ଉତ୍ତରାଖଣ୍ଡ ଜୋଶୀମଠରେ ଗ୍ଲେସିୟର ଭାଙ୍ଗି ୮ ମୃତ, ୨୯୧ ଉଦ୍ଧାର: ଭାରତୀୟ ସେନାର ଉଦ୍ଧାର କାର୍ଯ୍ୟ ଜାରି

ଉତ୍ତରାଖଣ୍ଡର ଜୋଶୀମଠରେ ଗ୍ଲେସିୟର ଭାଙ୍ଗିବା ଯୋଗୁଁ ୮ ଜଣ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ, ଭାରତ-ଚୀନ ସୀମାକୁ ଯୋଡ଼ୁଥିବା ରାସ୍ତାର ସୁମନା ୨ରେ ଗ୍ଲେସିୟର ଭାଙ୍ଗିଛି । ପ୍ରବଳ ବରଫପାତ ଯୋଗୁ ଗ୍ଲେସିୟର ଭାଙ୍ଗିଥିବା କୁହାଯାଉଛି। ଏପର୍ଯ୍ୟନ୍ତ ୨୯୧ ଲୋକଙ୍କୁ ଉଦ୍ଧାର କରାଯାଇଛି। ଗ୍ଲେସିୟର ଭାଙ୍ଗିବା ପରେ ସମ୍ପର୍କ ଛିନ୍ନ ହୋଇଛି। କୌଣସି ପ୍ରକାର ଯୋଗାଯୋଗ ସମ୍ଭବପର ହେଉନାହିଁ। ସେପଟେ ରାସ୍ତା ସଫା କରିବା ପାଇଁ ଶ୍ରମିକମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ଵତ ଆଲର୍ଟ ଜାରି କରିଦେଇଛନ୍ତି। ଭାରତୀୟ ସେନା ସେଠାରେ ପହଞ୍ଚି ଲଗାତାର ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଅନେକ ସ୍ଥାନରେ ତୁଷାରପାତ ଯୋଗୁଁ ରାସ୍ତା ବନ୍ଦ ହୋଇଥିବା ବେଳେ ଏବେ ସେଠାରେ ପହଞ୍ଚିବା ଅସମ୍ଭବ ହୋଇପଡ଼ିଛି। ଏନଡିଆରଏଫ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗ୍ଲେସିୟର ଭାଙ୍ଗିବା ପରେ ରେଣୀରେ ଋଷିଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏବେ ସ୍ଥିତି ଚିନ୍ତାଜନକ ରହିଛି। ମିଳିଥିବା ସୂଚନା ଅନୁସାରେ, ଜଳସ୍ତର ୨ ଫୁଟ୍ ବଢିଛି।


ଫେବୃଆରୀରେ ଚମୋଲିରେ ଭାଙ୍ଗିଥିବା ଗ୍ଲେସିୟର ଭୟ ପୁଣି ଥରେ ସ୍ଥାନୀୟ ଅଞ୍ଚଳର ଅଧିବାସୀଙ୍କ ମନରେ ଦେଖାଦେଇଛି। ଶୁକ୍ରବାର ଘଟିଥିବା ଏହି ଘଟଣା ପାଇଁ ଅନେକ ଗାଁ ପ୍ରଭାବିତ ହୋଇଛି। ଚଳିତବର୍ଷ ୭ ଫେବୃଆରୀରେ ଚମୋଲିରେ ଗ୍ଲେସିୟର ଭାଙ୍ଗିବା ଘଟଣା ସାମ୍ନାକୁ ଆସିଥିଲା। ଏଥିରେ ୨୦୫ ଲୋକ ନିଖୋଜ ହେବା ସହ ୭୯ ଲୋକ ପ୍ରାଣ ହରାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.