ବହୁବର୍ଷ ପରେ ନଜର ଆସିଲେ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ, ପରିବାର ସହ ଦେଖିଲେ ନାତିର ପ୍ରଥମ ଫିଲ୍ମ

କିଛିଦିନ ତଳେ ସନି ଦେଓଲଙ୍କ ପୁଅ କରଣ ଦେଓଲଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ‘‘ପଲ ପଲ ଦିଲ୍‌କେ ପାସ୍‌’’ ରିଲିଜ୍‌ ହୋଇଛି। ଏ ଅବସରରେ ପୂରା ଦେଓଲ ପରିବାର ଫିଲ୍ମର ପ୍ରମୋଶନ କରିବାରେ ଲାଗିପଡ଼ିଛନ୍ତି। ଏ ଅବସରରେ ମୁମ୍ବାଇରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ରଖାଯାଇଥିଲା। ଏଥିରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ବହୁତ ଦିନ ପରେ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କୁ ଦେଖିବାକୁ ମିଳିଥିଲା। ନାତି କରଣଙ୍କ ଫିଲ୍ମ ଦେଖିବାକୁ ଦାଦି ପ୍ରକାଶ ଯାଇଥିବା ବେଳର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନାଯୋଗ୍ୟ ଯେ, ଧର୍ମେନ୍ଦ୍ର ଅଭିନେତ୍ରୀ ହେମାମାଳିନୀଙ୍କୁ ବିବାହ କରିଥିଲେ ମଧ୍ୟ ପ୍ରଥମ ପତ୍ନୀ ପ୍ରକାଶଙ୍କୁ ଛାଡ଼ପତ୍ର ଦେଇନଥିଲେ। ପ୍ରକାଶ ତାଙ୍କୁ ଛାଡ଼ପତ୍ର ଦେବାକୁ ଧର୍ମେନ୍ଦ୍ରଙ୍କୁ ମନା କରିଥିଲେ। ତେବେ ଆଇନ୍‌ ଅନୁସାରେ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କଲେ ତାହାକୁ ଅବୈଧ ବିଚାର କରାଯାଏ। ଏଣୁ ଧର୍ମେନ୍ଦ୍ର ପ୍ରଥମେ ଇସ୍‌ଲାମ ଧର୍ମ ଗ୍ରହଣ କରି ପରେ ହେମାମାଳିନୀଙ୍କୁ ବିବାହ କରିଥିଲେ। କୁହାଯାଏ ଯେ ଧର୍ମେନ୍ଦ୍ର ହେମାମାଳିନୀଙ୍କ ସହ ଯେତିକି ନିବିଡ଼ ପ୍ରକାଶଙ୍କ ସହ ମଧ୍ୟ ତାଙ୍କର ସେତିକି ଭଲ ସମ୍ପର୍କ।

ଏହାସହ ପଢ଼ନ୍ତୁ: ବଦଳିଗଲା ହନି ସିଂହଙ୍କ ରୂପ, ଆପଣ ବି ଦେଖିଲେ ଚିହ୍ନିପାରିବେନି

୧୯୫୪ ମସିହାରେ ଧର୍ମେନ୍ଦ୍ର ପ୍ରକାଶଙ୍କୁ ବିବାହ କରିଥିଲେ। ଉଭୟଙ୍କର ଚାରିଟି ସନ୍ତାନ ସନି, ବବି, ବିଜେତା ଓ ଅଜିତା ଅଛନ୍ତି। ସେହିଭଳି ଧର୍ମେନ୍ଦ୍ର ଓ ହେମାଙ୍କର ଅହାନା ଓ ଈଶା ଦୁଇ ଝିଅ।

ଧର୍ମେନ୍ଦ୍ର ଓ ପ୍ରକାଶଙ୍କ ସମେତ କରଣଙ୍କ ଫିଲ୍ମ ଦେଖିବାକୁ ସନି ଦେଓଲ ଓ ତାଙ୍କ ପତ୍ନୀ ପୂଜା, ବବି ଓ ପରିବାର, ଅଭୟ ଦେଓଲ ପ୍ରମୁଖ ବଡ଼ ବଡ଼ ସେଲିବ୍ରିଟି ଯାଇଥିଲେ। ଏହି ଫିଲ୍ମ ଜରିଆରେ କରଣ ଦେଓଲଙ୍କ ସହ ଅଭିନେତ୍ରୀ ସହର ବମ୍ବା ମଧ୍ୟ ଡେବ୍ୟୁ କରିଛନ୍ତି। ନାତିର ଫିଲ୍ମକୁ ହିଟ୍‌ କରିବା ପାଇଁ ନିଜେ ଧର୍ମେନ୍ଦ୍ର ବିଭିନ୍ନ ସ୍ଥାନକୁ ଯାଉଥିବା ଦେଖିବାକୁ ମିଳିଛି।