ଉତ୍ତରାଖଣ୍ଡ: ଉତ୍ତରକାଶୀରେ ଖରାପ ପାଗ ଯୋଗୁଁ ରାସ୍ତା ଭୁଲିଗଲେ ପର୍ବତାରୋହୀ, ୪ ମୃତ

ଉତ୍ତରାଖଣ୍ଡ ଉତ୍ତରକାଶୀରେ ବିଗିଡିଲା ପାଗ । ଅସହ୍ୟ ଥଣ୍ଡାରେ ଛଟପଟ ହୋଇ ଜୀବନ ହାରିଲେ ପର୍ବତାରୋହୀ । ଉତ୍ତରକାଶୀ ଟିହରି ଜନପଦ ସୀମା ନିକଟସ୍ଥ ୧୪୫୦୦ ଫୁଟ ଉଚ୍ଚତାରେ ଥିବା ସହସ୍ତ୍ରତାଲ ଟ୍ରାକରେ ଘଟିଛି ଏଭଳି କିଛି ଘଟଣା । ମଲ୍ଲା-ସିଲ୍ଲା-କୁଶକଲ୍ୟାଣ-ସହସ୍ତ୍ରତାଲ ଟ୍ରାକରେ ୪ଜଣ ଟ୍ରାକରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏବେବି ଆହୁରି ୧୮ ଜଣ ସେଠାରେ ଫଶି ରହିଛନ୍ତି । ତେବେ ଏମାନଙ୍କୁ ଉଦ୍ଧାର ପାଇଁ ବାୟୁସେନା ସାହାଯ୍ୟ କରୁଛି ।

ଖବର ମୁତାବକ, ମେ ୨୯ ତାରିଖରେ ଏକ ୨୨ ଜଣିଆ ଟିମ୍ ମଲ୍ଲା-ସିଲ୍ଲାରୁ କୁଶ କଲ୍ୟାଣ ବୁଗିଆଲ୍ ଦେଇ ସହସ୍ତ୍ରାତାଲ ଟ୍ରାକିଂ କରିବା ପାଇଁ ବାହାରି ଥିଲେ । ଜୁନ୍ ୨ରେ ଏହି ଦଳ ସହସ୍ତ୍ରାତାଲର କୋଖଲି ଟପ୍ ବେସ୍ କ୍ୟାମ୍ପରେ ପହଞ୍ଚିଥିଲେ । ଜୁନ୍ ୩ରେ ଏହି ଟିମ୍ ସହସ୍ତ୍ରାତାଲ ଅଭିମୁଖେ ଯାତ୍ରା କରିଥିଲେ । ଆସନ୍ତା ୭ ତାରିଖରେ ଏମାନେ ଫେରିଥାନ୍ତେ । କିନ୍ତୁ ସେଠାରେ ହଠାତ୍ ଖରାପ ପାଗ, ଘନ କୁହୁଡି ଏବଂ ତୁଷାରପାତ ମଧ୍ୟରେ ଟ୍ରାକରମାନେ ଫସି ଯାଇଥିଲେ । ତେବେ ପ୍ରବଳ ଥଣ୍ଡା ହେତୁ ଚାରିଜଣ ଟ୍ରାକରଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଅସୁସ୍ଥ ରହିଥିବା ଜଣାପଡିଛି ।

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପାଟୱାଲ କହିଛନ୍ତି ଯେ, ଟ୍ରାକିଂ ଦଳରେ କର୍ଣ୍ଣାଟକର ୧୮ ଜଣ, ମହାରାଷ୍ଟ୍ରର ଜଣେ ଏବଂ ତିନି ଜଣ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ । ଉଦ୍ଧାର ପାଇଁ SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ବାୟୁସେନାକୁ ଅନୁରୋଧ କରିଥିଲା । ବାୟୁସେନାର ହେଲି ସର୍ଚ୍ଚ ଏବଂ ଉଦ୍ଧାରକାରୀ ଟିମ୍‌ ଅଭିଯାନରେ ସାମିଲ ରହିଛନ୍ତି । ସେଠାରେ ଥିବା ସମସ୍ତ ହେଲିପ୍ୟାଡକୁ ଆଲର୍ଟ ମୋଡରେ ରଖାଯାଇଛି । ଆମ୍ବୁଲାନ୍ସ ଟିମ୍‌ ମଧ୍ୟ ନିୟୋଜିତ ରହିଛି । ତେବେ ବାୟୁସେନାର ଦୁଇଟି ଚେତକ ହେଲିକପ୍ଟର ଏହି ଅଭିଯାନରେ ଲାଗିଛି ।

Leave A Reply

Your email address will not be published.