ଆଜିଠୁ ଜୁନ୍‌ ୯ ଯାଏ ବନ୍ଦ ରହିବ ରାଷ୍ଟ୍ରପତି ଭବନ, ଶପଥ ଗ୍ରହଣ ସମାରୋହ ପାଇଁ ଚାଲିଛି ପ୍ରସ୍ତୁତି

ରାଷ୍ଟ୍ରପତି ଭବନ ବୁଧବାରରୁ ରବିବାର ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ । ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହର ପ୍ରସ୍ତୁତି ଯୋଗୁ ରାଷ୍ଟ୍ରପତିଙ୍କ ଭବନ ବନ୍ଦ ରହିବ ବୋଲି ଏକ ସରକାରୀ ବିବୃତ୍ତିରେ ଘୋଷଣା କରାଯାଇଛି ।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଜାରି ବୟାନରେ କୁହାଯାଇଛି, ରାଷ୍ଟ୍ରପତି ଭବନରେ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହର ପ୍ରସ୍ତୁତି ହେତୁ ରାଷ୍ଟ୍ରପତି ଭବନ (ସର୍କିଟ –୧) ଜୁନ୍‌ ୫ରୁ ୯ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ ।

ସର୍କିଟ-୧ରେ ପରିଦର୍ଶକମାନେ ମୁଖ୍ୟ ଭବନ, ପ୍ରାଙ୍ଗଣ, ସ୍ୱାଗତ କକ୍ଷ, ନଭଚାରା, ଭୋଜ କକ୍ଷ, ଉପର ଲୋଗିଆ, ଲୁଟିଏନ୍ସର ଗ୍ରାଣ୍ଡ ସିଡି, ଗେଷ୍ଟ ୱିଙ୍ଗ୍, ଅଶୋକ ହଲ୍, ଉତ୍ତର ଡ୍ରଇଂ ରୁମ୍, ଲମ୍ବା ଡ୍ରଇଂ ରୁମ୍, ଲାଇବ୍ରେରୀ, ଡର୍ବାର ହଲ୍ ଏବଂ ପ୍ରଭୁ ବୁଦ୍ଧଙ୍କ ମୂର୍ତ୍ତି ପରିଭ୍ରମଣ କରିଥାଆନ୍ତି ।

ସେପଟେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ପହଞ୍ଚି ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୂତ୍ର ମୁତାବକ, ଆସନ୍ତା ଜୁନ୍‌ ୮ରେ ପିଏମ୍‌ ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦର ଶପଥ ନେଇପାରନ୍ତି ।

ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଆସିବା ପରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ସରକାର ଗଠନ ପାଇଁ ଦାବି କରିଛି । ବିଜେପି ୨୪୦ଟି ଆସନ ଜିତି ସବୁଠାରୁ ବଡ଼ ଦଳ ହୋଇ ପାରିଛି, କିନ୍ତୁ ବହୁମତର ସଂଖ୍ୟା ୨୭୨ ରହିଛି । ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ ୨୯୨ ଆସନ ସହିତ ବହୁମତ ହାସଲ କରିବାରେ ସଫଳ ହୋଇଛି ।

କହି ରଖୁଛୁ, ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ୨୩୪ ଆସନରେ ବିଜୟ ହାସଲ କରିଛି । ଆଜି ଜୁନ୍‌ ୫ରେ ରାଜଧାନୀ ଦିଲ୍ଲୀରେ ଉଭୟ ମେଣ୍ଟ ଏନ୍‌ଡିଏ ଏବଂ ଇଣ୍ଡିଆର ପୃଥକ୍‌ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

Leave A Reply

Your email address will not be published.