ଅଭିନେତ୍ରୀ ରାକୁଲ ପ୍ରୀତ ସିଂଙ୍କୁ EDର ସମନ; ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ବଢ଼ିପାରେ ଅଡ଼ୁଆ
ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂଙ୍କ ଅଡ଼ୁଆ ବଢ଼ିପାରେ। ଇଡି ତାଙ୍କୁ ସମନ କରିଛି। ଏହା ପୂର୍ବରୁ ଅନେକ ତେଲୁଗୁ ଚଳଚ୍ଚିତ୍ର ଅଭିନେତାଙ୍କୁ ମଧ୍ୟ ଇଡି ପଚରାଉଚରା କରି ସାରିଛି। ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ରାକୁଲଙ୍କୁ ୧୯ ଡିସେମ୍ବରରେ ହାଜର ହେବାକୁ କୁହାଯାଇଛି। କହି ରଖୁଛୁ, ଏହା ପୂର୍ବରୁ ଗତ ସେପ୍ଟେମ୍ବରରେ ରାକୁଲ ଇଡିରେ ହାଜର ହୋଇଥିଲେ।
ରାକୁଲ ପ୍ରୀତଙ୍କୁ ଇଡି ୨୦୨୧ରେ ବି ପଚରାଉଚରା କରିଥିଲା। ଏବେ ତାଙ୍କୁ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରାଯିବ। ଏକ ଟିଭି ରିପୋର୍ଟ ଅନୁସାରେ, ଏହି ମାମଲାରେ ରାଣା ଦଗୁବାତୀ, ପୁରୀ ଜଗନ୍ନାଧ, ରବି ତେଜା, ଚାର୍ମୀ କୌର, ନବଦୀପ ଏବଂ ଅନ୍ୟ ସେଲିବ୍ରିଟିମାନଙ୍କୁ ନୋଟିସ ଜାରି କରାଯାଇଛି।
ଟଲିଉଡ ଡ୍ରଗ୍ସ ମାମଲା କ’ଣ?
୨୦୧୭, ଜୁଲାଇ ୨ରେ ଡ୍ରଗ୍ସ ର୍ୟାକେଟ୍ର ପର୍ଦ୍ଦାଫାଶ ହୋଇଥିଲା। ସୀମା ଶୁଳ୍କ ଅଧିକାରୀମାନେ ଜଣେ ସଂଗୀତଜ୍ଞ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଥିଲେ। ସେମାନେ ଅଧିକାରୀମାନଙ୍କୁ କହିଥିଲେ କି, କିଛି ଚଳଚ୍ଚିତ୍ର ବ୍ୟକ୍ତିତ୍ୱ, ସଫ୍ଟୱେୟାର ଇଞ୍ଜିନିୟର ଏବଂ ଏପରିକି କିଛି କର୍ପୋରେଟ ସ୍କୁଲର ଛାତ୍ରମାନଙ୍କୁ ସେମାନେ ଡ୍ରଗ୍ ସପ୍ଲାଏ କରୁଛନ୍ତି। ଟଲିଉଡର କିଛି ସେଲିବ୍ରିଟିଙ୍କ ମୋବାଇଲ୍ ନମ୍ବର ସେମାନଙ୍କ କନ୍ଟାକ୍ଟ ତାଲିକାରେ ମିଳିଥିଲା।