ବ୍ୟାଙ୍କ ସମିଶ୍ରଣ ଦ୍ୱାରା ପ୍ରଭାବିତ ହୋଇଛନ୍ତି ୩,୪୨୭ଟି ସରକାରୀ ବ୍ୟାଙ୍କ ଶାଖା, ଖୁଲାସା କଲା RTI

ବ୍ୟାଙ୍କଗୁଡ଼ିକ ମଧ୍ୟରେ ମିଶ୍ରଣ ହେବା ପରେ ଶତାଧିକ ବ୍ୟାଙ୍କ ପ୍ରଭାବିତ ହୋଇଥିବା ଜଣାଯାଇଛି। ଗତ ୫ଟି ବିତ୍ତୀୟ ବର୍ଷ ମଧ୍ୟରେ ବ୍ୟାଙ୍କ ବିଲୟ କିମ୍ବା ଶାଖାଗୁଡ଼ିକୁ ବନ୍ଦ କରିଦିଆଯିବା ଯୋଗୁ ସାର୍ବଜନୀନ କ୍ଷେତ୍ରର ୨୬ଟି ସରକାରୀ ବ୍ୟାଙ୍କର ମୋଟ ୩,୪୨୭ଟି ଶାଖାର ମୂଳ ଅସ୍ତିତ୍ୱ ପ୍ରଭାବିତ ହୋଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଏଥିରେ ୭୫ ପ୍ରତିଶତ ଶାଖା ଦେଶର ସବୁଠାରୁ ବୃହତ୍ତମ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ରହିଛି। ଏଥିରେ ଏସ୍‌ବିଆଇର ପାଞ୍ଚଟି ସହଯୋଗୀ ବ୍ୟାଙ୍କ ସମେତ ଭାରତୀୟ ମହିଳା ବ୍ୟାଙ୍କର ମଧ୍ୟ ବିଲୟ ଘଟିଛି।

ଏହାସହ ପଢ଼ନ୍ତୁ:  BSNLର ଏହି ନୂତନ ପ୍ଲାନ୍‌ରେ ୨୦୦ ଜିବି ଡାଟାର ଲାଭ ଉଠାଇପାରିବେ ଗ୍ରାହକ

ରିଜର୍ଭ ବ୍ୟାଙ୍କରୁ ମିଳିଥିବା ସୂଚନାନୁଯାୟୀ, ଦେଶର ୨୬ଟି ସରକାରୀ ବ୍ୟାଙ୍କ ୨୦୧୪-୧୫ ବିତ୍ତୀୟ ବର୍ଷରେ ୯୦ଟି ଶାଖା, ୨୦୧୫-୧୬ରେ ୧୨୬ଟି ଶାଖା, ୨୦୧୬-୧୭ରେ ୨୫୩ଟି ଶାଖା, ୨୦୧୭-୧୮ରେ ୨,୦୮୩ଟି ବ୍ୟାଙ୍କ ଶାଖା ଏବଂ ୨୦୧୮-୧୯ରେ ୮୭୫ଟି ଶାଖା ବନ୍ଦ କରିଦିଆଯାଇଛି କିମ୍ବା ଅନ୍ୟ ଶାଖା ସହ ମିଶାଇ ଦିଆଯାଇଛି।

ବ୍ୟାଙ୍କ ମିଶ୍ରଣ ଫଳରେ ଏସ୍‌ବିଆଇର ସର୍ବାଧିକ ୨,୫୬୮ଟି ବ୍ୟାଙ୍କ ଶାଖା ପ୍ରଭାବିତ ହୋଇଛି। ରିଜର୍ଭ ବ୍ୟାଙ୍କର ସୂଚନାନୁଯାୟୀ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହ ଭାରତୀୟ ମହିଳା ବ୍ୟାଙ୍କ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ବିକାନେର ଆଣ୍ଡ ଜୟପୁର, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ମହୀଶୂର, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ପଟିଆଲା ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍‌ ତ୍ରାଭାନକୋରର ବିଲୟ ଏପ୍ରିଲ ୨୦୧୭ରୁ ହୋଇଛି। ସେହିପରି ବ୍ୟାଙ୍କ ଅଫ୍‌ ବରୋଦା ସହ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ବିଲୟ ୧ ଏପ୍ରିଲ ୨୦୧୯ରୁ ହୋଇଛି।

ଏହାସହ ପଢ଼ନ୍ତୁ: Vodafone ବନ୍ଦ ହେବାକୁ ନେଇ ଚାଲିଥିବା ଚର୍ଚ୍ଚାର ଉତ୍ତର ରଖିଲା କମ୍ପାନୀ, କହିଲା…

ତେବେ ବ୍ୟାଙ୍କ କର୍ମଚାରୀମାନେ ସରକାରଙ୍କ ଏଭଳି ନୀତିକୁ ଦୃଢ଼ ବିରୋଧ କରିଛନ୍ତି। ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(AIBEA)ର ମହାସଚିବ ସିଏଚ୍‌ ଭେଙ୍କଟଚଲମ କହିଛନ୍ତି ଯେ ଯଦି ସରକାର ଦେଶର ୧୦ଟି ସରକାରୀ ବ୍ୟାଙ୍କର ମିଶ୍ରଣ କରି ୪ଟି ବଡ଼ ବ୍ୟାଙ୍କ ତିଆରି କରନ୍ତି, ତେବେ ସର୍ବନିମ୍ନ ୭୦୦୦ ଶାଖା ପ୍ରଭାବିତ ହେବା ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.