ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା, ରିୟାଙ୍କୁ ୭ ତାରିଖ ଦିନ ଜେରା କରିବ ଇଡି

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ । ଏକଥା ଆଜି ସ୍ପଷ୍ଟ ହେବା ପରେ ମୁମ୍ବାଇକୁ ତଦନ୍ତ ପାଇଁ ଯାଇଥିବା ପାଟନା ପୋଲିସ୍ ଫେରି ଆସିବ । ତେବେ ଏହାଠାରୁ ଆଉ ଏକ ବଡ଼ ଖବର ହେଲା ଯେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ୍ କରିଛି । ସୁଶାନ୍ତଙ୍କ ଅର୍ଥ ହେରଫେର ଘଟଣାର ତଦନ୍ତ କରୁଥିବା ଇଡି ୭ ତାରିଖ ଦିନ ରିୟାଙ୍କୁ ପଚରା ଉଚରା କରିବ । ଆଜି ରିୟାଙ୍କ ସହଯୋଗୀ ସାମୁଏଲ୍ ମିରାଣ୍ଡାଙ୍କୁ ଇଡି ଅଧିକାରୀମାନେ ଜେରା କରିଛନ୍ତି ।

ଏବେ ଦେଖିବାର କଥା ଏପର‌୍ୟ୍ୟନ୍ତ ଲୁଚି ରହିଥିବା ରିୟା ୭ ତାରିଖ ଦିନ କିଭଳି ଇଡି ଆଗରେ ହାଜର ହେଉଛନ୍ତି ।
ଗତ ଜୁଲାଇ ୧୪ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ଠାରୁ ଏଯାଏ ଏହାକୁ ନେଇ ବିବାଦ ଓ ଚର୍ଚ୍ଚା ଥମି ନାହିଁ । ପ୍ରତିଦିନ କିଛି ନା କିଛି ନୂଆ ଖବର ଓ ବୟାନ୍ ଆସୁଛି । ତେବେ ସମସ୍ତଙ୍କର ଦୃଷ୍ଟି ରହିଛି ରିୟାଙ୍କ ଉପରେ । ଏବେ ସେ ଫେରାର ଅଛନ୍ତି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ତାଙ୍କ ଓକିଲ ଆଜି କହିଛନ୍ତି ଯେ ରିୟା ମୁମ୍ବାଇରେ ହିଁ ଅଛନ୍ତି ।

ତାଙ୍କ ବିରୋଧରେ ପାଟନାରେ ହୋଇଥିବା ମାମଲାକୁ ରିୟା ମୁମ୍ବାଇକୁ ଟ୍ରାନ୍ସଫର କରିବା ଲାଗି ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ । ଯାହାର ଆଜି ଶୁଣାଣି ହୋଇଥିଲା । ଏଥିରେ ପକ୍ଷଭୁକ୍ତ ଥିବା ସମସ୍ତଙ୍କୁ କୋର୍ଟ ତିନିଦିନ ସମୟ ଦେଇଛନ୍ତି । ଏହା ଭିତରେ ମାମଲା ଟ୍ରାନ୍ସଫର ନେଇ ସେମାନଙ୍କ ମତାମତ କୋର୍ଟ ଲୋଡ଼ିଛନ୍ତି । ସୁଶାନ୍ତଙ୍କ ବାପା ଏହା ଭିତରେ ମୁମ୍ବାଇ ପୋଲିସ୍‌କୁ କହିଛନ୍ତି ଯେ ମିରାଣ୍ଡାଙ୍କୁ ଗିରଫ କରି ଜେରା କଲେ ତାଙ୍କ ଠାରୁ ସବୁ ତଥ୍ୟ ମିଳିବ । ଏ ସମ୍ପର୍କରେ ଆଜି ମୁମ୍ବାଇ ଡିସିପ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.