ଆସନ୍ତାକାଲିଠୁ ୪୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ହେବ କୋଭିଡ୍ ଟିକାକରଣ

ଭୁବନେଶ୍ବର: ଆସନ୍ତାକାଲିଠୁ ୪୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ହେବ କୋଭିଡ ଟିକାକରଣ। ଏହା ପୂର୍ବରୁ ସର୍ବାଧିକ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାଦାନ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମୁନିସିପାଲିଟି କମିଶନର, ସିଡିଏମଓଙ୍କୁ ଚିଠି ଲେଖି ଜଣାଇଛନ୍ତି।

ସୁପର ସ୍ପ୍ରେଡର ହେବାର ଆଶଙ୍କା ଥିବା ବୁଲା ବିକାଳୀ, ମାଛ ଓ ମାଂସ ବିକ୍ରେତା, ଅଟୋ ଓ ବସ୍‌ ଡ୍ରାଇଭର, ସ୍କୁଲ ଓ କଲେଜ ଶିକ୍ଷକ ଶିକ୍ଷୟିତ୍ରୀ, ସାଲୁନ କର୍ମଚାରୀ, ସିକ୍ୟୁରିଟି ଗାର୍ଡ, ରେଷ୍ଟୁରାଣ୍ଟ କର୍ମଚାରୀ, ବିଭିନ୍ନ ଧର୍ମାନୁଷ୍ଠାନର ପୂଜାରୀଙ୍କୁ ପ୍ରଥମେ ଟିକା ଦେବାକୁ ନିଷ୍ପତ୍ତି ହୋଇଛି। ଏହି ବ୍ୟକ୍ତିମାନେ ପ୍ରତିଦିନ ଅନେକଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କ ଦ୍ୱାରା କୋଭିଡ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏହାବାଦ୍‌ ୪୫ରୁ ୫୯ବର୍ଷ ମଧ୍ୟରେ ଲୋକସେବା ଭବନର ସମସ୍ତ କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କ ଟିକାକରଣ କରାଯିବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ପୂର୍ବଭଳି କଡ଼ାକଡ଼ି କରାଯିବ। ଏପ୍ରିଲ ୧ତାରିଖରୁ ପ୍ରତିଦିନ ପ୍ରତି ଜିଲ୍ଲାରେ ୨ଲକ୍ଷ ଲୋକଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏପ୍ରିଲ ୧ ଓ ୨ ତାରିଖରେ ଛୁଟି ସତ୍ତ୍ୱେ ଟିକାକରଣ ହେବ ବୋଲି କୁହାଯାଇଛି। ରାଜ୍ୟରେ ଏବେ ସୁଦ୍ଧା ୨୩ ଲକ୍ଷ ୨୬ ହଜାର ୯୧୪ଜଣ ଟିକା ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ସଂକ୍ୟା ହେଉଛି ୧୩ଲକ୍ଷ ୪୧ ହଜାର ୪ଶହ୫୭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.