୧୩ ବର୍ଷ ପରେ ମହାକାଶଚାରୀଙ୍କ ପାଇଁ ନିଯୁକ୍ତି ଆହ୍ଵାନ କଲା ୟୁରୋପିଆନ୍ ସ୍ପେସ୍ ଏଜେନ୍ସି, ଦିବ୍ୟାଙ୍ଗଙ୍କୁ ବି ଦିଆଯିବ ମଉକା
ୟୁରୋପିଆନ୍ ସ୍ପେସ୍ ଏଜେନ୍ସି(ESA) ୧୩ ବର୍ଷ ପରେ ପ୍ରଥମ ଥର ମହାକାଶଚାରୀଙ୍କ ପାଇଁ ନିଯୁକ୍ତି ଆହ୍ଵାନ କରୁଛି। ଏହାର ପ୍ରମୁଖ କାରଣ ହେଉଛି, ୟୁରୋପର ପୁରୁଣା ମହାକାଶଚାରୀଙ୍କର ବୟସ ବଢ଼ିଯିବା। ଏଥିପାଇଁ ESA ମହାକାଶ ମିଶନରେ ନିଜକୁ ସ୍ଥାପିତ କରିବାକୁ ଥିବା ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିଛି। ଯଦି ଆପଣ ଫିଟ୍, ସୁସ୍ଥ ତଥା ପ୍ରତିକୂଳ ପରିସ୍ଥିତିରେ ନିଜକୁ ଶାନ୍ତ ରଖି କାମ କରିବାର କ୍ଷମତା ରଖିଛନ୍ତି, ତା’ହେଲେ ଆବେଦନ କରିପାରିବେ।
ମହାକାଶଚାରୀଙ୍କ ଚୟନ ପରେ ୩ ସପ୍ତାହ ପର୍ଯ୍ୟନ୍ତ କେଭିଂ ଏବଂ ବ୍ୟବହାରିକ ଭୂ-ବିଜ୍ଞାନର କୋର୍ସ ସାମିଲ କରାଯିବ। ସର୍ବ ପ୍ରଥମେ ନୂଆ ମହାକାଶଚାରୀଙ୍କୁ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ ପଠାଯିବ। ପରେ ୨୦୨୦ ଦଶକ ଶେଷରେ ନଚେତ୍ ୨୦୩୦ର ମଧ୍ୟବର୍ତ୍ତୀ ସମୟରେ ମୁନ୍ ମିଶନରେ ପଠାଯିବ। ଏଥର ESA ମହାକାଶଚାରୀଙ୍କ ପାଇଁ ଏକ ଖାସ୍ ଆବେଦନ ଶ୍ରେଣୀ ରଖିଛି, ଯେଉଁଥିରେ ଦିବ୍ୟାଙ୍ଗମାନେ ମଧ୍ୟ ଆବେଦନ କରିପାରିବେ।
ତେବେ ଆଶାୟୀମାନଙ୍କୁ ପ୍ରାକୃତିକ ବିଜ୍ଞାନ, ଚିକିତ୍ସା, ଇଞ୍ଜିନିୟରିଂ, ଗଣିତ, କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର ଡିଗ୍ରୀର ଆବଶ୍ୟକତା ହେବ। ନଚେତ୍ ସେମାନେ ଏକ୍ସପେରିମେଣ୍ଟାଲ୍ ପାଇଲଟ୍ ରୂପେ କ୍ୱାଲିଫାଇ ହେବା ଉଚିତ। ବାକି ଆବଶ୍ୟକତା ସହିତ ଭଲ ଇଂଲିଶ୍ ମଧ୍ୟ ଆସୁଥିବା ଦରକାର। ଏହି ଚାକିରି ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଚାପରେ ରହି କାମ କରି ଆସୁଥିବା ଦରକାର। ବିଜ୍ଞାନ ମନ୍ତ୍ରୀ ଅମାଣ୍ଡା ସୋଲୋବେ କହିଛନ୍ତି, ମହାକାଶଚାରୀ ହେବାକୁ ଅନେକ ଲୋକଙ୍କର ସ୍ୱପ୍ନ ରହିଥାଏ। ୨୦୧୫ରେ ମହାକାଶ ପାଇଁ ଟିମ୍ ପିକ୍ଙ୍କ ଐତିହାସିକ ମିଶନକୁ ଲକ୍ଷେ ଲୋକ ଦେଖିଛନ୍ତି। ଏହା ବାକି ଲୋକଙ୍କ ପାଇଁ ମଧ୍ୟ ବାସ୍ତବତା ବନିପାରେ। ଏଥିପାଇଁ ନୂଆ ପିଢ଼ିଙ୍କୁ ଏହି ଆବେଦନକୁ ଭରିବା ଉଚିତ ଏବଂ ମହାକାଶଚାରୀ ହେବାର ମଉକାକୁ ହାତଛଡ଼ା କରିବା ଉଚିତ ନୁହେଁ।
Not long now until @ESA’s #AstronautSelection opens! 🧑🚀
Do you have what it takes to be the next UK astronaut? 🚀
Applications open on 31 March; find out more 👇https://t.co/fYFmTqafvS
— UK Space Agency (@spacegovuk) February 28, 2021
୧୯୮୯ରେ ହେଲେନ ଶରମନ ପ୍ରଥମ ବ୍ରିଟିଶ ମହାକାଶଚାରୀ ହୋଇପାରିଥିଲେ। ତାଙ୍କ ଚୟନ ଜଏଣ୍ଟ ୟୁକେ ସୋଭିୟତ ସଙ୍ଘ ମିଶନରେ ହୋଇଥିଲା। ୧୯୯୧ରେ ଶରମନ ମହାକାଶରେ ୮ ଦିନ କଟାଇଥିଲେ ଏବଂ ମୀର୍ ସ୍ପେସ୍ ଷ୍ଟେଶନରେ ପହଞ୍ଚିବାରେ ପ୍ରଥମ ମହିଳା ମହାକାଶଚାରୀ ହୋଇପାରିଥିଲେ। ବ୍ରିଟିଶ ମହାକାଶଚାରୀ ଟିମ୍ ପିକ୍ କହିଛନ୍ତି, ଆଗାମୀ ସମୟରେ ମହାକାଶର ଯାତ୍ରା ବହୁତ ରୋମାଞ୍ଚକ ହେବାର ଅଛି। କାରଣ, ଆମେ ଚନ୍ଦ୍ରପୃଷ୍ଠକୁ ପୁଣି ଯିବୁ। ମାର୍ସ ପୃଷ୍ଠକୁ ମଧ୍ୟ ଯିବୁ। ଆମକୁ ମହାକାଶରେ କାମ କରିବା ପାଇଁ ଅଲଗା ଅଲଗା ପୃଷ୍ଠଭୂମିରୁ ପ୍ରେରିତ ଲୋକଙ୍କର ଆବଶ୍ୟକତା ହେଉଛି।
ୟୁରୋପିଆନ୍ ସ୍ପେସ୍ ଏଜେନ୍ସି ମହାକାଶଚାରୀ ହେବା ପାଇଁ ଆବେଦନର ଶେଷ ତାରିଖ ୨୮ ମେ’ ପର୍ଯ୍ୟନ୍ତ ରହିବ। ଆବେଦନ ଗ୍ରହଣ ୩୧ ମାର୍ଚ୍ଚରୁ ଆରମ୍ଭ ହେବ। ଏହାପରେ ଚୟନ ପ୍ରକ୍ରିୟା ୧୭ ମାସ ଧରି ଚାଲିବ। ଏଥିରେ ସ୍କ୍ରିନିଂ, ସାଇକୋଲଜିକାଲ୍, ପ୍ରାକ୍ଟିକାଲ୍, ମେଡିକାଲ ସହିତ ୨ ଫେଜ୍ର ଇଣ୍ଟରଭ୍ୟୁ ଦେଇ ଯିବାକୁ ପଡ଼ିବ। ଶେଷରେ ୨୦୨୨ ଅକ୍ଟୋବରରେ ଫଳାଫଳ ସାମ୍ନାକୁ ଆସିବ।