ବଲିଉଡ୍ ଆକ୍ଟର ଶାହିଦ କପୁର ଓ ଈଶାନ୍ ଖଟ୍ଟରଙ୍କ ଆଈ ଖାଦିଜା ଅଜିମ୍ଙ୍କ ପରିଲୋକ ଘଟିଛି। ଏହି ଦୁଇ ଅଭିନେତା ନିଜ ଆଈଙ୍କ ସହ ଖୁବ୍ ଜଡ଼ିତ ଥିଲେ। ଈଶାନ୍ ସୋସିଆଲ ମିଡିଆରେ ନିଜ ଆଈଙ୍କର କିଛି ଫଟୋ ଶେୟାର କରିଛନ୍ତି। ଏହାସହିତ ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମଧ୍ୟ ଲେଖିଛନ୍ତି। କହି ରଖୁଛୁ କି, ଖାଦିଜା ନୀଳିମା ଅଜିମ୍ଙ୍କ ମା’ ଥିଲେ।
ଈଶାନ୍ଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋରେ ଖାଦିଜା ପରିବାର ସହିତ ସମୟ ବିତାଉଥିବାର ନଜର ଆସୁଛନ୍ତି। ପୋଷ୍ଟରେ ଈଶାନ୍ ଲେଖିଛନ୍ତି, ‘ଆପଣ ଆମ ସମସ୍ତଙ୍କ ଭିତରେ ଜ୍ଞାନ, ନିଅାଁ, ପ୍ରେରଣା ଏବଂ ଦୃଢ଼ତା ଭରିଛନ୍ତି। ଆପଣ ଜଣେ ସ୍ୱାଧୀନତା ସଂଗ୍ରାମୀ, ଲେଖିକା, ଅନୁବାଦିକା ଏବଂ ସମ୍ପାଦିକା ହେବା ଛଡ଼ା ଜଣେ ଭଲ ମା’, ଭଉଣୀ, ସ୍ତ୍ରୀ, ଆଈ ଏବଂ ସାଙ୍ଗ ମଧ୍ୟ ଥିଲେ। ଏହାଛଡ଼ା ଆପଣ ଆଉ ବି ଅଧିକ କିଛି ଥିଲେ। ଆପଣଙ୍କୁ ମୋ ଜୀବନର ଏକ ଅଂଶ ଭାବେ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି। ମୁଁ ସବୁଦିନ ଆପଣଙ୍କ ଅସ୍ତିତ୍ୱର ଅଂଶ ନିଜ ସହିତ ସଜେଇ ରଖିବି। ମୋ ଜୀବନ ଆପଣଙ୍କ କରୁଣାରୁ ବହୁତ ପ୍ରଭାବିତ ରହିଛି’।
ଈଶାନ୍ଙ୍କ ଏହି ପୋଷ୍ଟରେ ତାଙ୍କ ସାଙ୍ଗସାଥି ଏବଂ ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ପ୍ରତିକ୍ରିୟା ଆସିଛି। ଏହାଛଡ଼ା ଅଂଶୁଲା କପୁର, ବିକ୍ରାନ୍ତ ମେସି ଓ ଶୋଭିତା ଧୁଲିପାଲା ମଧ୍ୟ କମେଣ୍ଟ ଦେଇଛନ୍ତି।
ସେହିପରି ଈଶାନ୍ଙ୍କ ବାପା, ଖାଦିଜା ଅଜିମ୍ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି ଯେ ‘ଜଣେ ସମ୍ପୂର୍ଣ୍ଣ ମହିଳା, ଜୀବନ ପ୍ରତି ବହୁତ ସକାରାତ୍ମକ ଥିଲେ। ତାଙ୍କର ଏବଂ ତାଙ୍କ ସ୍ୱାମୀ ଅନଓ୍ଵର ଅଜିମ୍ଙ୍କର ପ୍ରଭାବ ମୋ ଜୀବନ ଉପରେ ପଡ଼ିଛି। ଆଜି ମୁଁ ଯାହା ବି ଅଛି, ସେଥିପାଇଁ ଦୁଇଜଣଙ୍କର ବଡ଼ ଯୋଗଦାନ ରହିଛି। ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତିରେ ରଖନ୍ତୁ। ଆପଣ ସବୁବେଳେ ଆମ ହୃଦୟରେ ରହିବେ’।