ପ୍ରଥମେ କହିଥିଲେ ‘ମୁଁ ସେଲିବ୍ରିଟି’; ଏବେ କ୍ଷମା ମାଗି କହିଲେ, ‘ପୁଣି ବିକିବି ବାଦାମ’! ଜାଣନ୍ତୁ ଭୁବନ ବଦ୍ୟାକର କାହିଁକି ମାଗିଲେ କ୍ଷମା

‘କାଚା ବାଦାମ’ ଗୀତ ଗାଇ ରାତାରାତି ଇଣ୍ଟରନେଟରେ ଛାଇ ଯାଇଥିଲେ ଭୁବନ ବଦ୍ୟାକର, ଯାହାଙ୍କୁ ନେଇ ସୋସିଆଲ ମିଡିଆ ଉଠୁଥିଲା ପଡ଼ୁଥିଲା। ଆଉ ଏବେ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କିଛି ଦିନ ପୂର୍ବେ ଏକ ବୟାନରେ ଭୁବନ କହିଥିଲେ ଯେ ‘ବର୍ତ୍ତମାନ ସେ ସୁପରଷ୍ଟାର ହୋଇ ଯାଇଛନ୍ତି, ତେଣୁ ଆଉ ବାଦାମ ବିକିବେ ନାହିଁ’। କିନ୍ତୁ ଏବେ ସେ ନିଜ ବୟାନକୁ ନେଇ କ୍ଷମା ମାଗିଛନ୍ତି ଏବଂ କହିଛନ୍ତି କି, ସେ ପୁଣିଥରେ ବାଦାମ ବିକ୍ରି କରିବେ।
କହି ରଖୁଛୁ, ଦୁଇଦିନ ତଳେ ଭୁବନ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ସେ କାର ଚଲାଇବା ଶିଖୁଥିବା ବେଳେ ଦୁର୍ଘଟଣା ଘଟିଥିଲା, ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯଦିଓ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି। ଏହାରି ଭିତରେ ତାଙ୍କର ଆଉ ଏକ ଗୀତ ମଧ୍ୟ ଆସୁଛି। ଗୀତର ରେକର୍ଡିଂ ପଶ୍ଚିମବଙ୍ଗର ବୋଲପୁରସ୍ଥିତ ଏକ ଷ୍ଟୁଡିଓରେ କରାଯାଇଛି। ଏଥିରେ ସେ ନିଜ ଦୁର୍ଘଟଣାର କାହାଣୀ ପୂରା ଦୁନିଆ ସାମ୍ନାକୁ ଆଣୁଛନ୍ତି।
ଭୁବନଙ୍କୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଟେଲିଭିଜନ ଶୋ ‘ଦାଦାଗିରି’କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା, ଯେଉଁଠି ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି। ବିଗତ ଦିନରେ ଭୁବନ ଲୋକଙ୍କ ଟାର୍ଗେଟକୁ ଆସି ଯାଇଥିଲେ। କାରଣ, ସେ କହିଥିଲେ ଯେ ବର୍ତ୍ତମାନ ସେ ସେଲିବ୍ରିଟି ହୋଇ ଯାଇଛନ୍ତି, ତେଣୁ କାଚା ବାଦାମ ବିକ୍ରି କରିବେ ନାହିଁ। ଏହି ବୟାନକୁ ନେଇ ସେ ଏବେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ତାଙ୍କୁ ଜଣା ନ ଥିଲା ଯେ ସେଲିବ୍ରିଟିମାନଙ୍କ ସହ କ’ଣ ଘଟିଥାଏ।
ଭୁବନ କହିଛନ୍ତି, ଆବଶ୍ୟକ ପଡ଼ିଲେ ସେ ପୁଣି କାଚା ବାଦାମ ବିକିବେ। ସେଲିବ୍ରିଟିର ଅର୍ଥ ସେ ବୁଝିପାରି ନ ଥିଲେ। ଆଜି ସମସ୍ତେ ତାଙ୍କ ସହିତ ଅଛନ୍ତି। ଲୋକମାନେ ଯେଉଁଦିନ ତାଙ୍କ ଜୀବନରୁ ଚାଲିଯିବେ ଏବଂ ଆବଶ୍ୟକ ପଡ଼ିଲେ ସେ ପୁଣି ବାଦାମ ବିକ୍ରି କରିବେ। ସେ କହିଥିଲେ କି, ସେ ତାଙ୍କ ପୁଅ ପାଇଁ ଏକ ସେକେଣ୍ଡ ହ୍ୟାଣ୍ଡ କାର କିଣିଥିଲେ, ଯଦ୍ଦ୍ଵାରା ତାଙ୍କ ବଡ଼ ପୁଅ ଗାଡ଼ି ଚଲାଇ ଅର୍ଥ ଉପାର୍ଜନ କରି ପାରିବ। କିନ୍ତୁ କାର୍ ଶିଖିବା ସମୟରେ କାନ୍ଥ ସହ ପିଟି ହୋଇଯିବାରୁ ସେ ଦୁର୍ଘଟଣାର ଶିକାର ହୋଇଥିଲେ।
View this post on Instagram