କୁହୁଡ଼ି ଯୋଗୁ ଟ୍ରେନ୍‌ ବିଳମ୍ବ ହେଲେ ଏମିତି ସୂଚନା ଦେବ ରେଲଓ୍ଵେ, ଆସିଲା ନୂଆ ନିୟମ

ରେଳ ବିଭାଗ ତରଫରୁ ଶୀତଦିନେ କୋହଲା ପାଗ ଓ କୁହୁଡ଼ି ସହ ଲଢ଼ିବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। କୁହୁଡ଼ି ଯୋଗୁ ରାସ୍ତା ପରିଷ୍କାର ଦିଶେ ନାହିଁ। ଫଳରେ ରେଳ ଚଳାଚଳରେ ବାଧାପ୍ରାପ୍ତ ହୋଇଥାଏ। ଏହି କାରଣରୁ ଅନେକ ଥର ଟ୍ରେନ୍‌ ଡେରି ହୁଏ। ବେଳେ ବେଳେ କିଛି ଟ୍ରେନ୍‌ କ୍ୟାନସଲ ମଧ୍ୟ ହୋଇଥାଏ। ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି।

ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଉତ୍ତର ରେଳ ବିଭାଗ ଅଣ୍ଟା ଭିଡ଼ିଛି। ରେଲଓ୍ଵେ ତରଫରୁ ଟ୍ରାକ୍‌ ଚେକ୍‌ କରୁଥିବା କର୍ମଚାରୀଙ୍କୁ ଜିପିଏସ୍‌ଯୁକ୍ତ ହ୍ୟାଣ୍ଡ ହେଲ୍ଡ ଉପକରଣ ଦିଆଯାଇଛି। ଏହା ସାହାଯ୍ୟରେ ସେମାନେ ଟ୍ରାକ୍‌ରେ କିଛି ସମସ୍ୟା ହେଲେ ତୁରନ୍ତ ନିଜ ନିକଟତମ ଷ୍ଟେସନ୍‌ରେ ସୂଚନା ଦେଇପାରିବେ। କୁହୁଡ଼ିରେ ସିଗନାଲର ସୂଚନା ପାଇଁ ସମସ୍ତ ଇଞ୍ଜିନ୍‌ରେ ଫଗ୍‌ ସେଫ୍ଟି ଡିଭାଇସ୍‌ ଲଗାଯାଇଛି। ଫଳରେ କମ୍‌ ଦୃଶ୍ୟମାନ ହେଉଥିବା ବେଳେ ଡ୍ରାଇଭର ଆଗାମୀ ସିଗନାଲର ଅଡିଓ ଭିଜୁଆଲ ବିଷୟରେ ଜାଣିପାରିବେ। ଏହା ବ୍ୟତୀତ ଜିପିଏସ୍‌ ନେଟ୍‌ଓ୍ଵାର୍କ ସହ ଜଡ଼ିତ ସମସ୍ତ ମୋଡିଫାୟାଡ୍‌ ଅଟୋମେଟିକ୍‌ ସିଗନାଲକୁ ଅପ୍‌ଗ୍ରେଡ୍‌ କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ ଷ୍ଟେସନ୍‌ ଓ ଏହାର ଆଖପାଖ ଅଞ୍ଚଳରେ କୁହୁଡ଼ି ଯାଞ୍ଚ ପାଇଁ ଷ୍ଟେସନ୍‌ ସୁପରିଟେଣ୍ଡେଣ୍ଟଙ୍କୁ ଭିଜିବିଲିଟି ଟେଷ୍ଟ କରିବା ଦାୟିତ୍ୱ ଦିଆଯାଇଛି। ରେଲଓ୍ଵେ ଟ୍ରାକ୍‌ରେ ଲାଇମ୍‌ ମାର୍କିଂ ବ୍ୟତୀତ ସାଇଟିଂ ବୋର୍ଡ, ଲେବଲ କ୍ରସିଂ ବୋର୍ଡ, ଫଗ୍‌ ସିଗନାଲ ଚେୟାରଗୁଡ଼ିକୁ ଚମକିବା ଭଳି ରଙ୍ଗ ଦିଆଯାଇଛି।

ଏଥିସହ ରେଳ ବିଭାଗ ତରଫରୁ କୁହାଯାଇଛି ଯେ ଯଦି ଟ୍ରେନ୍‌ ଚଳାଚଳ ଘଣ୍ଟାଏରୁ ଅଧିକ ଡେରି ହେବ ତେବେ ଯାତ୍ରୀଙ୍କୁ ବିଭାଗ ତରଫରୁ ତାଙ୍କ ରେଜିଷ୍ଟ୍ରେସନ୍‌ ମୋବାଇଲରେ ଏସ୍‌ଏମ୍‌ଏସ୍‌ ପଠାଇଦିଆଯିବ। ଯାତ୍ରୀଙ୍କୁ ଭୋଜନ ଦେବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଷ୍ଟଲ ଖୋଲିବାକୁ ନିୟମ କରାଯାଇଛି। ଏଥିସହ ସୁରକ୍ଷା ଦୃଷ୍ଟିରୁ ଜିଆରପି ଓ ଆରପିଏଫ୍‌ର ଅତିରିକ୍ତ ଯବାନମାନଙ୍କୁ ଡ୍ୟୁଟି ଦିଆଯିବ।

You might also like