ନୟାଗଡ (କେନ୍ୟୁଜ): ନୟାଗଡ଼ ଓଡ଼ଗାଁର ଅମ୍ରିତ ପାତ୍ର ଅପହରଣ ନାଟକରେ ପଡ଼ିଲା ଯବନିକା । ଗିରଫ ହେଲେ ୩ ଅଭିଯୁକ୍ତ । ସାମ୍ନାକୁ ଆସିଲା ଅପହରଣ ଘଟଣାର ପୂରା କାହାଣୀ । ଗାଡ଼ି ଟଙ୍କା ଶୁଝିବା ପାଇଁ କରିଥିଲେ ଅପହରଣ । ଏହି ମାମଲାର ନୟାଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଆସନ୍ତାକାଲି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ନୟାଗଡ଼ ଏସ୍ପି ସୂଚନା ଦେଇଛନ୍ତି । ଅଟକ ୩ ଜଣ ହେଲେ କୁରାଳ ଗାଁର ସ୍ୱପ୍ନ ପଣ୍ଡା, ଭକ୍ତ ଦର୍ଶନ ପଣ୍ଡା ଏବଂ ସୁନୀଲ ପାଣିଗ୍ରାହୀ । ଅମ୍ରିତକୁ ଅପହରଣ ବେଳେ ବ୍ୟବହୃତ ଗାଡ଼ି ଜବତ ହୋଇଛି । ଅମ୍ରିତଙ୍କୁ ଅପହରଣ କରି ଟଙ୍କା ଆଦାୟ ପାଇଁ ଯୋଜନା କରିଥିଲେ ବୋଲି ୩ ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିଲେ। ଏହା ପରେ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ଆଜି ଅଭିଯୁକ୍ତଙ୍କୁ ନେଇ ପୁଲିସ୍ ସିନ୍ ରିକ୍ରିଏସନ୍ କରିବାର ଯୋଜନା ରଖିଥିଲା।
ନିଖୋଜର ୫ ଦିନ ପରେ ଓଡ଼ଗାଁ ଥାନା କୁରାଳ ସୁବୁଦ୍ଧି ସାହି ସପ୍ତମ ଶ୍ରେଣୀର ଛାତ୍ର ଅମ୍ରିତଙ୍କୁ ଗତକାଲି ନିଜ ଗାଁର ଏକ ବନ୍ଦ ଘର ଭିତରୁ ଉଦ୍ଧାର କରିଥିଲେ ଗାଁ ଲୋକ । ଅମ୍ରିତ ଗତ ଗୁରୁବାର ସଂଧ୍ୟାରେ ଟ୍ୟୁସନ ପାଇଁ ଯାଇ ଆଉ ଘରକୁ ଫେରିନଥିଲା । ଗତକାଲି ସକାଳେ କୁରାଳ ଗାଁର ଶୁଣ୍ଢି ସାହିରେ ଏକ ବନ୍ଦ ଘର ଭିତରୁ ଅମ୍ରିତ ହାତ ଠାରି ଜଣେ ମହିଳାଙ୍କୁ ଡାକିଥିଲା। ମହିଳା ଜଣକ ପାଣି ଆଣିବାକୁ ଯାଇଥିବା ବେଳେ ଅମ୍ରିତକୁ ଦେଖିଥିଲେ । ଏହାପରେ ତାକୁ ସେଠାରୁ ଗାଁଲୋକ ଉଦ୍ଧାର କରିଥିଲେ ।