କେବଳ ହାଡ଼ ନୁହେଁ, ମାଂସପେଶୀ ପାଇଁ ବି ହୁଏ ବ୍ୟାକ୍‌ ପେନ୍‌; ଜାଣନ୍ତୁ ଘରୋଇ ଚିକିତ୍ସା

ଆଜି କାଲି ଅଣ୍ଟା ପୀଡ଼ା ବା ବ୍ୟାକ୍‌ ପେନ୍‌ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । କେବଳ ବୟସ୍କ ନୁହେଁ, ଯୁବପିଢ଼ିଙ୍କ ଠାରେ ଏହି ଅସୁବିଧା ଅଧିକ ଦେଖିବାକୁ ମିଳୁଛି । ଅଧିକ ସମୟ ଧରି ଗୋଟିଏ ଜାଗାରେ ବସି ରହିବା ଯୋଗୁ ବ୍ୟାକ୍‌ ପେନ୍‌ ହେଉଛି । ଏଥିସହ କମ୍ପ୍ୟୁଟର ସାମ୍ନାରେ ବସି ରହିବା ଯୋଗୁ ଓଜନ ମଧ୍ୟ ବଢ଼ୁଛି, ଯାହା ଅଣ୍ଟା ଉପରେ ପ୍ରେସର ପକାଉଛି । ଏଣୁ ଡାକ୍ତରମାନେ ଅଫିସ୍‌ରେ କାମ କରୁଥିବା ଲୋକଙ୍କୁ ମଝିରେ ମଝିରେ ଟିକେ ଉଠିବାକୁ ଓ ଚାଲିବାକୁ ପରାମର୍ଶ ଦେଇଥାନ୍ତି । ତେବେ ଏହି ଅଣ୍ଟା ସମସ୍ୟାର ଅନ୍ୟ କାରଣ ଓ ପ୍ରତିକାର ବିଷୟରେ ଆସନ୍ତୁ ଜାଣିବା…

ଡାକ୍ତରଙ୍କ ମତରେ ଅଣ୍ଟା ପୀଡ଼ା ହେବାର ଅନେକ କାରଣ ରହିଛି । ବେଳେବେଳେ ହାଡ଼ ଯୋଗୁ ଅଣ୍ଟା ବିନ୍ଧେ କିମ୍ବା ଦରଜ ହୁଏ । ଆଉ କିଛି ଲୋକଙ୍କ ଠାରେ ମାଂସପେଶୀ ସମସ୍ୟା ଯୋଗୁ ଏହି ପୀଡ଼ା ହୋଇଥାଏ । କେବଳ ଯେ ହାଡ଼ ଜନିତ ସମସ୍ୟା ଥିଲେ ଅଣ୍ଟା କାଟେ ତାହା ଭାବିବା ଭୁଲ । ଅଧିକ ସମୟ ବସିବା ଯୋଗୁ କିମ୍ବା ଭୁଲ ଢଙ୍ଗରେ ଶୋଇବା ଯୋଗୁ କିମ୍ବା ଏକ୍ସରସାଇଜ୍‌ କରିବା ବେଳେ ମାଂସପେଶୀରେ ସମସ୍ୟା ସୃଷ୍ଟି ହୋଇପାରେ । ଖାସ୍‌ କରି ଷ୍ଟ୍ରେଚିଂ ବେଳେ ମାଂସପେଶୀ ମକଚି ହୋଇପାରେ । ଯାହା ଦ୍ୱାରା ପ୍ରବଳ ପୀଡ଼ା ହେବା ସହ ଉଠିବା ବସିବା ବି କାଠିକର ପାଠ ହୋଇଯାଏ ।

ଯଦି ଆପଣ ବି ଏଭଳି ସମସ୍ୟା ଭୋଗୁଛନ୍ତି, ତେବେ ଆଉ ଡେରି ନ କରି ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଅତି ପୀଡ଼ା ହେଉଥିଲେ ଡାକ୍ତର ତୁରନ୍ତ ପେନ୍‌ କିଲର କିମ୍ବା ମସଲସ୍‌କୁ ଫ୍ରି କରିବାକୁ ଇଞ୍ଜେକସନ୍‌ ଦେଇଥାନ୍ତି । ଏଥିସହ ପୀଡ଼ା ହେଉଥିବା ଜାଗାରେ ମଲମ ବା ଅଏଣ୍ଟମେଣ୍ଟ ଲଗାଇବାକୁ ଦେଇଥାନ୍ତି । ଏଥିରୁ ଶୀଘ୍ର ଉପଶମ ପାଇଁ ସେହି ଜାଗାରେ ଗରମ ସେକ ବି ଦେବାକୁ କିଛି ଡାକ୍ତର ପରାମର୍ଶ ଦିଅନ୍ତି । ଫଳରେ ମାଂସପେଶୀ ରିଲାକ୍ସ ହେବ ଓ ପୀଡ଼ା କମିବ । ଆପଣ କିଛି ହାଲ୍‌କା ଫୁଲ୍‌କା ଏକ୍ସରସାଇଜ୍‌ ମଧ୍ୟ କରିପାରିବେ, ଯାହା ଦ୍ୱାରା ଶୀଘ୍ର ଆରାମ ମିଳିବ ।

ଏଥିସହ ବସିବା ବେଳେ ଅଣ୍ଟା ପେନ୍‌ରୁ ମୁକ୍ତି ଦେଉଥିବା କୁସନ୍‌ ବା ଛୋଟ ତକିଆ ବ୍ୟବହାର କରିପାରିବେ । ଏହା ମଧ୍ୟ ଆରାମ ଦେଇଥାଏ ।

Leave A Reply

Your email address will not be published.