Below header

ଘରେ ପ୍ରଥମ ଶିଶୁ ଜନ୍ମ ହେଲେ ପଇସା ଦେବେ ସରକାର…ବାସ୍‌ ଏମିତି କରିବାକୁ ହେବ ଆବେଦନ

ଲୋକଙ୍କ ହିତ ପାଇଁ ସରକାର ସବୁବେଳେ। ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା ବି ଏଥିପାଇଁ କାର୍ଯ୍ୟକାରୀ କରାଯାଉଛି। ସେଥିରୁ କିଛି ଯୋଜନା ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଥିବାବେଳେ ଆଉ କିଛି ଯୋଜନା ରହିଛି ବୃଦ୍ଧବୃଦ୍ଧାଙ୍କ ପାଇଁ। ଏହା ବ୍ୟତୀତ ବିପିଏଲ୍‌ ପରିବାରକୁ ବି ସରକାର ଯୋଜନାଗୁଡ଼ିକ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଉଛନ୍ତି। ତେବେ ଆଜି ଆମେ ଆପଣଙ୍କୁ କେନ୍ଦ୍ର ସରକାରଙ୍କର ଆଉ ଏକ ହିତକାରୀ ଯୋଜନା ବିଷୟରେ କହିବୁ, ଯାହାକି ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଏହି ଯୋଜନାରେ ଶିଶୁଙ୍କ ଜନ୍ମ ପରେ ସରକାରଙ୍କ ତରଫରୁ ଦିଆଯାଉଛି ୫୦୦୦ ଟଙ୍କାର ଅର୍ଥ ରାଶି।

କେନ୍ଦ୍ର ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ନାମ ରଖାଯାଇଛି ‘ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା’। ଏହା ଅଧୀନରେ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହି ଯୋଜନା ୨୦୧୭ ଜାନୁଆରୀରୁ ଆରମ୍ଭ ହୋଇଥିଲା। ଆସନ୍ତୁ ଜାଣିବା, କାହାକୁ ମିଳିଥାଏ ଏହି ଯୋଜନାର ଲାଭ। କେଉଁମାନେ ଏହାର ଫାଇଦା ଉଠାଇ ପାରିବେ।

‘ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା’ ଅଧୀନରେ ପ୍ରଥମ ଥର ଗର୍ଭଧାରଣ କରୁଥିବା କିମ୍ବା ସ୍ତନପାନ କରାଉଥିବା ମହିଳାଙ୍କୁ ଆର୍ଥିକ ସହାୟତା ଦିଆଯାଇଥାଏ। ଯୋଜନାକୁ ‘ପ୍ରଧାନମନ୍ତ୍ରୀ ଗର୍ଭାବସ୍ଥା ସହାୟତା ଯୋଜନା’ ନାମରେ ବି ଜଣାଯାଇଥାଏ। ଯୋଜନାର ଲାଭ ପାଇବା ପାଇଁ ପ୍ରଥମେ ରେଜିଷ୍ଟ୍ରେସନ କରାଇବାକୁ ପଡ଼ିବ। ଏଥି ନିମନ୍ତେ ପ୍ରଥମ ଥର ଗର୍ଭବତୀ ହୋଇଥିବା ମହିଳା ଓ ତାଙ୍କ ସ୍ୱାମୀଙ୍କ ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକର ଫଟୋକପି ଦରକାର ପଡ଼ିଥାଏ। ବ୍ୟାଙ୍କ ଆକାଉଣ୍ଟ ଜଏଣ୍ଟ ହେବା ଆବଶ୍ୟକ ନାହିଁ। ଗର୍ଭବତୀ ମହିଳାଙ୍କୁ ୫୦୦୦ ଟଙ୍କା ୩ଟି କିସ୍ତିରେ ପ୍ରଦାନ କରାଯାଇଥାଏ।

ପ୍ରଥମ ଥର ମା’ ହେଉଥିବା ମହିଳାମାନଙ୍କର ପୋଷଣ ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ। ୫୦୦୦ ଟଙ୍କାର ପ୍ରଥମ କିସ୍ତି ରହିଛି ୧୦୦୦ ଟଙ୍କା। ସେହିପରି ଦ୍ୱିତୀୟ କିସ୍ତି ୨୦୦୦ ଟଙ୍କା ଏବଂ ତୃତୀୟ କିସ୍ତି ୨୦୦୦ ଟଙ୍କା ଦିଆଯାଇଥାଏ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସରକାରୀ ଚାକିରି କରୁଥିବା ମହିଳାମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ।

‘ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା’ ଅନ୍ତର୍ଗତ ଆଶା କିମ୍ବା ଏଏନ୍‌ଏମ୍‌ଙ୍କ ଜରିଆରେ ମହିଳାମାନେ ଆବେଦନ କରି ପାରିବେ। ଏଥିପାଇଁ ଆପଣ ଅନଲାଇନ ବି ଆବେଦନ କରି ପାରିବେ। ତେବେ ପ୍ରସବ ସରକାରୀ ହସ୍ପିଟାଲରେ ହେଉ କି ଘରୋଇ ହସ୍ପିଟାଲରେ, ଯୋଜନାର ଲାଭ ସମସ୍ତ ମହିଳାଙ୍କୁ ପ୍ରଦାନ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.