Below header

ସୁଖୀ ରହିବାକୁ ଚାହୁଁଛନ୍ତି କି? ତେବେ ଛାଡ଼ନ୍ତୁ ଏହି ସାତୋଟି ଅଭ୍ୟାସ

ମଣିଷ ଏକ ସାମାଜିକ ପ୍ରାଣୀ। ସୁଖ ଦୁଃଖ ହସ ଲୁହ ଏସବୁ ଆମ ନିତିଦିନିଆ ଜୀବନର ଏକ ଅଙ୍ଗ। ଟଙ୍କା ପଇସା ହେଉ ବା ରୂପ ଯୌବନ କୌଣସି ଜିନିଷ ସବୁଦିନ ରହିବନି ଜାଣି ମଧ୍ୟ ଲୋକମାନେ ଅର୍ଥ କମାଇବାକୁ ଲାଗିପଡ଼ିଥାନ୍ତି। ଆଉ ବିଫଳ ହେଲେ ଦୁଃଖୀ ହୋଇପଡ଼ନ୍ତି। ତେବେ ଅନେକ ସମୟରେ ଆମର ଚିନ୍ତାଧାରା, ବ୍ୟବହାର ଓ ଅଭ୍ୟାସ ଆମ ଦୁଃଖର କାରଣ ପାଲଟିଥାଏ। ମନସ୍ତତ୍ୱବିତଙ୍କ ମତରେ ଯଦି ଜଣେ ଏସବୁଥିରୁ ନିଜକୁ ଦୂରେଇ ରଖିପାରିବ, ତା’ହେଲେ ଖୁସିରେ ରହିପାରିବ।

happy

୧. ଜୀବନକୁ ଜଟିଳ ଭାବିବା

ଜୀବନକୁ ଜଟିଳ ଭାବି ଅଧିକ ଜଟିଳ କରନ୍ତୁ ନାହିଁ। ସମସ୍ତଙ୍କ ଜୀବନରେ ସମସ୍ୟା ଅଛି। ଆଉ ସମସ୍ୟାର ସମାଧାନ ବି ରହିଛି। ଏଣୁ ସବୁ କଥାକୁ ଗୁରୁତ୍ୱର ସହିତ ନିଅନ୍ତୁ ନାହିଁ। କିଛି କଥାକୁ ହାଲକା ଭାବେ ଗ୍ରହଣ କରି ଭୁଲିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ସବୁବେଳେ ଚିନ୍ତା କରିବେ ଯେ, ଜୀବନରେ ସମସ୍ୟା ଭରି ରହିଛି, ତା’ହେଲେ ଅଧିକ ସମସ୍ୟା ଭିତରେ ଫସି ଯିବେ। ଏଭଳି ଚିନ୍ତା କେବଳ ଦୁଃଖ ହିଁ ଦେଇଥାଏ।

୨. ନକାରାତ୍ମକ ଚିନ୍ତାଧାରା

ବ୍ୟକ୍ତିର ଚିନ୍ତାଧାରା ହିଁ ତାକୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ। ଏଣୁ ସବୁବେଳେ ଏଭଳି ଲୋକଙ୍କ ସହ ମିଶନ୍ତୁ ଯେଉଁମାନେ ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବେ। ଆପଣଙ୍କ କାମକୁ ପ୍ରଶଂସା କରି ଆଗେଇଯିବାକୁ ଉତ୍ସାହିତ କରିବେ। ସବୁବେଳେ ସକାରାତ୍ମକ ଚିନ୍ତାଧାରା ରଖି ନକାରାତ୍ମକ ଭାବନାକୁ ଦୂରେଇବାକୁ ଚେଷ୍ଟା କରନ୍ତୁ। ଆପଣଙ୍କୁ ପ୍ରେରଣା ଦେଉଥିବା ପୁସ୍ତକ ପଢ଼ନ୍ତୁ ଏବଂ ଭଲ ଗୀତ ଶୁଣନ୍ତୁ।

୩. ପୂର୍ବ କଥାକୁ ଭାବିବା

ଅନେକ ଲୋକ ଅତୀତରେ ନେଇଥିବା ଭୁଲ୍ ନିଷ୍ପତ୍ତିକୁ ନେଇ ଚିନ୍ତିତ ରହନ୍ତି। କିନ୍ତୁ ଏଭଳି କରିବା ଅନୁଚିତ। ଅତୀତର ଭୁଲକୁ ବର୍ତ୍ତମାନ ଭାବିଲେ ବର୍ତ୍ତମାନକୁ ବି ଆପଣ ହରାଇଦେବେ। ପୁରୁଣା କଥା ଭାବିଲେ ସମୟ ନଷ୍ଟ ହେବା ସହ ମନ ବି କଷ୍ଟ ହୁଏ। ତେଣୁ ଏସବୁ ଚିନ୍ତାଠୁ ଦୂରେଇ ରୁହନ୍ତୁ। କିଛି କାମ କରନ୍ତୁ ନଚେତ ପରିବାର ସହ ସମୟ ବିତାନ୍ତୁ। ଗୀତ ଶୁଣନ୍ତୁ, କିଛି ପଢ଼ାପଢ଼ି କରନ୍ତୁ। ଅନ୍ୟ କାମରେ ମନ ଲାଗିଗଲେ ଆପଣ ଧୀରେ ଧୀରେ ପୁରୁଣା କଥା ଭୁଲିଯିବେ। ବର୍ତ୍ତମାନରେ ଖୁସି ରହି ଆଗକୁ ବଢ଼ିବା ହିଁ ଜୀବନ।

୪. ଅନ୍ୟମାନେ ଆପଣଙ୍କୁ କ’ଣ ଭାବୁଛନ୍ତି, ତାକୁ ନେଇ ଚିନ୍ତିତ ରହିବା

ଅନ୍ୟମାନେ ମୋ ବିଷୟରେ କଣ ଚିନ୍ତା କରୁଛନ୍ତି ଭାବି ଅଧିକାଂଶ ଲୋକ ଚିନ୍ତିତ ରହନ୍ତି। ଆପଣ ବି ଯଦି ଏହା ଭାବୁଛନ୍ତି ତେବେ ଏଭଳି ଚିନ୍ତାଧାରାରୁ ବିରତ ରୁହନ୍ତୁ। ଅନ୍ୟମାନେ କ’ଣ ଚିନ୍ତା କରୁଛନ୍ତି ଭାବି ନିଜ ପାଇଁ ଅଧିକ ସମସ୍ୟା ସୃଷ୍ଟି କରନ୍ତୁ ନାହିଁ। ଏହା ଦ୍ୱାରା ସମୟ ନଷ୍ଟ ହେବା ସହ ମାନସିକ ଅଶାନ୍ତି ମଧ୍ୟ ବଢ଼େ। ତା’ସହିତ ଆପଣ କିଛି ନୂଆ ଚିନ୍ତା କରି ନିଜ ଦକ୍ଷତାର ପୂର୍ଣ୍ଣ ଉପଯୋଗରୁ ବି ବଞ୍ଚିତ ହୋଇଥା’ନ୍ତି। ଏହା ବ୍ୟକ୍ତିତ୍ୱକୁ ମଧ୍ୟ ଦୁର୍ବଳ କରିଦିଏ। ଫଳରେ ଆପଣ ଅନ୍ୟମାନଙ୍କ ସହିତ ମିଳାମିଶା କରିବାକୁ ସଙ୍କୋଚ କରନ୍ତି। ତେଣୁ ଅନ୍ୟମାନଙ୍କ ବିଷୟରେ ଚିନ୍ତା ନ କରି ନିଜ ଆତ୍ମବିଶ୍ୱାସ ଓ ଆତ୍ମସମ୍ମାନ ବଢ଼ାଇବାକୁ ଚେଷ୍ଟା କରନ୍ତୁ।

tension

୫. ସମସ୍ୟାର ସମାଧାନ ନଖୋଜି କେବଳ ସମସ୍ୟା ବିଷୟରେ ଚିନ୍ତା କରିବା

କିଛି ଲୋକ ଅସୁବିଧା ସମୟରେ ସମାଧାନ ବଦଳରେ କେବଳ ସମସ୍ୟା ବିଷୟରେ ହିଁ ଚିନ୍ତା କରିଥା’ନ୍ତି। କାହିଁକି ସମସ୍ୟାରେ ପଡିଲି, ଏବେ ଏଥିରୁ ମୁକୁଳିପାରିବି ନା ନାହିଁ ଆଦି ଚିନ୍ତା କରି ଦୁଃଖୀ ହୁଅନ୍ତି। ତେବେ ସମସ୍ୟାର କାରଣ ଓ ଉତ୍ପତ୍ତି ବିଷୟରେ ଚିନ୍ତା ନ କରି ଅସୁବିଧା ସମୟରେ କେମିତି ସେଥିରୁ ମୁକୁଳିବେ, ତାହା ଚିନ୍ତା କରନ୍ତୁ। ଏଥିସହ ପରିବର୍ତ୍ତନକୁ ସ୍ୱୀକାର କରିବା ଶିଖନ୍ତୁ ଓ ସବୁଥିରୁ କିଛି ଶିକ୍ଷାଲାଭ କରିବାକୁ ଚେଷ୍ଟା କରନ୍ତୁ। ଭଲ ଓ ଖରାପ ଜୀବନର ଗୋଟିଏ ଗୋଟିଏ ଅଂଶ ବୋଲି ଭାବି ନେଲେ ସମସ୍ୟାର ସମାଧାନ ବାଟ ପାଇପାରିବେ।

ଏଥିସହ ପଢ଼ନ୍ତୁ: ଆପଣଙ୍କ ଶରୀରରେ ଆଇରନର ଅଭାବ ରହିଛି କି ? ଖାଲି ପେଟରେ ପିଅନ୍ତୁ ଜିରା ପାଣି, ଚୁଟ୍‌କିରେ ଦୂର କରନ୍ତୁ ଅନେକ ରୋଗ

୬.ନିଜକୁ ଆଉ କାହା ସହ ତୁଳନା କରିବା

କିଛି ଲୋକ ସବୁବେଳେ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିଥାନ୍ତି। ଆଉ ଅଧିକାଂଶ ସମୟ ଅନ୍ୟର ଚାକିରି, ପୋଷାକ, ଘର, ଗାଡ଼ି ଓ ଲୋକପ୍ରିୟତା ସହିତ ନିଜକୁ ତୁଳନା କରି ଦୁଃଖୀ ରହନ୍ତି। ଯଦି ଆପଣ ମଧ୍ୟ ଏଭଳି ଭାବୁଥାନ୍ତି ତେବେ ଏଥିରୁ ବିରତ ରୁହନ୍ତୁ। ନିଜକୁ ସବୁବେଳେ ସ୍ୱତନ୍ତ୍ର ଭାବନ୍ତୁ। ଆପଣ ନିଜକୁ ହିଁ ନିଜ ସହିତ ତୁଳନା କରନ୍ତୁ। ବିଗତ କିଛି ବର୍ଷ ମଧ୍ୟରେ ଆପଣ କେତେ ଉନ୍ନତି କରିଛନ୍ତି ଏବଂ କ’ଣ ହାସଲ କରିଛନ୍ତି, ତାର ହିସାବ କରନ୍ତୁ। ଅନ୍ୟ କାହା ସହ ଭୁଲ୍‌ରେ ବି ନିଜକୁ ତୁଳନା କରି ଦୁଃଖୀ ହୁଅନ୍ତୁ ନାହିଁ।

happy

୭.ସବୁକାମକୁ ନିର୍ଭୁଲ କରିବାର ଇଚ୍ଛା

ସବୁକାମକୁ ନିର୍ଭୁଲ ଭାବେ କରିବାକୁ ଚେଷ୍ଟା କରିବା ଦ୍ୱାରା ମଧ୍ୟ ମଣିଷ ଦୁଃଖୀ ହୋଇଥାଏ। ମଣିଷ ମାତ୍ରକେ ଭୁଲ ହୋଇଥାଏ। ସବୁବେଳେ ସବୁକାମକୁ ଠିକ କରିବାକୁ ଆମେ ଚାହିଁଲେ ମଧ୍ୟ ବେଳେ ବେଳେ ଭୁଲ ଭଟକା ରହିଯାଏ। ଏହାକୁ ନେଇ ଅଧିକ ଚିନ୍ତା ନ କରି ବରଂ ଭୁଲ କୋଉଠି ରହୁଛି ତାକୁ ଖୋଜନ୍ତୁ। ସେହିପରି ସମସ୍ତଙ୍କ ନିକଟରେ ସବୁବେଳେ ଭଲ ହେବା ପାଇଁ ଚେଷ୍ଟା କଲେ ବି ଦୁଃଖୀ ହେବେ। ତେଣୁ ସେଭଳି ପ୍ରୟାସରୁ ବିରତ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.