କେନ୍ୟୁଜ୍ : ନୀଳଗିରିରୁ ନୂଆଦିଲ୍ଲୀ। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ମଫସଲର ଗରିବ ପୁଅ । ପ୍ରଥମ ଥର ସାଂସଦରୁ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାର ଗର୍ବ ଓ ଗୌରବ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଏଥର ବାଲେଶ୍ୱର ଲୋକସଭା ଆସନ ନିର୍ବାଚନରେ ଦୁଇ ଜଣ କୋଟିପତିଙ୍କୁ ମାତ୍ ଦେଇଥିଲେ ପ୍ରତାପ ଷଡ଼ଙ୍ଗୀ। ବିଜେଡିର ରବୀନ୍ଦ୍ର ଜେନାଙ୍କୁ ୧୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇଛନ୍ତି। ଏହାପରେ ଚର୍ଚ୍ଚାକୁ ଆସିଥିଲେ ପ୍ରତାପ । ନିରାଡମ୍ବର ଓ ସରଳ ଜୀବନଯାପନ ପାଇଁ ସୋସିଆଲ୍ ମିଡିଆରେ ହେଡଲାଇନ୍ସ ହୋଇଥିଲେ । ଯେଉଁଠି ନିର୍ବାଚନରେ ଏବେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ସେଠାରେ ଲୋକଙ୍କ ହୃଦୟକୁ ଜିତି ବାଜି ମାରିଥିଲେ ପ୍ରତାପ। ପ୍ରମାଣ କରି ଦେଖାଇଛନ୍ତି ଗରିବ ସାଂସଦ ହୋଇପାରିବେ। ମନ୍ତ୍ରୀ ପଦ ପାଇପାରିବ।
ଅବିବାହିତ ପ୍ରତାପ ସମାଜସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ଗରିବ ଗୁରୁବାଙ୍କ ସାଥି, ସମସ୍ତଙ୍କ ପ୍ରିୟ ପ୍ରତାପ ନନା। ନିଜର ଚାରି ବଖରାର କଚା ଘର। ଗାଡ଼ିଘୋଡ଼ା କିଛି ନାହିଁ। ସାଇକେଲ ତାଙ୍କ ବାହନ । ନଳକୂଅରେ ଗାଧୋଉଥିବା ବେଳେ ନିମ୍ବ ଦାନ୍ତକାଠିରେ ଘଷନ୍ତି । ଗାଁ ଦାଣ୍ଡରେ ପିଲାଙ୍କ ସହ କେତେବେଳେ ମଜି ଯାଆନ୍ତି କ୍ରିକେଟ ଖେଳରେ। ସଂସ୍କୃତ ଭାଷାରେ ଦକ୍ଷ ପ୍ରତାପ ପୂର୍ବରୁ ଦୁଇ ଦୁଇ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
୨୦୦୪ରେ ଭାରତୀୟ ଜନତା ପାର୍ଟି ଟିକେଟରେ ଜିତିଥିଲେ। ପୁଣି ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଯାଇଥିଲେ ବିଧାନସଭା। ୨୦୧୪ ସାଧାରଣ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରେ ହାରିଥିବା ବେଳେ ୨୦୧୯ରେ ଦଳର ଭରସା ଜିତିଥିଲେ । କର୍ତ୍ତ୍ୟବନିଷ୍ଠ ପ୍ରତାପ ଗଣତନ୍ତ୍ରର ସବୁଠୁ ବଡ଼ ମନ୍ଦିରରେ ପାଦ ଥାପିଛନ୍ତି । ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ପୂର୍ବରୁ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦର ସକ୍ରିୟ ସଦସ୍ୟ ଥିଲେ ପ୍ରତାପ । ବଜରଙ୍ଗ ଦଳ ଓଡ଼ିଶା ଶାଖାର ସଭାପତି ଓ ବିଶ୍ୱହିନ୍ଦୁ ପରିଷଦର ଯୁଗ୍ମ ସମ୍ପାଦକ ଦାୟିତ୍ୱ ବି ତୁଲାଇଥିଲେ । ଆରଏସ୍ଏସ୍ ସହ ତାଙ୍କର ସମ୍ପର୍କ ରହିଥିବା କୁହାଯାଉଛି। ତୃଣମୂଳସ୍ତରର ନେତା ପ୍ରତାପ ସଂଘର୍ଷରୁ ସଫଳତା ପାଇଛନ୍ତି। ଜଣେ ଦକ୍ଷ ସଂଗଠକ, କର୍ତ୍ତବ୍ୟନିଷ୍ଠ ପ୍ରତାପ ନିଜ ସରଳ ଜୀବନଶୈଳୀକୁ ନେଇ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି।