କରୋନାକୁ ଭୟ କର ନାହିଁ କି ଅତି ଦୁଃସାହସୀ ଭଳି କାମ ବି କର ନାହିଁ

ଖୁସି ଲାଗୁଛି ଏହି କରୋନାର ଭୟାବହତା ସମୟରେ ଅନେକ ବିଶିଷ୍ଟ ବ୍ୟକ୍ତି ଆଗକୁ ଆସି ସେମାନେ ଆଇସୋଲେସନ୍‌ ବା ଅଲଗା ରହୁଥିବା କଥା ସ୍ପଷ୍ଟ ଭାବେ ସମସ୍ତଙ୍କ ଆଗରେ କହୁଛନ୍ତି । ଯାହା ବର୍ତ୍ତମାନ ସମୟରେ ଅତ୍ୟନ୍ତ ଜରୁରୀ । ଏହି କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସାରା ବିଶ୍ୱକୁ ପ୍ରଭାବିତ କରିଛି । ଆମ ଜୀବନଯାତ୍ରୀରେ ପ୍ରତିବନ୍ଧକ ସୃଷ୍ଟି କରିଛି । ସବୁ କ୍ଷେତ୍ରରେ ଏବେ ସ୍ଥିତି ସ୍ଥାଣୁ ଅବସ୍ଥାକୁ ଯାଉଛି । ତେବେ ଯାହାର ପ୍ରତିକାର ନାହିଁ ତକୁ ଆମେ କେବଳ ଦୈବୀ ଦୁର୍ବିପାକ ହିଁ କହି ପାରିବା । ବାତ୍ୟା, ବନ୍ୟା ଓ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ଇଏ ଆଉ ଏକ ରୂପ ବୋଲି ହିଁ କହି ହେବ । ଯାହାର ମୁକାବିଲା କରିବା ଛଡ଼ା ଆମ ପାଖରେ ଅନ୍ୟ କୌଣସି ରାସ୍ତା ହିଁ ନାହିଁ ।

corona

ଅତୀତରେ ବି ଆମେ ଜିତିଛୁ

ଇତିହାସକୁ ଦେଖିଲେ ଜାଣି ପାରିବା ଯେ ଅତୀତରେ ଆମ ଦେଶ ଓ ରାଜ୍ୟରେ ହଇଜା, ପ୍ଲେଗ୍‌ ଠାରୁ ଆରମ୍ଭ କରି ମରୁଡ଼ି ଯାଏ ଅନେକ ବିପତ୍ତି ଆସିଛି । ଲୋକ ପୋକ ମାଛି ଭଳି ମରିଛନ୍ତି । କାରଣ ସେତେବେଳେ ଏହାର ମୁକାବିଲା କରିବାକୁ ଆମ ପାଖରେ କୌଣସି ଭିତ୍ତିଭୂମି ନଥିଲା । ଲୋକେ ରୋଗକୁ ନେଇ ସଚେତନ ନଥିଲେ । ହେଲେ ସେ ସମୟ ଆଉ ନାହିଁ । ବର୍ତ୍ତମାନର ସମୟ ଆମକୁ ବିଜ୍ଞାନ ଦୃଷ୍ଟିରୁ ଢେର କିଛି ଦେଇଛି । ସେ ଚିକିତ୍ସା କ୍ଷେତ୍ର ହେଉ କି ଯୋଗାଯୋଗ ସବୁଥିରେ ମଣିଷ ସମାଜ ଖୁବ୍‌ ଆଗରେ । ତଥାପି ଏସବୁ ପରେ ମଧ୍ୟ ଆମ ପାଇଁ ଏଭଳି ସ୍ଥିତି ସୃଷ୍ଟି ହେଉଛି ଯେଉଁଠି ଆମେ କିଛି କରିବାର ଉପାୟ ପାଉନାହୁଁ । ଠିକ୍‌ ଯେମିତି ଏବେ କରୋନା ଆମକୁ ସେଭଳି ‘କିଂ କର୍ତ୍ତବ୍ୟ ବିମୂଢ଼’ ସ୍ଥିତିରେ ପକାଇ ଦେଇଛି । ତେଣୁ କେବଳ ସତର୍କତା ଓ ସଚେତନତା ହିଁ ଏହି ଭାଇରସ୍‌କୁ ପ୍ରତିରୋଧ କରି ପାରିବ ।

corona virus2

ପରାମର୍ଶଗୁଡ଼ିକ ମାନିବା ଜରୁରୀ କାହିଁକି

ସରକାର ପୂରା ଦମ୍‌ ଲଗାଇ ରୋଗକୁ ବ୍ୟାପିବାରୁ ରୋକିବା ଲାଗି ଉଦ୍ୟମ ଜାରି ରଖିଛନ୍ତି । କିଭଳି ଭାବେ ସତର୍କ ରହିଲେ ରୋଗ ଆପଣଙ୍କୁ ଛୁଇଁ ପାରିବ ନାହିଁ ତାର ଗାଇଡ୍‌ ଲାଇନ୍‌ ମଧ୍ୟ ଜାରି କରିଛନ୍ତି । ସେଗୁଡ଼ିକ ଠିକ୍‌ ଭାବେ ପାଳନ କରିବା ସହ କିଛି ସମୟ ପାଇଁ ଭିଡ଼ ଏବଂ ଲୋକାରଣ୍ୟ ଜାଗାରୁ ଦୂରେଇ ରହିଲେ ଆମ ସମସ୍ତଙ୍କ ପାଇଁ ଭଲ । ଦୁଃସାହସୀ ନହୋଇ ସଚେତନ ହୋଇ ଚଳିବା ପାଇଁ ଯେଉଁ ସବୁ ପରାମର୍ଶ ଦିଆଯାଇଛି ତାକୁ ପାଳନ କରିବା ଉଚିତ । ଯାହାଫଳରେ ଆମେ ଏହି ରୋଗ ସହ ପରୋକ୍ଷରେ ଲଢ଼ି ପାରିବା ।
ପୁରୀ ଗଜପତି ଦିବ୍ୟସିଂହ ଦେବ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଭିନିଲ କ୍ରିଷ୍ଣା, ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ଖୋଲାଖୋଲି ଭାବେ ନିଜେ ଓ ନିଜ ପରିବାରକୁ ‘ଆଇସୋଲେସନ୍‌’ରେ ରଖିଥିବା କଥା କହିଛନ୍ତି । କାରଣ ଏହି ରୋଗରୁ ଧନୀ କି ଗରିବ କେହି ବି ବାଦ୍‌ ପଡ଼ି ନାହାନ୍ତି । ସେଥିପାଇଁ କେବଳ ସତର୍କ ରହିବା ହିଁ ଜରୁରୀ ।

କଥା ମାନିଲେ ସବୁ ଠିକ୍‌ ହୋଇଯିବ

ଯଦି ଆମେ ଠିକ୍‌ ଭାବେ ଏହାର ମୁକାବିଲା କରିବା ତେବେ ଏହା ଶୀଘ୍ର ଆମ ଠାରୁ ଦୂରେଇ ଯିବ । ନଚେତ ଆମେ ଯେତେ ବିଳମ୍ବ ଓ ଅବହେଳା କରିବା ସେତେ ଦିନ ଆମକୁ କରୋନା ହଇରାଣ ହରକତ କରିବ । ହୁଏତ ଆଗକୁ ଆମେ କେବଳ ନିଜ ଘରେ ବନ୍ଦୀ ହୋଇ ରହିବାର ସ୍ଥିତି ଉପୁଜି ପାରେ । କାରଣ ବର୍ତ୍ତମାନ ଠାରୁ ଆମ ପାଇଁ ସ୍କୁଲ, କଲେଜ, ଅଫିସ୍‌, ମଲ୍‌, ହାଟ, ମେଳା ମହୋତ୍ସବ, ବୈଠକ ବନ୍ଦ ହୋଇଗଲାଣି । ଯାହା ପାଖରେ ଗୁହାରୀ କରିବା ସେଇ ଠାକୁର ମନ୍ଦିରରେ ଏତେ କଟକଣା ଯେ ଭକ୍ତଙ୍କ ସଂଖ୍ୟା କମି ଗଲାଣି । ଟ୍ରେନ୍‌ ଓ ବସ୍‌ରେ ଲୋକେ ଯାତ୍ରା କରିବାକୁ ଭୟ କଲେଣି । ତେଣୁ ଯାତ୍ରୀ ସଂଖ୍ୟା କମି ଯାଇଛି ।

ଏସବୁ କେବଳ କରୋନା ଭୟ ଯୋଗୁଁ ଘଟିନି । ଅନେକ ହୁଏତ ଡରିଥିବେ ହେଲେ ଅନ୍ୟମାନେ ସତର୍କତା ଅବଲମ୍ବନ କରିଥିବେ । ଆମେ ଦେଖିବାକୁ ପାଇଛୁ କିଛି ଲୋକ ଦୁଃସାହସୀ ହୋଇ କହୁଛନ୍ତି ‘ହଁ କରୋନା କଣ କରିବ ମ? । ମାସ୍କ କାହିଁକି ପିନ୍ଧିବୁ, ଅଯଥାରେ ଲୋକଙ୍କୁ ଡରାଉଛନ୍ତି । କିଛି ହେବ ନାହିଁ’ । ତେବେ ସେଭଳି ବ୍ୟକ୍ତିଙ୍କୁ ଆମର ଅନୁରୋଧ କରୋନାକୁ ସାହସର ସହିତ ସାମନା କରନ୍ତୁ କିନ୍ତୁ ଦୁଃସାହସୀ ହୋଇ କୌଣସି ଭୁଲ କରି ବସନ୍ତୁ ନାହିଁ । ଯାହା କେବଳ ତାଙ୍କ ପାଇଁ ନୁହେଁ, ଅନ୍ୟମାନଙ୍କ ପାଇଁ ମଧ୍ୟ ବିପଦର କାରଣ ପାଲଟିବ ।

corona mask

କଣ କରିବେ

ଯଦି ଆପଣଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଯାଉଛି ତେବେ ଭୟ ନକରି ନିଜକୁ ପରିବାର ଓ ବନ୍ଧୁମାନଙ୍କ ଠାରୁ ଦୂରେଇ ରଖନ୍ତୁ । ବାରମ୍ବାର ହାତକୁ ସଫା ରଖିବା ସହିତ ଆଖି, ନାକ ଓ ମୁହଁରେ ହାତ ମାରନ୍ତୁ ନାହିଁ । ଆଉ ଗୋଟିଏ କଥା ମଧ୍ୟ ଜାଣି ରଖନ୍ତୁ, ଆପଣ ଯଦି କରୋନା ଭାଇରସ୍‌ ପଜେଟିଭ୍‌ ଆସେ ସେଭଳି କିଛି ଔଷଧ ନାହିଁ ଯାହାକୁ ଖାଇଲେ ଆପଣ ତୁରନ୍ତ ଭଲ ହୋଇଯିବେ । ଏଥିରେ କେବଳ ନିଜକୁ ଜଗି ଚଳିବା ଦରକାର ।

coronavirus

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.