ନୈନିତାଲରେ ବଡ଼ ଦୁର୍ଘଟଣା, ଖାଇକୁ ଖସିଲା ଯାତ୍ରୀବାହୀ ଜିପ୍; ଚାଲିଗଲା ୭ ଜୀବନ
ନୈନିତାଲରେ ଶୁକ୍ରବାର ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ନୈନିତାଲର ଓଖଲ କାଣ୍ଡା ଗାଁ ନିକଟରେ ଏକ ଜିପ୍ ୫୦୦ ମିଟର ଖାଇକୁ ଖସିପଡ଼ିବାରୁ ୭ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଜିପ୍ରେ କ୍ଷମତାଠାରୁ ଅଧିକ ସଂଖ୍ୟାରେ ଯାତ୍ରୀ ଥିଲେ।

ନୈନିତାଲରେ ଶୁକ୍ରବାର ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ନୈନିତାଲର ଓଖଲ କାଣ୍ଡା ଗାଁ ନିକଟରେ ଏକ ଜିପ୍ ୫୦୦ ମିଟର ଖାଇକୁ ଖସିପଡ଼ିବାରୁ ୭ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଜିପ୍ରେ କ୍ଷମତାଠାରୁ ଅଧିକ ସଂଖ୍ୟାରେ ଯାତ୍ରୀ ଥିଲେ, ଯାହାଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ଗାଡ଼ି ଗଭୀର ଖାଇକୁ ଖସି ପଡ଼ିଥିଲା।
ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଉଦ୍ୟମ ଚଳାଇଛି। ତେବେ ଜିପ୍ ଭିତରେ କେତେ ଲୋକ ଥିଲେ, ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଛି। ସକାଳ ୮ଟାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏଠାରେ ରାସ୍ତା ଖରାପ ଥିବାରୁ ଗାଡ଼ି ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସିପଡ଼ିଥିଲା। ଏହାପୂର୍ବରୁ ମଧ୍ୟ ଗତ ସୋମବାର ନୈନିତାଲରେ ଏକ କାର୍ ଖାଇରେ ଖସି ପଡ଼ିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ। ଏହିପରି ଗତ ଅକ୍ଟୋବରରେ ମଧ୍ୟ ଏଠାରେ ଏକ ଯାତ୍ରୀବାହୀ ବସ୍ ଖାଇକୁ ଖସିପଡ଼ିଥିଲା, ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା।