ବାଗେଶ୍ୱର ଧାମରୁ ୪ ମାସ ଭିତରେ ୨୧ ଶ୍ରଦ୍ଧାଳୁ ଗାଏବ! ଖୋଜା ଚାଲିଛି, ହେଲେ ମିଳୁନି ସୁରାକ୍‌

ମଧ୍ୟ ପ୍ରଦେଶର ଛତରପୁର ଜିଲ୍ଲାର ବାଗେଶ୍ୱର ଧାମକୁ ନେଇ ପୂରା ଦେଶରେ ଚର୍ଚ୍ଚା। ପ୍ରତିଦିନ ଦେଶ, ଦୁନିଆରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଈଶ୍ୱରଙ୍କୁ ନିଜ ମନକାମନା ଜଣାଇବା ପାଇଁ ବାଗେଶ୍ୱର ଧାମରେ ପହଞ୍ଚନ୍ତି।

ମଧ୍ୟ ପ୍ରଦେଶର ଛତରପୁର ଜିଲ୍ଲାର ବାଗେଶ୍ୱର ଧାମକୁ ନେଇ ପୂରା ଦେଶରେ ଚର୍ଚ୍ଚା। ପ୍ରତିଦିନ ଦେଶ, ଦୁନିଆରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଈଶ୍ୱରଙ୍କୁ ନିଜ ମନକାମନା ଜଣାଇବା ପାଇଁ ବାଗେଶ୍ୱର ଧାମରେ ପହଞ୍ଚନ୍ତି। ଏଠାରେ ସପ୍ତାହର ମଙ୍ଗଳବାର ଏବଂ ଶନିବାର ଭକ୍ତମାନଙ୍କର ସମାଗମ ହୋଇଥାଏ। ଏପରି କି, ଏହି ଦୁଇ ଦିନରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଲକ୍ଷରେ ପହଞ୍ଚିଯାଏ।

ହେଲେ ଆଶ୍ଚର୍ଯ୍ୟର କଥା ଯେ ଏଠାକୁ ଆସୁଥିବା ଅନେକ ଶ୍ରଦ୍ଧାଳୁଙ୍କ ପତ୍ତା ମିଳିପାରୁ ନାହିଁ। ବାଗେଶ୍ୱର ଧାମରୁ ଅନେକ ଲୋକ ଗାଏବ ହୋଇଯାଇଛନ୍ତି, ଯାହାଙ୍କୁ ଆଜି ପର୍ଯ୍ୟନ୍ତ ପୋଲିସ ଖୋଜି ପାଇପାରି ନାହିଁ।

ଏଠାରୁ ଗାଏବ ହୋଇଥିବା ଲୋକଙ୍କ ମଧ୍ୟରେ କିଛି ଜଣ ମାନସିକ ରୋଗୀ ଥିବା ବେଳେ ଆଉ କିଛି ଜଣ ଅଧିକ ଗହଳି ଭିତରେ ନିଜ ପରିବାର ଲୋକଙ୍କଠାରୁ ଅଲଗା ହୋଇଯାଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ସେମାନଙ୍କ ସୁରାକ୍‌ ମିଳିନାହିଁ। ନିଖୋଜ ଥିବା ଲୋକଙ୍କୁ ଖୋଜି ପାଇବା ପାଇଁ ତାଙ୍କ ପରିବାର ଲୋକେ ବାରମ୍ବାର ବିଭିନ୍ନ ଥାନା ଏବଂ ଧାମର କାର୍ଯ୍ୟାଳୟ ଦୌଡ଼ୁଛନ୍ତି।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁସାରେ, ୨୦୨୩ ଜାନୁୟାରୀ ୧ରୁ ଏ ପର୍ଯ୍ୟନ୍ତ ବାଗେଶ୍ୱର ଧାମରୁ ୨୧ ଲୋକ ଗାଏବ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଖୋଜାଯାଇଥିବା ବେଳେ ଏବେ ବି ଆଉ ୧୨ ଜଣଙ୍କ ପତ୍ତା ମିଳିପାରି ନାହିଁ। ବର୍ତ୍ତମାନ ସୁଦ୍ଧା ପୋଲିସ ସେମାନଙ୍କ ପାଖରେ ପହଞ୍ଚିପାରିନାହିଁ।