ନୂଆଦିଲ୍ଲୀ : ଆଜି ପ୍ରିୟଙ୍କା ଗାନ୍ଧି ଲକ୍ଷ୍ନୌରୁ କଂଗ୍ରେସ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ଏକ ବିରାଟ ରାଲିରେ ପ୍ରିୟଙ୍କାଙ୍କ ସହିତ ତାଙ୍କ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଥିଲେ । ତେବେ ହୁଏତ କେହି ଲକ୍ଷ୍ୟ କରି ନଥିବେ ଏହି ବିଶାଳ ରାଲିରେ ଏକ ଯାତ୍ରୀବାହୀ ବସ୍ ଉପରେ ରହିଥିଲେ ନେତାମାନେ । ଏହି ବସ୍ ବିଷୟରେ ରହିଛି କିଛି ସ୍ୱତନ୍ତ୍ରତା ଓ ଏକ ରୋଚକ କାହାଣୀ । କାହାଣୀଟି ହେଉଛି ବସ୍ଟିକୁ ଭେଟି ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ୨୦୧୭ ବିଧାନସଭା ନିର୍ବାଚନରେ ଅମରିନ୍ଦର ଏହି ବସ୍ରେ ବୁଲି ବୁଲି ପ୍ରଚାର କରିଥିଲେ ଓ ବିଜୟୀ ହୋଇଥିଲେ । କଂଗ୍ରେସ ସେଠାରେ ସରକାର ଗଢ଼ିଥିଲା । ତେଣୁ ଏହାକୁ ଶୁଭ ବା ‘ଲକୀ’ ମନେ କରି ଅମରିନ୍ଦର ବସ୍ଟିକୁ ଉପହାର ସ୍ୱରୂପ ଦେଇଛନ୍ତି ।
ତେବେ ଏହା ଏମିତି ସେମିତି ବସ୍ ନୁହେଁ । ଏଥିରେ ସବୁ ପ୍ରକାର ବ୍ୟବସ୍ଥା ରହିଛି । ସୁରକ୍ଷା ଠାରୁ ଆରମ୍ଭ କରି ଆରାମଦାୟକ ବସିବା ଓ ଶୋଇବା ବ୍ୟବସ୍ଥା ମଧ୍ୟ ରହିଛି । ଏହି ଲକଜୁରୀ ବସ୍ରେ ମାତ୍ର ୧୨ ଜଣ ବସିବା ଭଳି ସୁବିଧା ରହିଛି । ପୁଣି ପ୍ରଚାର ପାଇଁ ମାଇକ୍ ଓ ଭିତରେ ରହିଛି ରୋଷେଇ ଓ ଖାଇବା ପିଇବା ଲାଗି ଏକ ଛୋଟିଆ ପ୍ୟାଣ୍ଟ୍ରିର ବନ୍ଦୋବସ୍ତ । ବସ୍ର ଗୋଟିଏ ପଟେ ରାହୁଲ ଓ ଅନ୍ୟ ପଟେ ସୋନିଆ ଗାନ୍ଧିଙ୍କ ଚିତ୍ର କରାଯାଇଛି । ବସ୍ଟି ପୂରା ପୂରି ବୁଲେଟ୍ ପ୍ରୁଫ୍ ।
ପ୍ରିୟଙ୍କା ଓ ଜ୍ୟୋତିରାଦିତ୍ୟଙ୍କୁ ଉତ୍ତର ପ୍ରଦେଶର ନିର୍ବାଚନ ଦାୟିତ୍ୱ ଦିଆଯାଇଛି । ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସେମାନେ ସେଠାରେ ରହି ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମକର୍ତ୍ତାଙ୍କୁ ଭେଟିବା ସହିତ ପ୍ରଚାର କରିବେ ।