ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ର ଏବେ କେଉଁଠି ? ଇଭିଏମ୍‌ ଭଙ୍ଗାରୁଜା ଘଟଣାରେ ଖୋଜୁଛି ପୋଲିସ

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଇଭିଏମ୍‌ ଭଙ୍ଗାରୁଜା ଘଟଣାର ଦୁଇ ଅଭିଯୁକ୍ତ ମାନସ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ। ଏମାନଙ୍କୁ ବାନ୍ଧିଛି ପୋଲିସ। ଦୁଇ ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଛି ପିସ୍ତଲ ଓ ୬ ରାଉଣ୍ଡ ଗୁଳି। ମୁଖ୍ୟ ଅଭିଯୁକ୍ତ ବିଜେପି ବିଧାୟକ ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ର ଏବେ ଫେରାର୍‌ ଅଛନ୍ତି। ତାଙ୍କୁ ଧରିବା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ପୋଲିସ ଟିମ୍‌। ରାଜ୍ୟ ଓ ବାହାରେ ବି ଚଢ଼ାଉ କରାଯାଉଛି। ବିମାନବନ୍ଦର ଓ ରେଲେଓ୍ଵ ଷ୍ଟେସନରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।

ଗତ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍‌ ବେଳେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବୀରକିଶୋରପୁର ୭୮ ନମ୍ବର ବୁଥରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଥିଲା। ଉତ୍ତେଜନାରୁ ଭଙ୍ଗାରୁଜା ହୋଇଥିଲା। ଅଭିଯୋଗ ହୋଇଛି ଓମ୍‌ ପ୍ରକାଶ ମିଶ୍ର ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିବା ସହ ଭାଙ୍ଗିଥିଲେ ଇଭିଏମ୍‌ । ଓମ୍‌ ପ୍ରକାଶଙ୍କ ସମେତ ୧୦ରୁ ୧୫ ଜଣ ବୁଥ୍‌ ଭିତରେ ଆତଙ୍କରାଜ ଚଳାଇଥିଲେ। ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଛି ପୋଲିସ। ପୋଲିସ, ପୋଲିଂ ଅଧିକାରୀ ଓ କର୍ମଚାରୀ ଏବଂ ବୁଥ୍‌ ବାହାରେ ଥିବା ଭୋଟରଙ୍କ ବୟାନ ବି ରେକର୍ଡ ହୋଇଛି। ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି।

ଜଣେ ବିଧାୟକ ପ୍ରାର୍ଥୀ ବୁଥ୍‌ ଭିତରେ ପଶି କାର‌୍ୟ୍ୟରତ ପୋଲିଂ ଅଧିକାରୀଙ୍କୁ ଧମକଚମକ ଦେବା ଓ ଇଭିଏମ୍‌ ଭାଙ୍ଗିବା ଘଟଣାରେ ଗଡ଼ିଶାଗୋଦା ଥାନାରେ ମାମଲା ରୁଜୁ ହୋଇଛି। ଏହାପରେ ତଦନ୍ତକୁ ତ୍ୱରାନ୍ଵିତ କରିଛି ପୋଲିସ ।

Leave A Reply

Your email address will not be published.