ଭୁବନେଶ୍ବର : ଚେକ୍ ଜାଲିଆତି ଅଭିଯୋଗରେ ଗିରଫ ଗୋଲଡେନ ବାବା ଓରଫ୍ ଜ୍ୟୋତିରଞ୍ଜନ ବେଉରାଙ୍କ ବଢୁଛି ଅଡୁଆ । ତାଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗର ତାଲିକା ବି ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ଗୋଲଡେନ୍ ବାବାଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ରୁଜୁ ହେଲାଣି ୭ ରୁ ଅଧିକ ଠକେଇ ମାମଲା । କାହାକୁ ଜମି ତ ଆଉ କାହାକୁ ଫ୍ଲାଟ୍ ଦେବାକୁ କହି ଅଗ୍ରୀମ ଟଙ୍କା ନେଇଛନ୍ତି । ଠକେଇ ମାମଲା ବଢୁଥିବା ବେଳେ ଖୋଳତାଡ ଜାରି ରଖିଛି ପୋଲିସ । ଆବଶ୍ୟକ ପଡ଼ିଲେ ଗୋଲଡେନ୍ ବାବାଙ୍କୁ ପୋଲିସ ରିମାଣ୍ଡରେ ଆଣିପାରେ ବୋଲି ସୂଚନା ମିଳିଛି । ଅଭିଯୋଗ ଅନୁସାରେ, କେନ୍ଦୁଝର ବଡବିଲର ଜଣେ ବ୍ୟବସାୟୀଙ୍କୁ ୧୧୦କୋଟିର ଫାଇନାନ୍ସ କରାଇ ଦେବାକୁ କହି ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କର ଚେକ୍ ପ୍ରଦାନ କରିଥିଲେ ଗୋଲଡେନ୍ ବାବା । ପରେ ଜଣାପଡିଥିଲା ଚେକ୍ଟି ଜାଲିଆତି ହୋଇଛି । ଥାନାରେ ଅଭିଯୋଗ ପରେ ଗତକାଲି ତାଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ସେପଟେ ଗୋଲଡେନ୍ ବାବାଙ୍କ ରାଜନୈତିକ ଲିଙ୍କ୍ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।