ମୋଦି ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଦେବ ଲାଭାଂଶ, କେତେ ସୁଧୁରିବ ଅର୍ଥନୀତି ?

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ମୋଦି ସରକାରକୁ ନିଜ ଲାଭାଂଶରୁ ଦେବ ୧.୭୬ ଲକ୍ଷ କୋଟି ଟଙ୍କା । ଏପରି ଏକ ନିଷ୍ପତ୍ତି ଭାରତ ଇତିହାସରେ ପ୍ରଥମ । ମୋଟାମୋଟି ଭାବେ କହିବାକୁ ଗଲେ ଏହି ବର୍ଷ ଆରବିଆଇ ନିଜ ଲାଭାଂଶର ଏକ ବୃହତ ଭାଗ ସରକାରଙ୍କୁ ଦେବାକୁ ଯାଉଛି । ବର୍ତ୍ତମାନ ଦେଶର ଅର୍ଥନୀତି ଦୁର୍ବଳ ରହିଛି । ଦେଶରେ ମାନ୍ଦା ଅବସ୍ଥା ଚାଲିଥିବାରୁ ଆରବିଆଇ ଓ କେନ୍ଦ୍ର ସରକାର ମିଳିତ ଭାବେ ଏ ନେଇ ଆଲୋଚନା କରିଥିଲେ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ମଧ୍ୟରେ ଏହି ବୈଠକ ବସି ଘମାଘୋଟ ଆଲୋଚନା ପରେନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦିଆଯାଇଛି ।

RBI-1ବର୍ତ୍ତମାନର ଆର୍ଥିକ ସ୍ଥିତି ଏତେ ଖରାପ ଅଛି ଯେ ବିଭିନ୍ନ ସଂସ୍ଥାରୁ ବହୁ ସଂଖ୍ୟାରେ ଲୋକଙ୍କୁ ଚାକିରିରୁ ଛଟେଇ କରାଯାଉଛି । ଏହା ସହ ସାଧାରଣ ଜନତା ମଧ୍ୟ ନିତି ଦିନିଆ ଖର୍ଚ୍ଚ କମାଇ ଦେଇଛନ୍ତି । ରିୟଲ ଇଷ୍ଟେଟର ପରିସ୍ଥିତି ନକହିବା ଭଲ । ଏଭଳି ଆର୍ଥିକ ମାନ୍ଦାବସ୍ଥା ସମୟରେ ସରକାରଙ୍କ ପାଇଁ କେନ୍ଦ୍ରୀୟ ବ୍ୟାଙ୍କର ଏହି ସାହାଯ୍ୟ ନିଶ୍ଚିତ ରୂପେ ସ୍ୱାଗତ ଯୋଗ୍ୟ । ଏହି ନିଷ୍ପତ୍ତି ସମ୍ପର୍କରେ ୨୦୧୮ ମସିହାରେ ଆରବିଆଇର ପୂର୍ବ ଗଭର୍ଣ୍ଣର ବିମଲ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟିରେ ହିଁ ପ୍ରଥମେ ଆଲୋଚନା କରାଯାଇଥିଲା । କମିଟିରେ ଜଲାନଙ୍କ ବ୍ୟତୀତ ଅରବିଆଇର ପୂର୍ବତନ ଉପଗଭର୍ଣ୍ଣର ଡ. ରାକେଶ ମୋହନ, କେନ୍ଦ୍ରୀୟ ବୋର୍ଡର ଅଧ୍ୟକ୍ଷ ଭାରତ ଯୋଶୀ ଓ ସୁଧୀର ମାନକାଣ୍ଡ, ସୁଭାଷ ଚନ୍ଦ୍ର ଗର୍ଗ ଏବଂ ଏନ.ଏସ. ବିଶ୍ୱନାଥନ ମଧ୍ୟ ସାମିଲ ଥିଲେ ।

RBI-2

ଜେ. ବିମଲ ଜଲାନଙ୍କ କମିଟିରେ ଏହା ମଧ୍ୟ ଆଲୋଚନା ହୋଇଥିଲା ଯେ ଆରବିଆଇ ନିଜ ଲାଭାଂଶରୁ କେତେ ପରିମାଣର ଅର୍ଥ ସରକାରଙ୍କୁ ଦେବା ଉଚିତ ଓ କେତେ ପାଖରେ ରଖିବା ଉଚିତ । ଏହି ୧.୭୬ ଲକ୍ଷ କୋଟିରୁ ଲାଭାଂଶ ୧.୨ ଲକ୍ଷ କୋଟିର ହେଉଥିବା ବେଳେ ବାକି ୫୨, ୦୦୦ କୋଟି ଟଙ୍କା କଣ୍ଟିଜେନ୍ସି ଫଣ୍ଡରୁ ହିଁ ଆସିବ ।
ଅତ୍ୟନ୍ତ ଆର୍ଥିକ ସଙ୍କଟ ପରିସ୍ଥିତିରେ ହିଁ କଣ୍ଟିଜେନସି ଫଣ୍ଡର ଆବଶ୍ୟକତା ପଡିଥାଏ । ପ୍ରତିବର୍ଷ ଅରବିଆଇ ନିଜ ଲାଭାଂଶର କିଛି ଅଂଶ ସରକାରଙ୍କୁ ଦେଇଥାଏ । କିନ୍ତୁ ଏତେ ପରିମାଣର ଆର୍ଥିକ ସାହାଯ୍ୟ କରିବାରେ ଦେଶ ଇତିହାସରେ ପ୍ରଥମ । ଏଥିନେଇ ବହୁ ଅର୍ଥଶାସ୍ତ୍ରୀଙ୍କ ମତାମତ ନିଆଯାଇଥିଲା । କିଛି ଏହା ସପକ୍ଷରେ ମତାମତ ଦେଇଥିବା ବେଳେ ଆଉ କିଛି ଏହାକୁ ନାପସନ୍ଦ କରି ବିପକ୍ଷରେ ମତ ରଖିଥିଲେ । ଅର୍ଥଶାସ୍ତ୍ରୀଙ୍କ ଅନୁଯାୟୀ ଅରବିଆଇ ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାରେ ସେପରି କିଛି ଅସୁବିଧା ନାହିଁ, କାରଣ ଏହା ସରକାରଙ୍କ ହିଁ ଏକ ଅଙ୍ଗ । ନିକଟ ଅତୀତରେ ଅରବିଆଇ ଓ କେନ୍ଦ୍ର ସରକାରଙ୍କ ଭିତରେ ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା ।

RBI-4

ଏଥିରେ ସରକାରଙ୍କ ତରଫରୁ ଯୁକ୍ତି କରାଯାଇଥିଲା କି ଅରବିଆଇ ନିକଟରେ ଦରକାର ଠାରୁ ଅଧିକ ଅର୍ଥ ରହୁଥିଲେ ମଧ୍ୟ ସେ ନିଜ ଲାଭାଂଶର ଏକ କ୍ଷୁଦ୍ର ଭାଗ ସରକାରଙ୍କୁ ଦେଇଥାଏ । ସମୟ ଅନୁସାରେ ଏହାର ପରିମାଣକୁ ନିହାତି ବଢାଯିବା ଦରକାର । ପୂର୍ବ ମୁଖ୍ୟ ଆର୍ଥିକ ପରାମର୍ଶ ଦାତା ଅରବିନ୍ଦ ସୁବ୍ରମଣ୍ୟମ ମଧ୍ୟ ଏହାକୁ ସମର୍ଥନ କରିଥିଲେ | ତାଙ୍କର ଯୁକ୍ତି ଥିଲା କି କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ପ୍ରାୟ ୪.୫ ରୁ ୭ ଲକ୍ଷ କୋଟିରୁ ଅଧିକ ଟଙ୍କା ମହଜୁଦ ରହିଥାଏ, ଯାହାକୁ ଅନ୍ୟ ବ୍ୟାଙ୍କଗୁଡିକର ଆର୍ଥିକ ଅବସ୍ଥାର ଉନ୍ନତି ନିମନ୍ତେ ବ୍ୟବହାର କରାଯିବା ଉଚିତ ।
ଏହି ବିଷୟରେ ଅନ୍ୟ ଅର୍ଥନୀତି ବିଶାରଦମାନଙ୍କ ଠାରୁ ସେମାନଙ୍କ ମତାମତ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ କିଛି ବିଶେଷଜ୍ଞଙ୍କର ଯୁକ୍ତି ଥିଲା କି ଏହା ଦ୍ୱାରା ହୁଏତ ଭବିଷ୍ୟତରେ ଆରବିଆଇର ଅର୍ଥ ବ୍ୟବସ୍ଥା ବିପନ୍ନ ହୋଇପାରେ । ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କର ଚଳିତ ବର୍ଷର ଲାଭ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨ ଗୁଣ ହେବ । ଏହାର ପରିମାଣ ୨୦୧୫-୧୬ରେ ୪୦,୬୫୯ କୋଟି, ୨୦୧୬ -୧୭ରେ ୩୦,୬୫୯ କୋଟି ଓ ୨୦୧୭-୧୮ରେ ୬୫, ୮୭୬ କୋଟି ଟଙ୍କା ଥିଲା | ତେଣୁ ଏହା ମଧ୍ୟ କୁହାଯାଉଛି ଯେ ସରକାର କେନ୍ଦ୍ରୀୟ ବ୍ୟାଙ୍କ ଠାରୁ ଦରକାର ଠାରୁ ଅଧିକ ଅର୍ଥର ସାହାଯ୍ୟ ନେଉ ନାହାନ୍ତି ତ ? ଅନ୍ୟ ପକ୍ଷେ ଆହୁରି ମଧ୍ୟ ପ୍ରଶ୍ନ ଉଠୁଛି ଯେ ସରକାର ଏତେ ବଡ ଅର୍ଥ ରାଶିର ବିନିଯୋଗ କେଉଁଠାରେ ଓ କିପରି କରିବେ । ଅନ୍ୟ ଏକ ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ପୂଜା ମେହେରଙ୍କ କହିବା ଅନୁଯାୟୀ ଏହି ଅର୍ଥକୁ ରାଷ୍ଟ୍ରର ଅତ୍ୟାବଶ୍ୟକ କାମରେ ହିଁ ବିନିଯୋଗ କରାଯିବ ଉଚିତ । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ ଏ ବର୍ଷ ଅରବିଆଇ ଠାରୁ ସହାୟତା ନେଇଥିଲେ ମଧ୍ୟ ସରକାରଙ୍କୁ ନିଜ ଆର୍ଥିକ ଅବସ୍ଥାକୁ ସୁଧାରିବା ନିହାତି ଦରକାର ।

RBI-5ଅନ୍ୟ ଏକ ଅର୍ଥଶାସ୍ତ୍ର ବିଶାରଦଙ୍କ କହିବା ଅନୁଯାୟୀ, ଦେଶ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ଏହି ଅର୍ଥ ନିଶ୍ଚିତ ରୂପେ ଉପଯୋଗୀ ହୋଇପାରିବ । ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଲ ଜଲାନ କହିଛନ୍ତି, ଅରବିଆଇ ନିକଟରେ ସବୁ ସମୟରେ ଅତିକମରେ ୫ ରୁ ୬ ପ୍ରତିଶତ ଅର୍ଥ ନିହାତି ରହିବ ଦରକାର । ଯାହା ଦ୍ୱାରା ସେ ଅତି ଜରୁରୀ ସମୟରେ ବିଭିନ୍ନ ଆର୍ଥିକ ସଙ୍କଟରୁ ବର୍ତ୍ତି ପାରିବ ।
ପୂର୍ବତନ ଗଭର୍ଣ୍ଣର ରଘୁରମ ରାଜନ ଓ ଉରଜିତ ପଟେଲ ନିଜ ପଦ ଛାଡି ଯିବା ପରେ ଆରବିଆଇର ସ୍ୱତନ୍ତ୍ରତା ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା । ଅନ୍ୟପକ୍ଷେ ଅରବିଆଇର ପୂର୍ବ ଉପ ଗଭର୍ଣ୍ଣର ବିରଳ ଆଚାର୍ଯ୍ୟଙ୍କ ମତ ହେଉଛି, ଏହି ବ୍ୟାଙ୍କର ସ୍ୱତନ୍ତ୍ରତାକୁ କ୍ଷୁଣ୍ଣ କରିବା ଉଚିତ ହେବ ନାହିଁ । ସେହିପରି ପୂର୍ବ ଗଭର୍ଣ୍ଣର ଡି. ସୁବାରାଓ ମଧ୍ୟ ଏହା ସପକ୍ଷରେ ନିଜ ମତ ଦେଇଥିଲେ । ତେଣୁ ଆରବିଆଇର ଏହି ନିଷ୍ପତ୍ତି କିପରି ଭାବେ ଦେଶର ଭବିଷ୍ୟତ ଅର୍ଥନୀତିକୁ ପ୍ରଭାବିତ କରୁଛି ତାହା ଦେଖିବା କଥା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.