Below header

ଇସାରା ଦେଇଗଲେ ରଚନା, ପୁଣି ଓଡ଼ିଆ ଫିଲ୍ମରେ ଅଭିନୟ କରିବାକୁ ଆଗ୍ରହୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରଚନା ବାନାର୍ଜୀ । ଏକଦା ଓଲିଉଡ୍‌ କୁଇନ୍‌ ଭାବେ ପରିଚିତ ଥିଲେ । ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ଯିଓ ତାଙ୍କର ଅଭିନୟ ଦେଖିଛି ତାଙ୍କ ଫ୍ୟାନ୍‌ ବନି ଯାଇଛି । ସିଦ୍ଧାନ୍ତଙ୍କ ସହ ତାଙ୍କର ଯୋଡ଼ି ଖୁବ୍‌ ଜମିଥିଲା । ତାଙ୍କ ସହିତ ଅନ୍ୟ ହିରୋମାନଙ୍କ ସହ ମଧ୍ୟ ସେ ଅଭିନୟ କରିଥିଲେ । ଅନେକ ଦିନ ରାଜ୍‌ କରିଛନ୍ତି ଓଲିଉଡ୍‌ରେ । ତେବେ ପରବର୍ତ୍ତୀ ସମୟରେ ଓଡ଼ିଆ ଫିଲ୍ମ ଜଗତରୁ ଦୂରେଇ ଯାଇ କେବଳ ବଙ୍ଗଳା ଫିଲ୍ମରେ ଅଭିନୟ କଲେ । ଏବେ ପରିବାର ସହ କୋଲକାତାରେ ରହୁଛନ୍ତି । ନିକଟରେ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବାକୁ ଆସିଥିଲେ ରଚନା । ଟିକେ ବୟସ ହୋଇଗଲାଣି । ଆଉ ସେ ପୁରୁଣା ଚେହରା କି ସୁନ୍ଦରତା ନାହିଁ । ତଥାପି ଓଡ଼ିଆ ଫିଲ୍ମ ଜଗତ ପ୍ରତି ତାଙ୍କର ଶ୍ରଦ୍ଧା ରହିଛି ଏବଂ ଭଲ କ୍ୟାରେକ୍ଟର ମିଳିଲେ ସେ ପୁଣି ଏଠାରେ ଅଭିନୟ କରିବେ ବୋଲି କହିଛନ୍ତି ।

ଓଡ଼ିଶାକୁ ଆସିବା ଅବସରରେ ସେ ତାଙ୍କର ପୁରୁଣା ଯୋଡ଼ି ସିଦ୍ଧାନ୍ତଙ୍କ ସହିତ ଏକାଠି ମଞ୍ଚରେ ମଧ୍ୟ ଉପସ୍ଥିତ ଥିଲେ । ଓଲିଉଡ୍‌ର ଅନେକ ନୂ ପୁରୁଣା କଳାକାରଙ୍କ ସହ ସେହିଠାରେ ତାଙ୍କର ଭେଟ ହୋଇଥିଲା । ତାଙ୍କ ସହ ଅନେକ ସେଲଫି ଉଠାଇଥିଲେ । ଦୀର୍ଘ ବର୍ଷ ପରେ ଓଡ଼ିଶା ଆସି ଏବଂ ପୁରାତନ ବନ୍ଧୁମାନଙ୍କୁ ଭେଟି ସେ ବେଶ୍‌ ଖୁସିଥିଲେ । ଖାଲି ସେତିକି ନୁହେଁ, କାର୍ଯ୍ୟକ୍ରମର ଫଟୋ ସବୁ ସେ ନିଜର ଫେସ୍‌ବୁକ୍‌ରେ ମଧ୍ୟ ସେୟାର କରିଛନ୍ତି । ଏତେ ବର୍ଷ ପରେ ତାଙ୍କୁ ଓଲିଉଡ୍‌ ପୁଣି ମନେ ପକାଇଥିବାରୁ ଏବଂ ସମ୍ମାନିତ କରିଥିବାରୁ ସେ ବହୁତ ଆନନ୍ଦିତ ବୋଲି ଲେଖିଛନ୍ତି ।

RACHANA-1ତାଙ୍କର ଅସଲି ନାଁ ହେଉଛି ଝୁମ୍‌ଝୁମ୍‌ ବାନାର୍ଜୀ । ହେଲେ ପରବର୍ତ୍ତୀ ସମୟରେ ସେ ନିଜ ନାମ ପରିବର୍ତ୍ତନ କରି ରଚନା ବନିଗଲେ । ପ୍ରଥମେ ବଙ୍ଗଳା ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ ମଧ୍ୟ ତାଙ୍କୁ ପରିଚୟ ଓ ପ୍ରଶଂସା ମିଳିଥିଲା ଓଡ଼ିଆ ଫିଲ୍ମରେ । ତାଙ୍କର ଅଧିକାଂଶ ଫିଲ୍ମ ନାରୀ କୈନ୍ଦ୍ରିକ ଥିଲା । ନାୟିକା ଭାବେ ତାଙ୍କର ଶେଷ ଓଡ଼ିଆ ଫିଲ୍ମ ଥିଲା ‘ସନ୍ତାନ’ ।
ଏବେ ରଚନାଙ୍କୁ ୪୫ ବର୍ଷ ବୟସ । ଆଉ ନାୟିକା ଭାବେ ନୁହେଁ ଚରିତ୍ର ଅଭିନେତ୍ରୀ ଭୂମିକାରେ ଅଭିନୟ କରିବେ ବୋଲି ଓଡ଼ିଶା ଆସିଥିବା ଅବସରରେ ପରୋକ୍ଷରେ ସୂଚନା ଦେଇଛନ୍ତି । କଣ୍ଢେଇ ଆଖିରେ ଲୁହ, ସିନ୍ଦୂର ନୁହେଁ ଖେଳ ଘର, ନାରୀ ନୁହେଁ ତୁ ନାରାୟଣୀ, ଗଙ୍ଗା ଯମୁନା, କଳକୀ ଅବତାର, ଲକ୍ଷ୍ମୀ ପ୍ରତିମା, ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୂର ଭଳି ଅନେକ ସଫଳ ଫିଲ୍ମର ନାୟିକା ଥିଲେ ରଚନା ବାନାର୍ଜୀ । ତେବେ ସେ ଓଡ଼ିଆ ଫିଲ୍ମ ଜଗତକୁ ପୁଣି ଫେରିବା କଥା ଶୁଣି ତାଙ୍କ ଫ୍ୟାନ୍‌ମାନେ ଭାରି ଖୁସି ହୋଇଗଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.