Below header

ଖେଳୁ ଖେଳୁ ଗଭୀର ବୋରୱେଲରେ ଖସିପଡ଼ିଲା ଶିଶୁ, ଉଦ୍ଧାର ପାଇଁ ବୋରୱେଲ ପାଖରେ ଖୋଳାଯାଉଛି ନୂଆ ବୋରୱେଲ

ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀର କେଶବପୁର ମଣ୍ଡି ନିକଟ ଜଳ ବୋର୍ଡ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଖୋଳାଯାଇଥିବା ଏକ ବୋରୱେଲରେ ଶିଶୁଟି ଖସିପଡିଥିବା ସୂଚନା ମିଳିଥିଲା । ଏହି ବୋରୱେଲର ଗଭୀରତା ୪୦ରୁ ୫୦ ଫୁଟ ବୋଲି କୁହାଯାଉଛି ।

ପୁଣି ବୋରୱେଲରେ ଖସି ପଡ଼ିଛି ଶିଶୁ । ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ । ନା ମିଳିପାରିଛି ଶିଶୁର ପରିଚୟ ନା ଜଣାପଡ଼ିଛି ଶିଶୁର ବୟସ । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଶିଶୁ ଉଦ୍ଧାର କରିବା ପାଇଁ ଲାଗି ପଡ଼ିଛନ୍ତି । ପାଖାପାଖି ୪୦ ଫୁଟ ଗଭୀର ବୋରୱେଲରେ ଶିଶୁଟି ପଡ଼ିଯାଇଛି । ଶିଶୁ ସହ କୌଣସି ସମ୍ପର୍କ ହୋଇପାରିନି, ତେଣୁ ପ୍ରଥମେ ଶିଶୁ ସହ କେମିତି ସମ୍ପର୍କ କରାଯାଇ ପାରିବ, ସେଥିପାଇଁ ଚେଷ୍ଟା ଚାଲିଛି । କୁହାଯାଉଛି ଶିଶୁଟି ଖେଳୁ ଖେଳୁ ଗଭୀର ବୋରୱେଲ ଭିତରେ ଖସି ପଡ଼ିଛି । ଜେସିବି ସାହାଯ୍ୟରେ ମାଟି ଖୋଳା କାର୍ଯ୍ୟ ଜାରି ରହିଛି । ଶିଶୁକୁ ଠାବ କରିବା ପାଇଁ ଭିକଟିମ ଲୋକେସନ୍ କ୍ୟାମେରା ମଗା ଯାଇଛି ।

ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀର କେଶବପୁର ମଣ୍ଡି ନିକଟ ଜଳ ବୋର୍ଡ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଖୋଳାଯାଇଥିବା ଏକ ବୋରୱେଲରେ ଶିଶୁଟି ଖସିପଡିଥିବା ସୂଚନା ମିଳିଥିଲା । ଏହି ବୋରୱେଲର ଗଭୀରତା ୪୦ରୁ ୫୦ ଫୁଟ ବୋଲି କୁହାଯାଉଛି । ଶିଶୁକୁ ରେସ୍କ୍ୟୁ କରିବା ପାଇଁ ଦିଲ୍ଲୀ ଅଗ୍ନିଶମ ବାହିନୀ, ଏନଡିଆରଏଫ ଏବଂ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଶିଶୁର ପରିଚୟ ଏବଂ ବୟସ ଜଣା ପଡ଼ି ନାହିଁ ।

ଏନଡିଆରଏଫର ରେସ୍କ୍ୟୁ ଟିମ୍‌ ର ନେତୃତ୍ୱ ନେଇଛନ୍ତି ଇନ୍ସପେକ୍ଟର ବୀର ପ୍ରତାପ ସିଂ । ସୂଚନା ପାଇବା ମାତ୍ରେ ସମସ୍ତ ଟିମ୍ ସହିତ ୫ ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ବର୍ତ୍ତମାନ ବୋରୱେଲ ପାଖରେ ଆଉ ଏକ ବୋରୱେଲ ଖୋଳାଯାଉଛି । ବୋରୱେଲର ଗଭୀରତା ୪୦ ଫୁଟରୁ ଅଧିକ ଥିବାରୁ ଏହି ରେସ୍କ୍ୟୁ ଅପରେସନ୍ ଅଧିକ ସମୟ ନେଇପାରେ ବୋଲି ବୀର ପ୍ରତାପ ସିଂ କହିଛନ୍ତି ।

ରିପୋର୍ଟ ଅନୁଯାୟୀ ପ୍ରଥମେ ଶିଶୁକୁ ବୋରୱେଲରୁ ବାହାର କରିବା ପାଇଁ ରେସ୍କ୍ୟୁ ଟିମ୍‌ ଏକ ଦଉଡି ବୋରୱେଲ ଭିତରକୁ ପଶାଇଥିଲେ । କିନ୍ତୁ ଏହି ପ୍ରୟାସ ବିଫଳ ହେବା ପରେ ଉଦ୍ଧାରକାରୀ ଦଳ ବୋରୱେଲ ପାଖରେ ଏକ ନୂଆ ବୋରୱେଲ ଖୋଳୁଛନ୍ତି ।

ଦିଲ୍ଲୀ ପୋଲିସର ଡେପୁଟି କମିଶନର ବିଚିତ୍ର ବୀର କହିଛନ୍ତି ଯେ ବିଳମ୍ବିତ ରାତି ପ୍ରାୟ ୧ ଟା ସମୟରେ ବିକାଶପୁର ପୋଲିସ ଷ୍ଟେସନକୁ ଏକ କଲ ଆସିଥିଲା । କେହି ଜଣେ ବୋରୱେଲରେ ପଡ଼ି ଯାଇଥିବା ଖବର ଆସିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଶିଶୁଟି ବୋରୱେଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ସୂଚନା ଥାଉ କି ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାରେ ୧୨ ଡିସେମ୍ବର ୨୦୨୩ରେ ବୋରୱେଲରେ ଜଣେ ୫ ବର୍ଷର ନିରୀହ ଶିଶୁ ଖସି ପଡ଼ିଥିଲା କିନ୍ତୁ ତାକୁ ଉଦ୍ଧାର କରାଯାଇ ପାରିନଥିଲା । ପିଲାଟି ୨୦ ଫୁଟ ଗଭୀରରେ ଫସି ଯାଇଥିଲା ।

ରାଜସ୍ଥାନର ଜୟପୁରରେ ୨୦ ମେ ୨୦୨୩ରେ ଏକ ଶିଶୁ ୨୦୦ ଫୁଟ ଗଭୀର ବୋରୱେଲରେ ଖସି ପଡ଼ିଥିଲା । ଶିଶୁଟି ପ୍ରାୟ ୭୦ ଫୁଟ ଗଭୀରରେ ବୋରୱେଲରେ ଫସି ରହିଥିଲା । ୬ ଘଣ୍ଟିଆ ଉଦ୍ଧାର କାର୍ଯ୍ୟ ପରେ ଶିଶୁକୁ ସୁରକ୍ଷିତ ଭାବେ ବାହାରକୁ କଢ଼ା ଯାଇଥିଲା। ବାରମ୍ବାର ଏଭଳି ବୋରୱେଲରେ ଶିଶୁ ପଡ଼ିବା ଘଟଣା ସାମ୍ନାକୁ ଆସିଛି । କିନ୍ତୁ ଏଭଳି ବୋରୱେଲ ଗୁଡ଼ିକ କାହିଁକି ଖୋଲାରେ ପଡ଼ୁଛି ତାହା ସାଧାରଣରେ ପ୍ରଶ୍ନ ଉଠିଛି । ତେବେ ଶିଶୁଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇଯାଉ ତାହା ହିଁ ସମସ୍ତେ ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.