ଏକା ସାଙ୍ଗେ ୧୨ଟି ଫିଲ୍ମରୁ ବାହାର କରିଦିଆଯାଇଥିଲା ବିଦ୍ୟା ବଲାନଙ୍କୁ, ଇଣ୍ଡଷ୍ଟ୍ରୀର ଲୋକେ କହୁଥିଲେ ‘ଅଶୁଭ’

ଅଭିନେତ୍ରୀ ବିଦ୍ୟା ବଲାନଙ୍କ ଗଣତି ବଲିଉଡର ସବୁଠୁ ଭଲ କଳାକାରଙ୍କ ମଧ୍ୟରେ ହୋଇଥାଏ। ସେ ଅଧିକାଂଶ ଫିଲ୍ମରେ ଚ୍ୟାଲେଞ୍ଜିଙ୍ଗ ରୋଲ କରିଥିବା ଦେଖିବାକୁ ମିଳେ। ପ୍ରତ୍ୟେକ ଫିଲ୍ମରେ ସେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ନିଜ କଳା ପ୍ରଦର୍ଶିତ କରିଥାନ୍ତି। ତାଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ଟିଭି ପରଦାରେ ବାନ୍ଧି ରଖିବାରେ ବେଶ୍ ସାହାଯ୍ୟ କରେ। ଏଣୁ ତାଙ୍କୁ ଜଣେ ଭର୍ସାଟାଇଲ ଆକ୍ଟରେସ କୁହାଯାଏ।

ନିକଟରେ ବିଦ୍ୟା ବଲାନଙ୍କ ଫିଲ୍ମ ଶେରନି ରିଲିଜ ହୋଇଥିବା ବେଳେ ଏବେ ହାତରେ ରହିଛି ଅନେକ ଫିଲ୍ମ। କିନ୍ତୁ ଏକ ଏଭଳି ସମୟ ବି ଥିଲା ଯେତେବେଳେ ବିଦ୍ୟାଙ୍କୁ ନିଜ ଫିଲ୍ମରେ ନେବାକୁ କେହି ଚାହୁଁନଥିଲେ। ଏମିତିକି ସାଇନ୍ ହୋଇଥିବା ଫିଲ୍ମ ବି ତାଙ୍କ ହାତରୁ ଚାଲିଯାଉଥିଲା।

ଏକ ଇଣ୍ଟରଭ୍ୟୁରେ ବିଦ୍ୟା କହିଥିଲେ ସେ ୧୯୯୬ ମସିହାରେ ହମ ପାଞ୍ଚ ସିରିୟଲରୁ କାମ ଆରମ୍ଭ କରିଥିଲେ। ୨୦୦୪ରେ ତାଙ୍କୁ ପରିଣୀତାରେ ସୁଯୋଗ ମିଳିଲା। ଅଭିନୟ ସହ ସେ ପଢ଼ା ବି ଜାରି ରଖିଥିଲେ। ବିଦ୍ୟା ଏମବିଏ ପଢ଼ା ଶେଷ କରିଛନ୍ତି। ଅଭିନୟ ଜଗତରେ କିଛି କରି ନ ପାରିଲେ ବରଂ ଚାକିରି କରିବେ ଚିନ୍ତା କରି ବିଦ୍ୟା ପଢ଼ା ସମ୍ପୂର୍ଣ୍ଣ କରିଥିଲେ।

କିନ୍ତୁ ଏକ ଛୋଟ କଥା ଯୋଗୁ ବିଦ୍ୟାଙ୍କ ସୁନେଲି ସ୍ୱପ୍ନ ଭାଙ୍ଗି ଯାଇଥିଲା। ସାଉଥ ସୁପରଷ୍ଟାର ମୋହନଲାଲ ଓ ଡାଇରେକ୍ଟର କମନଙ୍କ ସହ ବିଦ୍ୟା ଏକ ମାଲୟଲମ ଫିଲ୍ମ କରିଥିଲେ। ମୋହନ ଓ କମନ ଏକାଠି ୮ଟି ଫିଲ୍ମ କରିଥିବା ବେଳେ ଏହା ଥିଲା ତାଙ୍କର ୯ମ ଫିଲ୍ମ। କିନ୍ତୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ଫିଲ୍ମ ସୁଟିଂ ବନ୍ଦ କରିବାକୁ ପଡ଼ିଥିଲା। ଏହାର ସବୁ ଦୋଷ ଯାଇଥିଲା ବିଦ୍ୟାଙ୍କ ଉପରକୁ। ବିଦ୍ୟାଙ୍କ ଯୋଗୁ ଏକ ଭଲ ଫିଲ୍ମ ବନ୍ଦ ହୋଇଗଲା ବୋଲି ନିର୍ଦ୍ଦେଶକ ଆରୋପ ଲଗାଇଥିଲେ।

ଏଣୁ ଅନ୍ୟ ନିର୍ଦ୍ଦେଶକ ଆଉ ବିଦ୍ୟାଙ୍କ ସହ କାମ କରିବାକୁ ଇଚ୍ଛା କଲେ ନାହିଁ। ଫଳରେ ତାଙ୍କ ହାତରୁ ପ୍ରାୟ ୧୨ଟି ଫିଲ୍ମ ଚାଲିଯାଇଥିଲା।। କେବଳ ଫିଲ୍ମ ନୁହେଁ ବିଜ୍ଞାପନରୁ ବି ତାଙ୍କୁ ବାହାର କରିଦିଆଯାଇଥିଲା। ଏହି ସମୟରେ ସେ ଡିପ୍ରେସନକୁ ଚାଲିଯାଇଥିଲେ ବୋଲି କହିଛନ୍ତି ବିଦ୍ୟା ବଲାନ। ପରେ କିଛି ତାମିଲ ଫିଲ୍ମରେ ତାଙ୍କୁ ସୁଯୋଗ ମିଳିଥିଲା। କିନ୍ତୁ ଏଥର ବି ଭାଗ୍ୟ ସାଥ୍ ଦେଇନଥିଲା ବିଦ୍ୟାଙ୍କର। ସେ ଫିଲ୍ମରୁ ବି ତାଙ୍କୁ ବାହାର କରିଦିଆଯାଇଥିଲା।

କିନ୍ତୁ ପରେ ଧୀରେ ଧୀରେ ତାଙ୍କୁ କିଛି ଛୋଟ ଫିଲ୍ମ ମିଳିଥିଲା ଓ ଲୋକେ ଚିହ୍ନିବା ଆରମ୍ଭ କରିଥିଲେ। କ୍ୟାରିଅରର ସଫଳତାରେ ପହଞ୍ଚିବା ପରେ ବିଦ୍ୟା ପ୍ରଯୋଜକ ସିଦ୍ଧାର୍ଥ ରାୟ କପୁରଙ୍କୁ ବିବାହ କରିଥିଲେ। ୨୦୨୦ରେ ବିଦ୍ୟାଙ୍କ ଫିଲ୍ମ ଶକୁନ୍ତଳା ଦେବୀ ସୁପରଡୁପର ହିଟ୍ ହୋଇଥିଲା। ଏଥି ପାଇଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଛି। ତେବେ କ୍ୟାରିଅରରେ ଏତେ ସଂଘର୍ଷ ପରେ ବି ଥକି ନ ଯାଇ କାମ ଜାରି ରଖିଥିବାରୁ ଆଜି ଅନେକ ନୂଆ କଳାକାରଙ୍କ ପାଇଁ ଉଦାହରଣ ସାଜିଛନ୍ତି ବିଦ୍ୟା ବଲାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.