ଓଡିଶାର ଏହି ପ୍ରସିଦ୍ଧ ପାହାଡ, ଯାହା କହୁଛି ଭାରତର ଇତିହାସ ଓ ପୌରାଣିକ କାହାଣୀ

ଆମ ଭାରତରଐତିହାସିକ ବିଶ୍ୱପ୍ରସିଦ୍ଧ । ସେଥି ପାଇଁ ତ ଏହାର କଳାକୃତି ଓ ମନ୍ଦିର ମାନଙ୍କର କାରୁକାର୍ଯ୍ୟ ଦେଖି ଏଠାକୁ ଆସନ୍ତି ଅନେକ ବିଦେଶୀ ପର୍ଯ୍ୟଟକ । ଆମ ରାଜ୍ୟ ଓଡିଶାରେ ମଧ୍ୟ ଏମିତି ଅନେକ ସ୍ଥାନ ଅଛି ଯାହାକୁ ଦେଖିବା ପାଇଁ ଓ ଜାଣିବା ପାଇଁ ଅନ୍ୟ ରାଜ୍ୟ ର ଲୋକଙ୍କ ଛଡା ବିଦେଶୀମାନେ ମଧ୍ୟ ଆସି ଥାଆନ୍ତି। ହେଲେ ୟାରି ଭିତରେ ବି ଏମିତି ଅନେକ ସ୍ଥାନ ଲୁଚି ରହିଛି ଯାହାକି ହେଉଛି ପ୍ରକୃତିର ଗନ୍ତାଘର ।

Ulapgarh-Hill

ଆପଣ ଦେଖୁଥିବା ଏହି ପାହାଡର ରହିଛି ଅନେକ କାହାଣୀ । ଏ ହେଉଛି ପଶ୍ଚିମ ଓଡ଼ିଶାର ଅନ୍ଯତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଉଲାପଗଡ଼ ପାହାଡ । ଲୋକକଥା ଅନୁସାରେ ଏହି ଉଲାପଗଡ଼ରେ ପାଣ୍ଡବମାନେ ଆସି ତାଙ୍କ ୧୨ ବର୍ଷର ଅଜ୍ଞାତ ବାସ ର କିଛି ବର୍ଷ ଏଠାରେ କଟାଇଥିବା ସ୍ଥାନୀୟ ଲୋକମାନେ କହନ୍ତି। ପୁଣି ଇତିହାସ ଅନୁସାରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ବୀର ସୁରେନ୍ଦ୍ର ସାଏ ଏହି ଉଲାପଗଡ଼ର ଗୁମ୍ଫାରେ ରହୁଥିଲେ। ଆପଣ ଏହି ସ୍ଥାନକୁ ଥରେ ଆସିଲେ ଜଣି ପାରିବେ କଣ ରହିଛି ଏହି ଉଲାପଗଡ଼ର ରହସ୍ୟ।

ଝାରସୁଗୁଡ଼ା ଜିଲାର ବେଲପାହାଡ଼ ସହରଠାରୁ ପ୍ରାୟ ୭ କି.ମି. ଦୂରରେ ଅବସ୍ଥିତ ଉଲାପପଗଡ ପାହାଡ । ପୌରାଣିକ ତଥ୍ୟ ଅନୁସାରେ ବେଲପାହାଡ଼ ନିକଟସ୍ଥ ଉଲାପଗଡ଼ ନାମ , ନାଗ ବଂଶର ରାଜକୁମାରୀ ଉଲ୍ପିଙ୍କ ନାମରେ ଅନୁସାରେ ନାମିତ ହୋଇଛି। ଯେଉଁଠି ଆଜି ମଧ୍ୟ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଏକ ଦୁର୍ଗ ରହିଛି । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଜମିଥାଏ ସବୁଦିନେ କିନ୍ତୁ ଏହାର ପ୍ରଚାର ପ୍ରସାର ଅଭାବ ଯୋଗୁଁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ଅଛପା ରହିଛି ଏହି ଉଲାପଗଡ଼ ପାହାଡ଼ । ଅତି ପୁରାତନ ଯୁଗରୁ ଏହି ଉଲାପଗଡ଼ ପାହାଡ଼ରେ ପୁରୁଣା ଶିଳାଲିପି ସହିତ ଅନେକ ପୌରାଣିକ ଓ ଐତିହାସିକ କିମ୍ବଦନ୍ତି ରହିଛି, ଯାହାକୁ ଦେଶ ବିଦେଶରୁ ଅନେକ ଭୂତତ୍ୱବିତ ଓ ପର୍ଯ୍ୟଟକମାନେ ଆସି ଗବେଷଣା ମଧ୍ୟ କରିଆସିଛନ୍ତି । ଖାଲି ସେତିକି ନୁହେଁ ଐତିହାସିକ ମାନ୍ୟତା ଅନୁସାରେ ବ୍ରିଟିଶ ଶାସନ ସମୟରେ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ତାଙ୍କ ସହଯୋଗୀଙ୍କ ସହ ଏହି ଉଲାପଗଡ଼ ଠାରେ ରହି ଇଂରେଜ ସରକାର ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ ।

ଏହି ସ୍ଥାନ ଏତେ ସୁନ୍ଦର ଯେ ବିଭିନ୍ନ ସମୟରେ ଏହି ସ୍ଥାନକୁ ଅନେକ ପରିବାର ବଣଭୋଜି ପାଇଁ ଆସିଥାନ୍ତି । ପୁରାତନ ଯୁଗରୁ ଏହାର କିମ୍ବଦନ୍ତୀ ରହିବା ସହିତ ଐତିହାସିକ କଥା ମଧ୍ୟ କହୁଛି ଏହି ଉଲାପଗଡ଼ ପାହାଡ଼ । ଏହାସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ପରେ ବି ଏବେ ଅବହେଳିତ ଅବସ୍ଥାରେ ରହିଛି ଏହି ପାହାଡ । ତେଣୁ ଏହି ସ୍ଥାନର ଯତ୍ନ ନେବା ସହ ଏହି ସ୍ଥାନକୁ ଯିବାପାଇଁ ଗମନାଗମନ ସୁବିଧା କରାଇବା ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ବର୍ତ୍ତମାନ ଓଡିଶାରେ ଅନେକ ପର୍ଯ୍ୟଟନସ୍ଥଳୀ ଦେଖିବାକୁ ମିଳୁଛି , ଯାହାକି ଆମ ଇତିହାସର କଥା କହୁଛି । ତେବେ ଏହି ସ୍ଥାନଟି ଉପରକୁ ରାଜ୍ୟ ସରକାର ଦୃଷ୍ଚି ପକାଇଲେ ଏହା ମଧ୍ୟ ଅତି ସୁନ୍ଦର ହୋଇପାରିବ ଓ ସ୍ଥାନୀୟ ଲୋକେ ରୋଜଗାରକ୍ଷମ ହୋଇପାରିବେ । ଖାଲି ସେତିକି ନୁହେଁ ଓଡିଶା ଇତିହାସରେ ଯୋଡି ହୋଇଯିବ ଆଉ ଏକ ପର୍ଯ୍ୟଟନ ସ୍ଥଳୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.