ଅମୁଲ ଏବଂ ମଦର ଡେରୀ ପରେ ବଢିଲା ପରାଗ କ୍ଷୀର ଦାମ୍, ଜାଣନ୍ତୁ କେତେ ଅଧିକ ଦେବାକୁ ପଡିବ

ପୁଣି ସାଧାରଣ ଲୋକଙ୍କୁ ଝଟକା । ଅମୁଲ ଏବଂ ମଦର ଡେରୀ ପରେ ବଢିଲା ପରାଗ କ୍ଷୀର ଦାମ୍ । ପରାଗ ଗୋଲ୍ଡ ଏବଂ ପରାଗ୍ ଟୋନ୍ଡ କ୍ଷୀର ୨ ଟଙ୍କା ଲେଖାଏଁ ବଢିଛି । ଏହାପରେ ପରାଗ ଗୋଲ୍ଡ ଏକ ଲିଟର କ୍ଷୀର ୬୬ ଟଙ୍କା ପରିବର୍ତ୍ତେ ୬୮ ଟଙ୍କା ଏବଂ ପରାଗ ଟୋନ୍ଡ କ୍ଷୀର ୫୪ ଟଙ୍କା ପରିବର୍ତ୍ତେ ୫୬ ଟଙ୍କା ପ୍ରତି ଲିଟର ମିଳିବ । କମ୍ପାନୀ ଦ୍ୱାରା ଦାମ୍ ବୃଦ୍ଧି ୧୪ ଜୁନ୍ ୨୦୨୪ ଅର୍ଥାତ୍ ଆଜିଠାରୁ ଲାଗୁ ହେବ ।
ପରାଗ ଗୋଲ୍ଡ ଏବଂ ପରାଗ ଟୋନ୍ଡ ଅଧା ଲିଟର ଦାମ୍ରେ ୧-୧ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ଏବେ ପରାଗ ଅଧଲିଟର କ୍ଷୀର ୩୦ ଟଙ୍କା ବଦଳରେ ୩୧ ଟଙ୍କାରେ ମିଳିବ । ସେହିପରି ପରାଗ ଟୋନ୍ଡ କ୍ଷୀର ୨୭ ଟଙ୍କା ବଦଳରେ ୨୮ ଟଙ୍କାରେ ମିଳିବ ।
ପରାଗ ଡେରୀର ଜେନେରାଲ ମ୍ୟାନେଜର କହିଛନ୍ତି କି, ଜୁନ୍ ୨ରେ ଅମୁଲ ସମେତ ଦେଶର ଅନେକ କ୍ଷୀର କମ୍ପାନୀ କ୍ଷୀର ଦାମ୍ ବଢାଇଥିଲେ । ଦେଶରେ ପ୍ରବଳ ଗରମ ଯୋଗୁଁ ଦୁଗ୍ଧ ଉତ୍ପାଦନ ମଧ୍ୟ କମ ହେଉଛି । ଏମିତିରେ କ୍ଷୀର ଉତ୍ପାଦନ କରୁଥିବା କମ୍ପାନୀ ଅଧିକରୁ ଅଧିକ କ୍ଷତି ସହୁଛନ୍ତି । ତେଣୁ କମ୍ପାନୀ କ୍ଷୀର ଦାମ୍ ବଢାଇବାକୁ ନିଷ୍ପତ୍ତି ନେଇଛି । ପରାଗ ଡେରୀ ପ୍ରତିଦିନ ୩୩ ହଜାର ଲିଟର କ୍ଷୀର ବିକ୍ରି କରିଥାଏ ।
ସୂଚନାଯୋଗ୍ୟ, ଦେଶର ବଡ ଦୁଗ୍ଧ କମ୍ପାନୀ ଅମୁଲ ଏବଂ ମଦର ଡେରୀ ନିକଟରେ କ୍ଷୀର ଦାମ୍ ବଢାଇଥିଲା । ମାସ ଆରମ୍ଭରୁ ଅମୁଲ କ୍ଷୀର ଲିଟର ପ୍ରତି ୨ ଟଙ୍କା ବଢିଥିଲା । ଏକ ଲିଟର ଅମୁଲ ଗୋଲ୍ଡ ପାଇଁ ୬୬ ଟଙ୍କା ବଦଳରେ ୬୮ ଟଙ୍କା । ସେହିପରି ଅଧକିଲୋକୁ ୩୪ ଟଙ୍କା, ଅମୁଲ ତାଜା ଅଧାଲିଟର ପାଇଁ ୨୬ ବଦଳରେ ୨୭ ଟଙ୍କା । ସେହିପରି ଲିଟର ପିଛା ୫୪ ରୁ ୫୬ ଟଙ୍କା ରହିଛି । ଅମୁଲ ଗାଈ କ୍ଷୀର ଲିଟର ପ୍ରତି ୫୬ ଟଙ୍କା ଦେବାକୁ ହେବ । ସେହିପରି ଅମୁଲ ସ୍ଲିମ ୪୮ ଏବଂ ଟ୍ରିମ ୪୯ ଟଙ୍କା ଲିଟର ପିଛା ଦେବାକୁ ହେବ ।
ଅମୁଲ ପରେ ମଦର ଡେରୀ ମଧ୍ୟ କ୍ଷୀର ଦାମ ବଢାଇଛି । ମଦର ଡେରୀ ୨ ଟଙ୍କା ଲିଟର ପ୍ରତି ଦାମ୍ ବଢାଇଥିଲା । ମଦର ଡେରୀ ଫୁଲ କ୍ରିମ କ୍ଷୀର ୬୮ ଟଙ୍କା ପ୍ରତି ଲିଟର ହୋଇଥିବା ବେଳେ ଟୋନଡ ମିଲ୍କ ୫୬ ଟଙ୍କା ପ୍ରତି ଲିଟର ମିଳିବ । ସେହିପରି ଡବଲ ଟୋନଡ କ୍ଷୀର ଲିଟର ଦାମ୍ ୫୦ ଟଙ୍କା ରହିଛି ।