Below header

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ, ସନ୍ଧ୍ୟାଧୂପ ପରେ ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଶ୍ରୀଜୀଉ

ପୁରୀ (କେନ୍ୟୁଜ): ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ପଦ୍ମଫୁଲରେ ସଜ୍ଜିତ ହେବେ ତିନି ଠାକୁର। ଏଥିପାଇଁ ବେଶ ପ୍ରସ୍ତୁତି କାମ ଆଜି ଶେଷ ହୋଇଛି। ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟା ପରବର୍ତ୍ତୀ ବୁଧବାର କିମ୍ବା ଶନିବାର ଯେଉଁ ଦିନ ପଡିବ ସେହିଦିନ ଏହି ଅନନ୍ୟ ବେଶରେ ସଜ୍ଜିତ ହୁଅନ୍ତି ମହାବାହୁ । ଚଳିତ ବର୍ଷ ତ୍ରିବେଣୀ ଅମାବାସ୍ୟା ୨୧ ତାରିଖରେ ପଡିଥିବା ବେଳେ ଆଜି ବୁଧବାର ପଡ଼ୁଥିବାରୁ ମହାପ୍ରଭୁଙ୍କୁ ଘୋଡ ଲାଗି କରାଯାଇ ବେଶ ଲାଗି କରାଯିବ ।

ବଡ଼ଛତା ମଠ ପକ୍ଷରୁ ପ୍ରଦତ୍ତ ସାମଗ୍ରୀରେ ଶ୍ରୀମନ୍ଦିର ଦୟଣାମାଳ ସେବକ ବସନ୍ତ ରଣାଙ୍କ ନେତୃତ୍ବରେ ସତ୍ୟନାରାୟଣ ବେହେରା, ସନ୍ତୋଷ କୁମାର ମିଶ୍ର, ରଘୁନାଥ ବେହେରା, ବାସୁଦେବ ମହାପାତ୍ର ପ୍ରମୁଖ ପଦ୍ମବେଶ ପ୍ରସ୍ତୁତ କରିଛନ୍ତି। ଆଜି ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରକୁ ପ୍ରସ୍ତୁତ ପଦ୍ମବେଶ ବିଜେ କରିବ। ବଡ଼ସିଂହାର ବେଶରେ ଏହା ଶ୍ରୀଜିଉଙ୍କୁ ଲାଗି ହେବ। ପରଦିନ ଅବକାଶ ପୂର୍ବରୁ ବେଶ ଓଲାଗି ହେବ। ଏ ନେଇ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଯେହେତୁ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କୁ ପଦ୍ମବେଶ ଲାଗି ହେବ ଓ ପରେ ପରେ ପହୁଡ଼ ନୀତି ଅନୁଷ୍ଠିତ ହେବ, ‌ସେ ଦୃଷ୍ଟିରୁ ରାତିରେ ଭକ୍ତମାନେ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ କରିପାରିବେ ନାହିଁ। ପରଦିନ ମଙ୍ଗଳଆଳତି ପରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ପଦ୍ମବେଶ ଦର୍ଶନ କରିପାରିବେ।

ଶ୍ରୀମନ୍ଦିର ମୁଖ୍ୟ ପାରମ୍ପରିକ ବେଶ କାରିଗରଙ୍କ ସହ ସହଯୋଗୀ କାରିଗର ମାନେ ହବିଷ୍ୟାନ ଗ୍ରହଣ କରି ଅତି ନିଷ୍ଠାର ସହିତ ପଣ୍ଡୁ ପୂର୍ଣ୍ଣିମା ଠାରୁ ଏହି ବେଶ ନିର୍ମାଣ କରିଥାନ୍ତି। ସୋଲ, ଜରି, କଇଁଥଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଇଥାଏ। ତେବେ ବେଶ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଏହା ଶ୍ରୀମନ୍ଦିରକୁ ଅଣାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.