ପାହାଡ ଖୋଲରୁ ଉଦ୍ଧାର ହେଲେ ମାନସିକ ବିକାଗ୍ରସ୍ତ ଯୁବକ

ଉଦ୍ଧାର ହେଲେ କେନ୍ଦୁଝର ସହର ନିକଟସ୍ଥ ନେଲୁଙ୍ଗ ପାହାଡ ଉପରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ରହି ଆସୁଥିବା ମାନସିକ ବିକାରଗ୍ରସ୍ତ ଯୁବକ ସାଗର ଓରଫ ବାବୁ ନାଏକ ।

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ସହର ନିକଟସ୍ଥ ନେଲୁଙ୍ଗ ପାହାଡ ଉପରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ରହି ଆସୁଥିଲେ ସାଗର ଓରଫ ବାବୁ ନାଏକ । ସାଗର ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ, ଭାଲୁ-ବିଷଧର ସାପ ପରିପୂର୍ଣ୍ଣ ପାହାଡ ଗୁମ୍ଫାରେ ସେ ରହୁଥିଲେ । ସାଗରଙ୍କ ଘର ଭାଙ୍ଗିରୁଜି ଯାଇଥିବାରୁ ବିଧବା ମା କୁନ୍ତଳାଙ୍କ ଆଶ୍ରା ସାଜିଥିଲା ତାଙ୍କ ବାପ ଘର । ଏପଟେ ସାଗର ପାହାଡ ଉପରେ ରହୁଥିବା ବେଳେ ମା ମନ ବା କିପରି ମାନିବ। ପ୍ରତିଦିନ ପୁଅ ପାଇଁ ବହୁ ଦୁଃଖକଷ୍ଟ କରି ଖାଇବା ଧରି ଆସି ସକାଳୁ ସଞ୍ଜ ପାହାଡ ତଳେ ଜଗି ରହୁଥିଲେ।

ତେବେ କିଛି ଦିନ ତଳେ ଏହି ଖବର ପ୍ରସାରଣ ହୋଇଥିଲା । ଏହାପରେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ତତ୍ତ୍ୱାବଧାନ ଯୋଗୁଁ ତତ୍ପର ହୋଇଥିଲେ ସାମାଜିକ ସୁରକ୍ଷା ବିଭାଗ । ଏନେଇ ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ପରିଚାଳିତ ହେଉଥିବା ଡିଏମଏଫ ଆଶ୍ରୟକୁ ସାଗରଙ୍କୁ ଉଦ୍ଧାର କରିବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଅନୁସାରେ ଆଶ୍ରୟର ଅଧିକାରୀମାନେ ସ୍ଥାନ ନିରୀକ୍ଷଣ ପରେ ସାଗରଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ସକାଳୁ ସାଗର ଗୁମ୍ଫା ଭିତରେ ଶୋଇଥିବା ବେଳେ ଆଶ୍ରୟର କର୍ମଚାରୀମାନେ ସାଗରଙ୍କୁ କାବୁ କରି ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ ।

ଉଦ୍ଧାର ସାଗରକୁ ଆଶ୍ରୟର କର୍ମଚାରୀମାନେ ଡାକ୍ତରୀ ମାଇନା କରିବା ପରେ ଗୃହକୁ ନେଇଯାଇଥିଲେ । ଦୀର୍ଘଦିନ ପରେ ପାହାଡ ଗୁମ୍ଫାରୁ ପୁଅ ସାଗର ଉଦ୍ଧାର ହେବା ପରେ ମା କୁନ୍ତଳାଙ୍କ ମନ ଭାରି ଖୁସି । ପୁଅ ଭଲ ହେବା ନେଇ ତାଙ୍କ ମନରେ ନୂତନ ଆଶାର ସଂଚାର ଖେଳି ଯାଇଥିବାବେଳେ ତାର ଭବିଷ୍ୟତ ଗଢିବା ନେଇ ଆଶାବାଦୀ ହୋଇପଡ଼ିଛନ୍ତି ମା କୁନ୍ତଳା।

ଏପଟେ ମା କୁନ୍ତଳା ପୁଅକୁ ଉଦ୍ଧାର କରିଥିବାରୁ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସାଗର ଉଦ୍ଧାର ହେବା ପରେ ଗ୍ରାମବାସୀମାନେ ମଧ୍ୟ ବହୁ ଖୁସି ବ୍ୟକ୍ତ କରିବା ସହିତ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଛନ୍ତି।

 

Leave A Reply

Your email address will not be published.