Below header

କେଉଁ ଜୋନ୍‌ରେ କିଭଳି ଭାବେ ଖୋଲା ରହିବ ବେସରକାରୀ ଅଫିସ୍‌ : ପ୍ରେସ୍‌ମିଟ୍‌ରେ ବାଗଚୀଙ୍କ ପ୍ରଶ୍ନ ଓ ସଞ୍ଜୟ ସିଂହଙ୍କ ଉତ୍ତର

ବାଗଚୀଙ୍କ ପ୍ରଶ୍ନ : ମୁଁ ମୋର ଏକ ବେସରକାରୀ ସଂସ୍ଥା କରିଛି । କାର୍ଯ୍ୟାଳୟ ଖୋଲି ପାରିବି କି ?

ସଞ୍ଜୟ ସିଂହଙ୍କ ଉତ୍ତର : କରୋନା ପାଇଁ ରାଜ୍ୟକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ପ୍ରଥମ କଣ୍ଟେନମେଣ୍ଟ ଜୋନ, ଦ୍ୱିତୀୟ ରେଡ୍‌ ଜୋନ୍‌, ତୃତୀୟ ଅରେଞ୍ଜ ଜୋନ୍‌ ଏବଂ ଚତୁର୍ଥ ହେଉଛି ଗ୍ରୀନ୍‌ ଜୋନ୍‌ । କଣ୍ଟେନମେଣ୍ଟ ଜୋନ୍‌ରେ ଅଫିସ୍‌ ଖୋଲା ଯାଇ ପାରିବ ନାହିଁ ।
ରେଡ୍‌ ଜୋନ୍‌ରେ ଓ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଅଫିସ୍‌ ଥିଲେ ଖୋଲି ପାରିବେ । କେବଳ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରି ହେବ । ଏନେଇ ଆଉ କିଛି କଟକଣା ଅବଶ୍ୟ ରହିଛି । ଅରେଞ୍ଜ କିମ୍ବା ଗ୍ରୀନ୍‌ ଜୋନ୍‌ରେ ଅଫିସ୍‌ ଥିଲେ କୌଣସି କଟକଣା ନାହିଁ ।

ପ୍ରଶ୍ନ : କର୍ମଚାରୀମାନେ କିଭଳି ଅଫିସ୍‌ ଆସିବେ ?

ଉତ୍ତର : କେଉଁ କର୍ମଚାରୀମାନେ ଅଫିସ୍‌ ଆସିବେ ତାର ଏକ ତାଲିକା ପ୍ରସ୍ତୁତ କରି ସଂପୃକ୍ତ ସଂସ୍ଥା ଅଫିସ୍‌ ଅର୍ଡର ବାହାର କରିବେ । ତାର ଏକ କପି ଏବଂ ପରିଚୟପତ୍ର ପ୍ରତ୍ୟେକ ଅଫିସ୍‌ ଆସୁଥିବା କର୍ମଚାରୀଙ୍କ ପାଖରେ ରହିବ । ଯାହା ସେ ଯାଞ୍ଚ ବେଳେ ଦେଖାଇଲେ ତାଙ୍କୁ ଛାଡ଼ି ଦିଆଯିବ । ତେବେ ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ଏହି କଟକଣା ନାହିଁ। କର୍ମଚାରୀମାନେ କିନ୍ତୁ ନିଜ ପରିଚୟପତ୍ର ପାଖରେ ରଖିବେ ।
କଣ୍ଟେନମେଣ୍ଟକୁ ଛାଡ଼ି ଅନ୍ୟ ସବୁ ଜୋନ୍‌ରେ ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଚଳପ୍ରଚଳ ହୋଇ ପାରିବ । ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ କାର୍ଯ୍ୟାଳୟ ବନ୍ଦ ରହିବ ।

ଯାନବାହନ

ରେଡ୍‌ ଜୋନ୍‌ରେ ଚାରି ଚକିଆ ଗାଡ଼ି ଯଦି ଅଫିସ୍‌ ଆସୁଛନ୍ତି ତେବେ ଡ୍ରାଇଭର ସହିତ ଆଉ ୨ ଜଣ ବସି ଆସି ପାରିବେ । ଦୁଇ ଚକିଆ ଗାଡ଼ିରେ ଜଣେ ମାତ୍ର (ଚାଳକ) ହିଁ ଯାଇ ପାରିବେ । ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଚଳ ପ୍ରଚଳ ହୋଇ ପାରିବ ।
ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ମଧ୍ୟ ଏହି ନିୟମ ଲାଗୁ ଅଛି । ତେବେ ସମସ୍ତଙ୍କୁ ନିଜ ପାଖରେ ପରିଚୟ ପତ୍ର ରଖିବାକୁ ପଡ଼ିବ ।

କାର୍ଯ୍ୟ ସମୟ ୮ରୁ ୧୨ ଘଣ୍ଟାକୁ ବୃଦ୍ଧି

ଅଫିସ୍‌ରେ କାର୍ଯ୍ୟ ସମୟ ୮ ଘଣ୍ଟା ବଦଳରେ ୧୨ ଘଣ୍ଟାକୁ ବୃଦ୍ଧି କରାଯାଇଛି । ସପ୍ତାହକୁ ୭୨ ଘଣ୍ଟା କାମ କରିବାକୁ ହେବ । ଗୋଟିଏ ଲେଖାଏଁ ସିଫ୍ଟ ୬ ଘଣ୍ଟାରୁ ଅଧିକ ରହିବ ନାହିଁ । ଦୁଇଟି ସିଫ୍ଟ ମଧ୍ୟରେ ଅଧଘଣ୍ଟା ବିରତି ରହିବ । ତେବେ ଅଧିକ ଘଣ୍ଟା କାମ ପାଇଁ ଓଭର ଟାଇମ୍‌ ମିଳିବ । ଅବଶ୍ୟ ଏହି ଓଭର ଟାଇମ୍‌ ବାବଦ ଅର୍ଥ ୨୪ ଘଣ୍ଟାରୁ ଅଧିକ ମିଳିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ସଞ୍ଜୟ ସିଂହ କହିଛନ୍ତି । ସେ କହିଛନ୍ତି ଯେ ମହିଳା କର୍ମଚାରୀମାନେ ରାତି ୭ରୁ ସକାଳ ୬ଟା ଯାଏ କାମ କରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.