Below header

ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତଙ୍କୁ ଧୈର୍ଯ୍ୟ ଧରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବିଶ୍ୱରେ ଯେକୌଣସି ମହାମାରୀ ଆସିଛି ସେତେବେଳେ ମଣିଷର ସହବନ୍ଧନ ବା ବାହାର ସମ୍ପର୍କ ଭାଙ୍ଗି ଯାଇଛି । ଯାହାର ଏକ ମାନସିକ ପ୍ରଭାବ ପଡ଼ିଥାଏ । ମନରେ ଆଶଙ୍କା ଆସେ । ଏହି ସମୟରେ ଆବଶ୍ୟକ ହୁଏ ନୂଆ ସମ୍ବନ୍ଧ ଯୋଡ଼ିବାର । ତେଣୁ ଆପଣ ରହୁଥିବା ନିଜ ଅଞ୍ଚଳର ଲୋକଙ୍କ ସହ ସମ୍ପର୍କ ବଢ଼ାନ୍ତୁ । ନୂଆ ସମ୍ବନ୍ଧ ତିଆରି କରନ୍ତୁ । ମନରେ ଥିବା ନକାରାତ୍ମକ ଭାବନାକୁ ତ୍ୟାଗ କରି ସକାରାତ୍ମକ ଭାବନାକୁ ଆଣନ୍ତୁ । ତା ସହିତ ଧୈର୍ଯ୍ୟ ରଖନ୍ତୁ । ଘରେ କି ବାହାରେ ଏଭଳି ପରିସ୍ଥିତିରେ ଧୈର୍ଯ୍ୟ ରଖିବା ନିହାତି ଜରୁରୀ । ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ ୪.୩୦ର ନିୟମିତ କରୋନା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ।

ସ୍ୱାସ୍ଥ୍ୟକର୍ମୀଙ୍କ ଉତ୍ସାହ ବଢ଼ାଅ

ବାଗଚି ଆହୁରି କହିଛନ୍ତି, ବର୍ତ୍ତମାନ ସମୟରେ ଯେଭଳି ଭାବେ କରୋନା ସହ ସ୍ୱାସ୍ଥ୍ୟକର୍ମୀମାନେ ଲଢ଼େଇ କରୁଛନ୍ତି ସେତେବେଳେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଖୁବ୍‌ ଭଲ ବ୍ୟବହାର କରିବା ଉଚିତ । ସେମାନଙ୍କୁ ଉତ୍ସାହିତ ଓ ପ୍ରଶଂସା କରିବା ଆମର କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଧୈର୍ଯ୍ୟ ଧରିବା ହେଉଛି ସବୁଠାରୁ ବଡ଼କଥା । ଯେଉଁ କେତୋଟି କଥା ପ୍ରତି ଅତି ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ସେଗଜୁଡ଼ିକ ହେଉଛଇ ଧୈର୍ଯ୍ୟ ଧରି ଘର ଭିତରେ ରହିବା, ଖାଦ୍ୟ ଖାଇବା ବେଳେ ସଂଯମତା ଆଣିବା ଅର୍ଥାତ୍‌ ଅଯଥାରେ ଅଧିକ ଖାଇବା ନାହିଁ, ବାହାରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ଧୈର୍ଯ୍ୟର ଦେଖାଇବା, ଶାସନ ବ୍ୟବସ୍ଥା ପ୍ରତି ସମ୍ମାନ ଦେବା ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ କରୋନାକୁ ପରାସ୍ତ କରିବା । ଏସବୁ କଥା ସାଧାରଣ ଜନତାଙ୍କ ପାଖରେ ପହଞ୍ଚିଇବା ପାଇଁ ମୁଖ୍ୟମନ୍ତ୍ରୀ କହିଥିବା ଶ୍ରୀ ବାଗଚୀ କହିଛନ୍ତି ।

Subrot Bagchi

ଘରେ ରହିବାକୁ ଶପଥ କଲେଣି ଲକ୍ଷେରୁ ଅଧିକ

ଆହୁରି ମଧ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ କରୋନା ପାଇଁ ଘରେ ରହିବା ଲାଗି ନିଜେ ଶପଥ ଗ୍ରହଣ କରିବା ସହ ରାଜ୍ୟବାସୀଙ୍କୁ ଏଭଳି ଶପଥ ନେବା ଲାଗି କହିଥିଲେ । ଏହାର ଭିଡିଓ ତାଙ୍କ ନିକଟକୁ ପଠାଇବାକୁ ମଧ୍ୟ ସେ ଅନୁରୋଧ କରିଥିଲେ । ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷରୁ ଅଧିକ ଶପଥ ନେଇଛନ୍ତି ବୋଲି ବାଗଚୀ କହିଛନ୍ତି । ସେଥିପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
କରୋନା ପରିପ୍ରେକ୍ଷୀରେ ଦିନରାତି ୨୪ ଘଣ୍ଟା ସତର୍କ ରହୁଥିବା ଏବଂ ସେବା ଯୋଗାଇ ଦେଉଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ରାଜ୍ୟ ସରକାର ତିନି ମାସର ଆଗୁଆ ଦରମା ପ୍ରଦାନ କରିଥିବା ସେ ସୂଚନା ଦେଇଛନ୍ତି ।

ବଢୁଛି ସହଯୋଗର ହାତ

କରୋନା ସହ ଲଢ଼େଇ କରିବା ପାଇଁ ବିଭିନ୍ନ ସଂସ୍ଥା ସହଯୋଗର ହାତ ବଢ଼ାଇଛନ୍ତି । ଓଏମ୍‌ସି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦ କୋଟି ଟଙ୍କା ଦିଆଯାଇଛି । ଅନ୍ୟ କେତେକ ସଂସ୍ଥା ମଧ୍ୟ ଅର୍ଥ ଦାନ କରିଛନ୍ତି । ସେହିପରି ରାଜ୍ୟ ସରକାର ମଧ୍ୟ ଏହି ଉଦ୍ଦେଶ୍ୟରେ ସବୁ ଜିଲ୍ଲାକୁ ସାଢ଼େ ୪୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ସବୁ ଡାକ୍ତରଖାନାକୁ ଆବଶ୍ୟକ ଜିନିଷପତ୍ର ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । ଔଷଧ ଓ ଅନ୍ୟ ଉପକରଣ ଯୋଗାଣକାରୀଙ୍କୁ ଇନସେଣ୍ଟିଭ୍‌ ଦେବା ଲାଗି ଘୋଷଣା କରାଯାଇଛି । ଯୋଗାଣକାରୀ ସଂସ୍ଥାମାନେ ଆଗୁଆ ଜିନିଷ ପହଞ୍ଚାଇଲେ ଏହି ଇନସେଣ୍ଟିଭ୍‌ ମିଳିବ । ଏହା ସହିତ ସେମାନଙ୍କୁ ପରିବହନ ଖର୍ଚ୍ଚ ଏବଂ ସମସ୍ତ ସାମଗ୍ରୀ ଦେବାର ୨୪ ଘଣ୍ଟା ମଧ୍ୟ ପେମେଣ୍ଟ ଦିଆଯିବ ବୋଲି ଶ୍ରୀ ବାଗଚୀ କହିଛନ୍ତି ।
ଇଫ୍‌କୋ ପକ୍ଷରୁ ମେଡିକାଲ ସରଞ୍ଜାମ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ଅନ୍ୟ ସଂସ୍ଥା ମଧ୍ୟ ଏ ଦିଗରେ ଏଭଳି ଭାବେ ସହାୟତା କରନ୍ତୁ ବୋଲି ବାଗଚି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଲକ୍‌ଡାଉନ୍‌ରେ ଟ୍ରଲି ଚାଲିବ

ଲକ୍‌ଡାଉନ୍‌ ବେଳେ ଅତ୍ୟାବଶ୍ୟକ ଜିନିଷ ପରିବହନ ପାଇଁ ମାଲବାହୀ ଗାଡ଼ି, ଟ୍ରଲି ରିକ୍ସା ଆଦି ବ୍ୟବହାର କରାଯିବ । ଏହାକୁ କେହି ରୋକିବେ ନାହିଁ ବୋଲଇ ସେ କହିଛନ୍ତି ।

ଆଜିର ଓଡ଼ିଶା କରୋନା ରିପୋର୍ଟ

ଆଜି ସୁଦ୍ଧା ଦେଶ ଭିତରୁ ବା ଅନ୍ୟ ରାଜ୍ୟରୁ ରାଜ୍ୟ ଭିତରକୁ ୭୮,୨୩୩ ଜଣ ବ୍ୟକ୍ତି ଫେରି ଆସିଛନ୍ତି । ୩ଟି ଜିଲ୍ଲାରେ ୫୦୦ ଏବଂ ୨୭ଟି ଜିଲ୍ଲାରେ ୧ ହଜାରରୁ ୧୧ ହଜାର ଫେରିଛନ୍ତି । ଏମାନଙ୍କ ଭିତରେ ମଧ୍ୟ କିଛି କରୋନା ସଂକ୍ରମିତ ଥାଇ ପାରନ୍ତି ବୋଲି ବାଗଚି କହିଛନ୍ତି । ଏମାନେ ନିଜ ଘରେ ଅଲଗା ହୋଇ ୧୪ ଦିନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଁ ପଞ୍ଚାୟତ ଓ ଜିଲ୍ଲା ଅଧିକାରୀ ଏମାନଙ୍କ ଦାୟିତ୍ୱ ନେଇ ସେମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି ।

ଭଲ ଅଛନ୍ତି ଓଡ଼ିଶାର ଦୁଇ କୋଭିଡ୍‌-୧୯ ପଜେଟିଭ୍‌

ଓଡ଼ିଶାରେ ଚିହ୍ନଟ ହୋଇଥିବା ଦୁଇ କରୋନା ପଜେଟିଭ୍‌ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । ସେମାନେ ଡାକ୍ତରଖାନାରେ ରହି ସ୍ୱାଭାବିକ ଭାବେ ଖାଦ୍ୟ ଖାଉଛନ୍ତି । ଏପର୍ଯ୍ୟନ୍ତ ବିଦେଶରୁ ଆସିଥିବା ୪୦୧୫ ଜଣ ରେଜଷ୍ଟ୍ରେସନ୍‌ କରିଛନ୍ତି । ଆଜି ୧୩୩ ଜଣଙ୍କୁ ନମୂନା ପରୀକ୍ଷା ସରିଛି । ସେଥିରୁ ୧୨୯ଙ୍କ ରିପୋର୍ଟ ଆସିଥିବା ବେଳେ ୪ ଜଣଙ୍କର ରିପୋର୍ଟ ଆସିବା ବକି ଅଛି ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.