Below header

ଆସନ୍ତାକାଲି ସମଗ୍ର ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍, କୋଭିଡ୍ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି

ସମ୍ବଲପୁର: ଆସନ୍ତା ୫ ତାରିଖ ରବିବାର ଦିନ ସମଗ୍ର ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍ । କୋଭିଡ୍ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଥିଲା ବେଳେ ଏହାକୁ ରୋକିବା ପାଇଁ ଆସନ୍ତା ରବିବାର ଦିନ ସମଗ୍ର ଜିଲ୍ଲାକୁ ସଟ୍‌ଡାଉନ୍‌ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଛି। ମହାମାରୀ ଆଇନ୍‌ ୧୮୯୭ ତଥା ବିପର୍ଯ୍ୟୟ ପ୍ରବନ୍ଧନ ଆଇନ୍‌ ୨୦୦୯ ଅନୁଯାୟୀ ନିଜ ସ୍ବତନ୍ତ୍ର କ୍ଷମତାର ଉପଯୋଗ କରି ଜିଲ୍ଲାପାଳ ଶୁଭମ୍ ସକ୍‌ସେନା ଉକ୍ତ ଦିନ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ସଟ୍‌ଡାଉନ୍ ଦିନ ଜିଲ୍ଲାରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ। ତେବେ ଏଥିରୁ ସମସ୍ତ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଛି। ଏହାଛଡ଼ା ଜିଲ୍ଲା ଓ ମହାନଗର ନିଗମ, ପୁଲିସ୍‌, ଅଗ୍ନିଶମ ସେବା, ଜରୁରୀ କାର୍ଯ୍ୟରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ଟେଲିକମ୍‌ ସେବା, ପେଟ୍ରୋଲ୍‌ ପମ୍ପ, ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମ, ଜଳଯୋଗାଣ, ପରିମଳ, ସ୍ବେରେଜ୍‌, ବିଦ୍ୟୁତ୍‌ ସେବା କର୍ମଚାରୀଙ୍କୁ ମଧ୍ୟ ସଟ୍‌ଡାଉନ୍‌ କଟକଣାରୁ ବାଦ ଦିଆଯାଇଛି।

ତେବେ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଆଇନ୍‌ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.