିଆଲଟି ସୋରେ କ୍ରିଷ୍ଣା ନିଜ ପ୍ରତିଭା ପ୍ରଦର୍ଶନ କରି ପୁରୀ ପାଇଁ ଗର୍ବ ଆଣିପାରିଛନ୍ତି।ଗୀତା ପାଠ ବ୍ୟତୀତ ଜଣେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଭାବେ ମଧ୍ୟ ତାଙ୍କର ଖ୍ୟାତି ରହିଛି।ଏହାଛଡା ସେ ଜଣେ ବେତାର ଶିଳ୍ପୀ।ଅନେକ ପ୍ରଚ୍ଛଦପଟ ଗୀତରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି। କ୍ରିଷ୍ଣା ଆଗାମୀ ଦିନରେ ଏମିତି ସଫଳତାର ପାହଚ ଚଢି ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣନ୍ତୁ ବୋଲି ପରିବାର ଲୋକେ  ଆଶୀର୍ବାଦ କରିଛନ୍ତି।

 

 

 

Leave A Reply

Your email address will not be published.