Below header

ଓମିକ୍ରନକୁ ନେଇ ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ: ଜୀବନକୁ ବାତିଲ କରିବା ଅପେକ୍ଷା ସେଲିବ୍ରେସନ୍‌ ବାତିଲ କରିବା ଭଲ

କେନ୍ୟୁଜ୍(ବ୍ୟୁରୋ):  ନିଜ ହାତରେ ଜୀବନ, ନିଜ ହାତରେ ମୃତ୍ୟୁ । ପସନ୍ଦ ନିଜର । ବିଶ୍ୱକୁ କବଳିତ କରୁଛି ଓମିକ୍ରନ୍‌ । ସାମ୍ନାରେ କ୍ରିସମାସ୍‌ ଉତ୍ସବ ଓ ନ୍ୟୁ ଇୟର । ମାନବ ସଭ୍ୟତା ଆଗରେ ଦୁଇଟି ବିକଳ୍ପ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । WHO ମୁଖ୍ୟ କହିଛନ୍ତି ଜୀବନକୁ ବାତିଲ କରିବା ଅପେକ୍ଷା କାର୍ଯକ୍ରମ ବାତିଲ କରିବା ଭଲ । ଏବେ କାର୍ଯ୍ୟକ୍ରମ ବାତିଲ କରି ପରେ ଉତ୍ସବ ପାଳିବା, ନହେଲେ ଏବେ ଉତ୍ସବ ପାଳନ କରି ପରେ ଶୋକ ପାଳିବା । ୨୦୨୨ ସୁଦ୍ଧା ମହାମାରୀକୁ ଅନ୍ତ କରିବାକୁ ହେବ ବୋଲି କହିଛନ୍ତି WHO ଡିଜି।

ଏଥିପାଇଁ ୨୦୨୨ ମଧ୍ୟଭାଗ ସୁଦ୍ଧା ସବୁ ଦେଶର ଅନ୍ତତଃ ୭୦ ପ୍ରତିଶତ ଲୋକଙ୍କ ଟିକାକରଣକୁ ନିଶ୍ଚିତ କରିବାକୁ ହେବ । ମହାମାରୀର ମହାବିନାଶ ଚିତ୍ର ଦେଖାଇଛନ୍ତି ଟେଡ୍ରସ ଆଧାନୋମ ଘେବ୍ରିୟେସସ୍‌ । ଏ ବର୍ଷ ୩୩ ଲକ୍ଷ ଜୀବନ ନେଇଛି କରୋନା । ଏଚଆଇଭି, ମ୍ୟାଲେରିଆ ଓ ଯକ୍ଷ୍ମାରେ ଯେତିକି ଲୋକଙ୍କ ଜୀବନ ଯାଇଛି ତା ଠାରୁ ଅଧିକ ଜୀବନ ନେଇଛି କରୋନା । ଏବେ ବି ପ୍ରତି ସପ୍ତାହରେ ୫୦ ହଜାର ଜୀବନ ଯାଉଛି। ପୁଣି ଓମିକ୍ରନ୍‌ ରୂପରେ ମହାମାରୀ ବ୍ୟାପୁଛି। ଏହାକୁ ଅନ୍ତ କରିବାକୁ ଆହ୍ଵାନ ଦେଇଛନ୍ତି WHO ଡିଜି।

ଆମେରିକାରେ ସାଂଘାତିକ ଭାବେ ବ୍ୟାପୁଛି ଓମିକ୍ରନ୍‌ । ମାତ୍ର କେଇ ଦିନ ଭିତରେ ଡେଲ୍‌ଟାକୁ ପଛରେ ପକାଇ ପ୍ରଭାବଶାଳୀ ଭାରିଆଣ୍ଟ ହୋଇଛି ଓମିକ୍ରନ୍‌ । ମୁକାବିଲା ପାଇଁ ନୂଆ ଯୋଜନା କରିଛି ବାଇଡେନ୍‌ ପ୍ରଶାସନ । ଘରେ ଘରେ ମାଗଣାରେ କୋଭିଡ୍‌ ଟେଷ୍ଟ କରିବେ ଲୋକ । ୫୦ କୋଟି ଟେଷ୍ଟିଂ କିଟ୍‌ କିଣିବ ଆମେରିକା । ଅର୍ଥ ମଞ୍ଜୁର କରିଛନ୍ତି ବାଇଡେନ୍‌ । ଟେଷ୍ଟିଂ ସହ ଟିକା ଆଉ ବୁଷ୍ଟର ଡୋଜ୍‌ ନେବାକୁ ଗୁରୁତ୍ୱ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। ବାଇଡେନ୍‌ କହିଛନ୍ତି, ଟିକା ଏକମାତ୍ର କରୋନା କବଚ ।

ଦକ୍ଷିଣ ଆଫ୍ରିକାରେ ୩ ସପ୍ତାହ ତଳେ ଠାବ ହୋଇଥିଲା ଓମିକ୍ରନ୍‌ । ଏବେ ୧୦୦ ରୁ ଅଧିକ ଦେଶକୁ ମାଡ଼ି ଗଲାଣି । ଏପର୍ଯ୍ୟନ୍ତ ୩ ଦେଶରେ ଜୀବନ ନେଇଛି ଓମିକ୍ରନ୍‌ । ବ୍ରିଟେନ୍‌, ଆମେରିକା ପରେ ଇସ୍ରାଏଲରୁ ପ୍ରଥମ ଜୀବନ ନେଇଛି ନୂଆ ଭାରିଆଣ୍ଟ । ଓମିକ୍ରନ୍‌ ପ୍ରଥମ ମୃତ୍ୟୁ ପରେ ପୂର୍ବ ବର୍ଷ ଭଳି କଡ଼ା କଟକଣା ଜାରି କରିଛି ଇସ୍ରାଏଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.