କୋଭିଡ-୧୯ର ଦ୍ଵିତୀୟ ଲହରୀ ଜୁଲାଇ ସୁଦ୍ଧା ଚାଲି ଯାଇପାରେ, ଅକ୍ଟୋବର ପୂର୍ବରୁ ଆସିବାର ନାହିଁ ତୃତୀୟ ଲହରୀ: ସରକାରୀ ପ୍ୟାନେଲ

ଭାରତରେ ସବୁଆଡେ ଏବେ ହାହାକାର ସ୍ଥିତି। କରୋନାର ଦ୍ଵିତୀୟ ଲହରୀ ଯିବା ପାଇଁ ଏବେ ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ବିଜ୍ଞାନ ଏବଂ ଟେକ୍ନିକ ବିଭାଗ ପକ୍ଷରୁ ୩ ସଦସ୍ୟ ବିଶିଷ୍ଟ ପ୍ୟାନେଲ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ଭାରତରେ କରୋନାର ଦ୍ଵିତୀୟ ଲହରୀର ପ୍ରଭାବ ଚଳିତବର୍ଷ ଜୁଲାଇରେ କମିବା ଆରମ୍ଭ ହେବ। ଆଉ ସେପଟେ ମଧ୍ୟ ତୃତୀୟ ଲହରୀ ଆଗାମୀ ୬ରୁ ୮ ମାସ ମଧ୍ୟରେ ଦେଶରେ ଦେଖାଦେଇପାରେ।

ପ୍ୟାନେଲ ଏହି ଅନୁମାନ SUTRA ମଡେଲ ଆଧାରରେ ଦେଇଛି। ଅନୁମାନ ମୁତାବକ, ମେ’ ଶେଷରେ ବି ଦେଶରେ ପ୍ରତ୍ୟେକ ଦିନ କରୋନାର ଦେଢ଼ ଲକ୍ଷ ମାମଲା ସାମ୍ନାକୁ ଆସିବ ଏବଂ ଜୁନ ଶେଷ ସୁଦ୍ଧା ଏହି ସଂଖ୍ୟା ୨୦ ହଜାର ପର୍ଯ୍ୟନ୍ତ କମିବ। ପ୍ୟାନେଲ ସଦସ୍ୟ ତଥା ଆଇଆଇଟି କାନପୁରର ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, କେରଳ, ସିକ୍କିମ, ଉତ୍ତରାଖଣ୍ଡ, ଗୁଜରାଟ, ହରିୟାଣା, ଦିଲ୍ଲୀ ଏବଂ ଗୋଆରେ କରୋନାର ଦ୍ଵିତୀୟ ଲହରୀର ପିକ ବିତି ସାରିଛି।

ଯେଉଁ ମଡେଲ ଆଧାରରେ ଅନୁମାନ କରାଯାଉଛି, ତାହା ମୁତାବକ, ତାମିଲନାଡୁରେ କରୋନାର ପିକ ୨୯ରୁ ୩୧ ମେ’ ଭିତରେ ଆସିବ। ପୁଡୁଚେରୀରେ ୧୯ ଏବଂ ୨୦ ମେ’ରେ ରହିବ। ପ୍ରଫେସର ଅଗ୍ରୱାଲଙ୍କ ମୁତାବକ, ତୃତୀୟ ଲହରୀ ଆସିବା ଭିତରେ ଅନେକ ଲୋକଙ୍କୁ ଟିକା ଲଗାଯାଇ ସାରିଥିବ ଏବଂ ଲୋକଙ୍କଠାରେ ଇମ୍ୟୁନିଟି ଥିବ। ଅତି କମରେ ଚଳିତବର୍ଷ ଅକ୍ଟୋବର ପୂର୍ବରୁ ତୃତୀୟ ଲହରୀ ଆସିବାର ନାହିଁ।

Leave A Reply

Your email address will not be published.