ପୁଣି ହୃଦୟ ଜିତିଲେ ଓସ୍କାର ବିଜେତା ବୋମନ ଓ ବେଲି, କୋଳେଇ ନେଲେ ଆଉ ଏକ ଅନାଥ ଛୁଆ ହାତୀ

୪ ମାସର ଅନାଥ ଛୁଆ ହାତୀକୁ ମିଳିଲା ପରିବାର। ଓସ୍କାର ବିଜେତା ବୋମନ ଓ ବେଲି ଏହି ହାତୀ ଛୁଆର ଦାୟିତ୍ୱ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ଗୁନିତ୍‌ ମୋଙ୍ଗାଙ୍କ ଡକ୍ୟୁମେଣ୍ଟାରୀ ‘The Elephant Whispers’ ଓସ୍କାର ଜିତିବା ପରଠାରୁ ଚର୍ଚ୍ଚାର ବିଷୟ ହୋଇଛି। ଫିଲ୍ମ ଓସ୍କାର ଜିତିବା ପରେ ଏଥିରେ ଅଭିନୟ କରିଥିବା ଯୋଡ଼ିଙ୍କ ପ୍ରତି ଦର୍ଶକଙ୍କ ଆଗ୍ରହ ମଧ୍ୟ ବଢ଼ିଛି।

ଏହି ଡକ୍ୟୁମେଣ୍ଟାରୀ ତାମିଲନାଡୁ ନିବାସୀ ବୋମନ ଓ ବେଲିଙ୍କ ଜୀବନୀ ଉପରେ ଆଧାରିତ, ଯିଏ ହାତୀମାନଙ୍କ ସହ ରୁହନ୍ତି ଏବଂ ସେମାନଙ୍କ ଯତ୍ନ ନିଅନ୍ତି। ଏବେ ବୋମନ ଓ ବେଲି ପୁଣିଥରେ ଏକ ଅନାଥ ହାତୀ ଛୁଆର ଦାୟିତ୍ୱ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ତାମିଲନାଡୁର ଧର୍ମପୁରୀ ଜଙ୍ଗଲରେ ଅନାଥ ହୋଇଥିବା ୪ ମାସର ଛୁଆ ହାତୀକୁ ନୂଆ ବାପାମାଆ ମିଳିଛନ୍ତି। ପୂର୍ବରୁ ବନ ବିଭାଗ ଏହି ହାତୀ ଛୁଆକୁ ତା’ ଦଳ ସହିତ ମିଶାଇବାକୁ ଚେଷ୍ଟା କରିଥିଲା। ବର୍ତ୍ତମାନ ବୋମନ ଓ ବେଲିଙ୍କୁ ଏହାର ଲାଳନପାଳନର ଦାୟିତ୍ୱ ଦିଆଯାଇଛି।

ତାମିଲନାଡୁର ମୁଦୁମଲଇ ହାତୀ ଶିବିରରେ ଏହି ଛୁଆ ହାତୀକୁ ବୋମନ୍ ଓ ବେଲିଙ୍କ ଭଲ ପାଇବା ଏବଂ ସ୍ନେହ ମିଳୁଛି। ଅନାଥ ଛୁଆ ହାତୀକୁ ସ୍ନେହ ଦେଉଥିବା ବୋମନ ଓ ବେଲିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବୋମନ ଓ ବେଲିଙ୍କ ହାତରେ ଓସ୍କାର ଟ୍ରଫି

ବୋମନ ଓ ବେଲି ବାସ୍ତବରେ ‘The Elephant Whispers’ର ତାରକା। ନିକଟରେ ନିର୍ଦ୍ଦେଶକ କାର୍ତ୍ତିକ ଗୋଞ୍ଜାଲିଭସ୍‌ ବୋମନ୍ ଓ ବେଲିଙ୍କୁ ଭେଟି ସେମାନଙ୍କୁ ‘The Elephant Whispers’ ପାଇଁ ମିଳିଥିବା ଓସ୍କାର ଟ୍ରଫି ଦେଖାଇଥିଲେ। ଓସ୍କାର ପୁରସ୍କାର ଦେଖିବା ପରେ ସେମାନଙ୍କ ଖୁସିର ସୀମା ରହି ନ ଥିଲା।

Leave A Reply

Your email address will not be published.